ସୟଦ ମୁସ୍ତ‌ାକ ଅଲ୍ଲୀ ଟ୍ରଫି, ସାମ୍ଭାବ୍ୟ ଦଳରେ ଶ୍ରୀଶାନ୍ତ, ଯୁବି

ନୂଆଦିଲ୍ଲୀ: ବିବାଦୀୟ ଦ୍ରୁତ ବୋଲର ଶାନ୍ତାକୁମାର ଶ୍ରୀଶାନ୍ତ ବାସନ୍ଦ ସମୟ ଶେଷ କରିବା ପରେ ସକ୍ରିୟ କ୍ରିକେଟ୍‌କୁ ଫେରିବାର ବାଟ ପରିଷ୍କାର ହେବାକୁ ଲାଗିଛି। ଆସନ୍ତାବର୍ଷ ଜାନୁଆରି ୧୦ ତାରିଖରୁ ଆରମ୍ଭ ହେବାକୁ ଥିବା ଟି-୨୦ ଘରୋଇ ପ୍ରତିଯୋଗିତା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଲାଗି କେରଳର ସମ୍ଭାବ୍ୟ ୨୬ ଜଣିଆ ଦଳରେ ‌ସେ ସ୍ଥାନ ପାଇଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବ‌ରରେ ତାଙ୍କ ବାସନ୍ଦ ସମୟ ଶେଷ ହୋଇଥିଲା ଏବଂ ସେ ଖେଳିବା ଲାଗି ଯୋଗ୍ୟ ହୋଇଥିଲେ। କରୋନା ଯୋଗୁଁ ଘରୋଇ କ୍ରିକେଟ ବନ୍ଦ ଥିବାରୁ ସେ ଖେଳିପାରିନଥିଲେ। ୩୭ ବର୍ଷୀୟ ଶ୍ରୀଶାନ୍ତଙ୍କ ସହ ଏହି ସାମ୍ଭାବ୍ୟ ଦଳରେ ସଂଜୁ ସାମସନ, ସଚିନ ବେବି ଓ ଜଲଜ ସାକ୍ସେନା ମଧ୍ୟ ରହିଛନ୍ତି। ଡିସେମ୍ବର ୨୦ରୁ ୩୦ ତାରିଖ ପର୍ଯ୍ୟନ୍ତ ଖେଳାଳିମାନେ ଆଲାପୁଝାସ୍ଥିତ ଏସ୍‌ଡି କଲେଜ ପଡ଼ିଆରେ ଅଭ୍ୟାସ କରି‌ବେ। ପୂର୍ବତନ ଭାରତୀୟ ଅଲ୍‌ରାଉଣ୍ଡର ଯୁବରାଜ ସିଂହ ପ୍ରତିଦ୍ବନ୍ଦ୍ବିତା ମୂଳକ କ୍ରିକେଟ୍‌କୁ ପୁଣି ଫେରିବେ। ତାଙ୍କ ନାମ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଟି-୨୦ ପ୍ରତିଯୋଗିତା ଲାଗି ମଙ୍ଗଳବାର ଘୋଷିତ ପଞ୍ଜାବର ୩୦ ଜଣିଆ ସାମ୍ଭାବ୍ୟ ଦଳରେ ରହିଛି। ଗତ ବର୍ଷ ଯୁବି ସମସ୍ତ କ୍ରିକେଟ୍‌ରୁ ଅବସର ନେଇଥିଲେ। ହେଲେ ପଞ୍ଜାବ କ୍ରିକେଟ୍‌ ସଂଘ ରାଜ୍ୟ ଦଳ ପକ୍ଷରୁ ଖେଳିବା ଲାଗି ତାଙ୍କୁ ଅନୁ‌ରୋଧ କରିଥିଲା। ଦୁଇ ଥରର ବିଶ୍ବ ବିଜେତା ଯୁବି ରାଜ୍ୟ ସଂଘର ଅନୁରୋଧ ରକ୍ଷା କରି ଖେଳିବା ଲାଗି ପ୍ରତି‌ଶୃତି ଦେଇଥିଲେ। ୩୯ ବର୍ଷୀୟ ଯୁବି ମୋହାଲିର ପିସିଏ ଷ୍ଟାଡିୟମରେ ସଂପ୍ରତି ଅଭ୍ୟାସ ଚଲାଇଛନ୍ତି। ଅଭ୍ୟାସ ବେଳର କିଛି ଭିଡିଓ ସେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରି ଫେରିବାର ସଂକେତ ଦେଇଛନ୍ତି। ବିସିସିଆଇଠୁ କ୍ଲିନ୍‌ ଚିଟ୍‌ ପାଇବା ପରେ ‌କାନାଡ଼ାରେ ଆୟୋଜିତ ଗ୍ଲୋବାଲ ଟି-୨୦ ଲିଗ୍‌ରେ ସେ ଖେଳିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ