ଦିଗପହଣ୍ଡି କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ; ମୌଳିକ ସମସ୍ୟା ସମାଧାନ ଦାବୀ ରେ ଆନ୍ଦୋଳନ ପାଇଁ ସଜବାଜ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର ଅପରାହ୍ନ ରେ ସ୍ଥାନୀୟ ପୁଞ୍ଜିକଁୟା ଛକ ନିକଟ ଋଚି ହୋଟେଲ ସମ୍ମିଳନୀ କକ୍ଷରେ ଖବର ଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ଏନ୍ ଏ ସି ଅନ୍ତର୍ଗତ ୧ ନଂ ୱାର୍ଡ ର ପୂର୍ବତନ କାଉନସିଲର ନିରୁପମା ପଟ୍ଟନାୟକ କଂଗ୍ରେସ ଦଳ ରୁ ଇସ୍ତଫା ଦେଇ ବିଜୁ ଜନତା ଦଳରେ ସାମିଲ ହେବା ପରେ ଦିଗପହଣ୍ଡି କଂଗ୍ରେସ କମିଟି ତାର ତୀବ୍ର ନିନ୍ଦା କରିଛି। ମାତ୍ର ହାତ ଗଣତି କିଛି ଅନାମଧେୟ ମହିଳା ଙ୍କ ସମେତ ମୁଷ୍ଟିମେୟ ଲୋକଙ୍କୁ ପୂର୍ବତନ କାଉନସିଲର ବ୍ରହ୍ମପୁର ଡାକି ନେଇ ସେମାନଙ୍କୁ କଂଗ୍ରେସ କର୍ମୀ ବୋଲି ମିଥ୍ୟା ପରିଚୟ ଦେଇ ସେମାନଙ୍କୁ ବିଜେଡ଼ି ରେ ସାମିଲ କରାଯାଇଥିବା ନେଇ ବିଜେଡ଼ି ନେତୃବୃନ୍ଦ ଯେଉଁ ବାହାବା ମାରିଛନ୍ତି ସେଥିରେ ସାମାନ୍ୟତମ ସତ୍ୟତା ନଥିବା କୁହାଯାଇଛି । କେବଳ ପୂର୍ବତନ କାଉନସିଲର ଏବଂ ତାଙ୍କ ସ୍ଵାମୀ ଙ୍କ ବ୍ୟତୀତ ଦିଗପହଣ୍ଡି ସହରର ଅନ୍ୟ ଜଣେ ହେଲେ କେହି କଂଗ୍ରେସ ଦଳ ରୁ ଇସ୍ତଫା ଦେଇ ନାହାନ୍ତି। ତେଣୁ ସେମାନେ ବିଜେଡ଼ି ରେ ସାମିଲ ହେଲେ କେମିତି ? ଯଥେଷ୍ଟ ଯୋଗ୍ୟତା ନଥିଲେ ମଧ୍ୟ କଂଗ୍ରେସ ଦଳ ପୂର୍ବତନ କାଉନସିଲର ଙ୍କୁ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ସମ୍ପାଦିକା ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ପ୍ରଦାନ କରିଥିଲା । ସେ ତାଙ୍କ ବ୍ୟବସାୟିକ ସ୍ବାର୍ଥ ଚରିତାର୍ଥ କରିବା ପାଇଁ ଆଜି ନୁହେଁ ବହୁ ଦିନ ହେଲା ସେ ବିଜେଡ଼ି ସହ ମଧୁର ସମ୍ପର୍କ ରଖି ଆସିଥିଲେ।ପୂର୍ବରୁ ଅନେକ ଥର ସେ ଓ ତାଙ୍କ ସ୍ଵାମୀ ଭୁବନେଶ୍ୱର ଯାଇ ଦିଗପହଣ୍ଡି ବିଧାୟକ ଏବଂ ତାଙ୍କ ସୁପୁତ୍ର ଙ୍କ ସହ କୁ – ମନ୍ତ୍ରଣା କରି ଦିଗପହଣ୍ଡି ଏନ୍ ଏ ସି ୧ ନଂ ୱାର୍ଡ ରେ କଂଗ୍ରେସ ସଙ୍ଗଠନ କୁ ଧ୍ଵଂସ କରିବା ପାଇଁ ବହୁବାର ଉଦ୍ୟମ କରି ସେଥିରେ ବାରମ୍ବାର ଅସଫଳ ହେବା ପରେ କଂଗ୍ରେସ ଦଳରୁ ବହିଷ୍କୃତ ହେବା ପୂର୍ବରୁ କୌଣସି ଉପାୟ ନପାଇ ଶେଷରେ ବାଧ୍ୟ ହୋଇ ଦଳରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ର ଦଳୀୟ ଟିକେଟ ରେ କାଉନସିଲର ନିର୍ବାଚିତ ହେବା ଦିନଠାରୁ ସେ ଓ ତାଙ୍କ ସ୍ଵାମୀ ଦଳୀୟ କର୍ମୀ ତଥା ସ୍ଥାନୀୟ ସାଧାରଣ ବାସିନ୍ଦା ଙ୍କ ପ୍ରତି ରୁକ୍ଷ ବ୍ୟବହାର କରି ଆସୁଥିଲେ। କୌଣସି ବ୍ୟକ୍ତି କିଛି ଜରୁରୀ କାମ ପାଇଁ କାଉନସିଲର ଙ୍କ ଘରକୁ ସାହାଯ୍ୟ ମାଗିବାକୁ ଗଲେ ସାହାଯ୍ୟ ଦୂରର କଥା ସେମାନଙ୍କୁ ତାଙ୍କ ସ୍ଵାମୀ ଅସଦ୍ ବ୍ୟବହାର କରୁଥିଲେ। ଗତ କରୋନା ମହାମାରୀ ସମୟରେ କଂଗ୍ରେସ ପାର୍ଟି ପକ୍ଷରୁ ବହୁ ସଂଖ୍ୟକ ଶୁଖିଲା ଖାଦ୍ୟ ଦ୍ରବ୍ୟ ପ୍ୟାକେଟ ବିଭିନ୍ନ ବସ୍ତିରେ ରହୁଥିବା ଗରିବ ଅସହାୟ ଲୋକ ଙ୍କୁ ବଣ୍ଟନ ନିମନ୍ତେ କାଉନସିଲର ଙ୍କୁ ଦିଆଯାଇଥିଲେ ମଧ୍ୟ ସେ ଖାଦ୍ୟଦ୍ରବ୍ୟ ପ୍ୟାକେଟ ଗୁଡ଼ିକୁ କୌଣସି ବସ୍ତି ରେ ବଣ୍ଟନ ନକରି ସେଗୁଡିକୁ ବାଟମାରଣା କରିବା ସହ ରାଜକୀୟ ଠାଣି ରେ ନିଜ ଘରକୁ କିଛି ସ୍ୱଳ୍ପ ସଂଖ୍ୟକ ଲୋକଙ୍କୁ ଡକାଇ ବଣ୍ଟନ କରିଥିଲେ। ତେଣୁ ତାଙ୍କ ଇସ୍ତଫା ଏବଂ ବିଜେଡ଼ି ରେ ତାଙ୍କରି ଯୋଗଦାନ କଂଗ୍ରେସ ଦଳ କିମ୍ବା ସଙ୍ଗଠନ ରେ କୌଣସି ପ୍ରଭାବ ପଡ଼ିବ ନାହିଁ। ସେ ଦଳ ତ୍ୟାଗ କରିବା ପରେ କଂଗ୍ରେସ ସଙ୍ଗଠନ ସମ୍ପୃକ୍ତ ୧ ନଂ ୱାର୍ଡ ରେ ଆହୁରି ଅଧିକ ଶକ୍ତିଶାଳୀ ହୋଇପାରିବ ଏଥିରେ ସନ୍ଦେହ ନାହିଁ। ଦିଗପହଣ୍ଡି ଅଞ୍ଚଳରେ ସମସ୍ତ ଭିତ୍ତିଭୂମି ଥିଲେ ମଧ୍ୟ ଦୀର୍ଘ ୩୦ ବର୍ଷ ହେଲା ସ୍ଥାନୀୟ ବିଧାୟକ ବେକାର ଯୁବକ ଯୁବତୀ ଙ୍କ କର୍ମ ନିଯୁକ୍ତି ପାଇଁ କୌଣସି କଳ କାରଖାନା ପ୍ରତିଷ୍ଠା ପାଇଁ ସାମାନ୍ୟତମ ଉଦ୍ୟମ କରି ନାହାନ୍ତି। ଦିଗପହଣ୍ଡି ପୁଞ୍ଜି କଁ ୟା ଛକ ରେ ଥିବା (ଆର୍ ଏମ୍ ସି ଏସ ) ସମବାୟ ବିଭାଗର କୋଟି କୋଟି ଟଙ୍କା ମୂଲ୍ୟର ଜମି କୁ ବିଜେଡ଼ି ର ଦିଗପହଣ୍ଡି ବ୍ଳକ ସଭାପତି ଏବଂ ଦିଗପହଣ୍ଡି ନଗର ବିଜେଡ଼ି ର ପୂର୍ବତନ ସଭାପତି ଶାଗ ମାଛ ଦରରେ ଜବରଦସ୍ତ ନେଇ ଯାଇ ସେଠାରେ ହୋଟେଲ୍ ଏବଂ ଔଷଧ ଦୋକାନ କରିଛନ୍ତି।ଭିଜିଲାନ୍ସ ତଦନ୍ତ ଚାଲିଥିଲେ ମଧ୍ୟ ବିଧାୟକ ସେମାନଙ୍କୁ ଘଣ୍ଟ ଘୋଡାଉଥିବା ରୁ ତଦନ୍ତ ଅଧା ବାଟରେ ଅଟକିଛି। ଦିଗପହଣ୍ଡି ବସଷ୍ଟାଣ୍ଡ ର ଉଭୟ କଡ଼ରେ ଥିବା ଶ୍ରୀ ଭାବ କୁଣ୍ଡଳେଶ୍ୱର ଜମି କୁ ବିଜେଡ଼ି ର କିଛି ନେତା ଦୀର୍ଘବର୍ଷ ହେଲା ଜବରଦଖଲ କରି ହୋଟେଲ୍ କରି ମାଛ ମାଂସ ବିକ୍ରୀ କରୁଛନ୍ତି। ଯାହାକି ହିନ୍ଦୁ ଧାର୍ମିକ ଭାବନାରେ ଆଘାତ ହେଉଛି। ମହାଦେବ ଙ୍କ କୋଟି କୋଟି ଟଙ୍କାର ଭୁ – ସମ୍ପତ୍ତି ଥିଲେ ମଧ୍ୟ ମହାଦେବ ଓପାସରେ ରହୁଛନ୍ତି । ନିତିକାନ୍ତି ସେବା ପୂଜା ପର୍ବ ପର୍ବାଣୀ ହୋଇ ପାରୁନାହିଁ। ମନ୍ଦିର ଟ୍ରଷ୍ଟି ଙ୍କ ଅନୈତିକ କାର୍ଯ୍ୟ କଳାପ ରେ ମହାଦେବ ଙ୍କ ଜମିରେ ବାଣିଜ୍ୟ ବ୍ୟବସାୟ କରୁଥିବା ବହୁସଂଖ୍ୟକ ବ୍ୟକ୍ତି ଛଟପଟ ହେଉଛନ୍ତି। ସେମାନଙ୍କ ଠାରୁ ଆଦାୟ କରାଯାଇଥିବା ଲକ୍ଷ ଲକ୍ଷ ଟଙ୍କାର ହିସାବ ଦିଆଯାଉନାହିଁ। ଦିଗପହଣ୍ଡି ଏନ୍ ଏ ସି କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ପାଲଟିଛି । ଉନ୍ନୟନ କାର୍ଯ୍ୟ ସମେତ କାର୍ଯ୍ୟାଳୟ ଆସବାବ ପତ୍ର, ସଫେଇ ଗାଡି କିଣା ଓ ଗାଡି ଚାଳକ ନିଯୁକ୍ତି ରେ ବହୁ ଅନିୟମିତତା କରାଯାଇଛି। ଏନ୍ ଏ ସି ଅଧୀନ ରାସ୍ତା ଘାଟ ନାଳ ନର୍ଦ୍ଦମା ସଫେଇ କାର୍ଯ୍ୟ କୁ ଘରୋଇ କରଣ କରାଯାଇଛି। ଏସବୁ କାର୍ଯ୍ୟ ନିମନ୍ତେ ଠିକା ନେଇଥିବା ଏକ ସଂସ୍ଥାକୁ ସ୍ଥାନୀୟ ବିଧାୟକ ଙ୍କ ନିର୍ଦ୍ଦେଶ କ୍ରମେ ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରାଯାଇଛି । ଏହାର ଭିଜିଲାନ୍ସ ତଦନ୍ତ କରାଯାଉ। ସମସ୍ତ ସାହି ରାସ୍ତାରେ ଗାଡ଼ି ମୋଟର ଗଲେ ପ୍ରବଳ ଧୂଳି ଉଡିବା ଯୋଗୁଁ ବାସିନ୍ଦା ମାନେ ହଟହଟା ହେଉଛନ୍ତି । ନାଳ ନର୍ଦ୍ଦମା ନିୟମିତ ସଫା କରା ନଯିବା କାରଣରୁ ଦୁର୍ଗନ୍ଧ ରେ ନାକ ଫାଟି ପଡୁଛି। ପ୍ରବଳ ମଶା ମାଛି କାମୁଡ଼ାରେ ଲୋକେ ଘରେ ବାହାରେ ରହି ପାରୁନାହାନ୍ତି । ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଦୀର୍ଘବର୍ଷ ହେଲା ଡ଼ାକ୍ତର ଓ କର୍ମଚାରୀ ପଦବୀ ଖାଲି ପଡ଼ିଛି। ସ୍ବାସ୍ଥ୍ୟ ସମସ୍ୟା ର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ବିଧାୟକଙ୍କ ସମୟ ନାହିଁ । ସହର ର ସ୍ଥାୟୀ ବସଷ୍ଟାଣ୍ଡ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଦିଗପହଣ୍ଡି ସହର ଉନ୍ନତି ନାଁ ରେ ଅବନତି ଆଡ଼କୁ ମୁଁହାଇଛି। ସହର ବାସିନ୍ଦା ଙ୍କ ପାଇଁ ଏନ୍ ଏ ସି ଏବେ ଜିଜୀୟା କର ଲାଗୁ କରିଛି । ଏନ୍ ଏ ସି କର୍ତ୍ତୃପକ୍ଷ ଲୋକଙ୍କ ମୌଳିକ ସମସ୍ୟା ସମାଧାନ ନକରି ସଫେଇ ପାଇଁ ପ୍ରତି ମାସରେ ୩୦ ଟଙ୍କା ଲେଖାଏଁ ପ୍ରତ୍ୟେକ ଘରୁ ଘର ଟିକସ ସହ ଆଦାୟ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ବିରୋଧରେ କଂଗ୍ରେସ ଦଳ ପକ୍ଷରୁ ଜନ ଆନ୍ଦୋଳନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ଚେତାବନୀ ଦିଆଯାଇଛି ।


