ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ପ୍ରାର୍ଥୀ କରିବ ବିଜେପି: ୟେଦ୍ୟୁରପ୍ପା
ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭାର ତକ୍ରାଳୀନ ବାଚସ୍ପତି ରମେଶ କୁମାରଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ସମସ୍ତ ବିଧାୟକଙ୍କୁ ବିଜେପି ଉପ-ନିର୍ବାଚନ ହେବାକୁ ଥିବା ୧୫ ଆସନରେ ପ୍ରାର୍ଥୀ କରିବ । ସୋମବାର ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ବି.ଏସ.ୟେଦୁରପ୍ପା । ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଏଥିପାଇଁ ସବୁଜ ସଂକେତ ପ୍ରଦାନ କରିଥିବା ୟେଦ୍ୟୁରାପ୍ପା କହିଛନ୍ତି । ଇତି ମଧ୍ୟରେ ଅଯୋଗ୍ୟ ଘୋଷିତ ୧୭ ବିଧାୟକଙ୍କ ମଧ୍ୟରୁ ତିନି ଜଣ ଇସ୍ତଫା ଦେଇ ସାରିଛନ୍ତି । ଏହା ଦ୍ୱାରା ବିଜେପି ସରକାର ସୁବିଧାଜନକ ସ୍ଥିତିରେ ରହିଛି । ଅପରପକ୍ଷରେ ଅଯୋଗ୍ୟ ଘୋଷିତ ବିଧାୟକମାନେ କଂଗ୍ରେସ ଓ ଜେଡି (ଏସ୍) ଦଳରୁ ନିର୍ବାଚିତ ହୋଇଥିବାରୁ ସେମାନଙ୍କୁ ବିଜେପିରୁ ପ୍ରାର୍ଥୀ କରାଗଲେ ଦଳ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବାର ଯେଉଁ ଆଶଙ୍କା ରହିଛି ତାହା ଦୂର ପାଇଁ ବ୍ୟବସ୍ଥା ହୋଇଛି । ଗତ ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ହାରିଥିବା ପ୍ରାର୍ଥୀଙ୍କ ବିଭିନ୍ନ ପରିଷଦ ଓ ନିଗମରେ ଥଇଥାନ ମାଧ୍ୟମରେ ସନ୍ତୁଷ୍ଟ କରାଯିବ ବୋଲି ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି । ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ପ୍ରାର୍ଥୀ କରାଯିବାକୁ ବିଜେପି ନେତା ଉମେଶ କଟ୍ଟିଙ୍କ ସମେତ କିଛି ବରିଷ୍ଠ ନେତା ବିରୋଧ କରୁଥିବାରୁ ଏହା ଜବାବରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦଳର ରାଷ୍ଟ୍ରୀୟ ନେତାଙ୍କ ନିଷ୍ପତ୍ତି ଉପରେ କୌଣସି ଦ୍ୱନ୍ଦ୍ୱ ରହିବା ଅନୁଚିତ । ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ହିଁ ପ୍ରାର୍ଥୀ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ୟେଦ୍ୟୁରାପ୍ପାଙ୍କ ଏହି ଘୋଷଣା ଦ୍ୱାରା ସରକାର ଭାଙ୍ଗିବାରେ ବିଜେପିର ହାତ ଥିବା ସମାଲୋଚକମାନେ କହିଛନ୍ତି । ଉପନିର୍ବାଚନ ଡିସେମ୍ବର ୫ରେ ହେବ ।