ଛତ୍ରପୁରଠାରେ ଦୁଇଦିନିଆ ଗ୍ରାହକ ସମ୍ପର୍କ ଅଭିଯାନ ମେଳା ଉଦଘାଟିତ
ଛତ୍ରପୁର: ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ଚାଷୀ, ଏସଏଚଜି ମହିଳା, କ୍ଷୁଦ୍ର ଚାଷୀ, କ୍ଷୁଦ୍ର ବେପାରୀଙ୍କ ସମେତ ବହୁ ଲୋକଙ୍କ ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ବ୍ୟାଙ୍କମାନେ କିପରି ସମସ୍ତ ବର୍ଗର ଲୋକମାନଙ୍କୁ ଋଣ ସହାୟତା ପ୍ରଦାନ କରିବେ, ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶନାମା ଜାରି କରିଥିଲେ । ଏ ନେଇ ଆଜି ବ୍ୟାଙ୍କଗୁଡ଼ିକ ଲୋକଙ୍କ ସହାୟତା ନିମନ୍ତେ ଲୋକଙ୍କ ହାତ ପାହାନ୍ତାକୁ ଆସିଛି । ସ୍ଥାନୀୟ ଅନସ୍ଲୋ ହାଇସ୍କୁଲର ମିନି ଷ୍ଟାଡିୟମ ପରିସରରେ ଦୁଇଦିନିଆ ଗ୍ରାହକ ସମ୍ପର୍କ ଅଭିଯାନ ମେଳା ଆଜି ଉଦଘାଟିତ ହୋଇଯାଇଛି ।
ଏହାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ବ୍ୟାଙ୍କମାନେ କିପରି ଅଧିକରୁ ଅଧିକ ଲୋକମାନଙ୍କୁ ଋଣ ପ୍ରଦାନ କରିବେ, ସେ ଦିଗରେ ଗୁରୁତ୍ୱାରୋପ କରିଥିଲେ । ଏହାସହ ଉପସ୍ଥିତ ଥିବା ମହିଳା ଓ ପୁରୁଷମାନଙ୍କୁ ଗାଁ ସାହୁକାର ମାନଙ୍କଠାରୁ ଋଣ ନନେଇ କିପରି ସ୍ୱଳ୍ପ ସୁଧ ଦେଇ ବ୍ୟାଙ୍କଗୁଡ଼ିକରୁ ଋଣ ନେବା ନିମନ୍ତେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପରାମର୍ଶ ଦେଇଥିଲେ । ବ୍ୟାଙ୍କ ଓ ଗ୍ରାହକ ସମନ୍ୱୟ ରକ୍ଷା କରି ସମସ୍ତ କାର୍ଯ୍ୟ କରିଲେ ସମସ୍ତ ସୁବିଧା ହୋଇପାରିବ ବୋଲି ମଧ୍ୟ ଜିଲ୍ଲାପାଳ କହିଥିଲେ । ଗ୍ରାହକ ଓ ବ୍ୟାଙ୍କ ମଧ୍ୟରେ ଯେଉଁ ଦଲାଲ ରହୁଛନ୍ତି ଏହା ରହିବ ନାହିଁ । ଅନ୍ୟମାନଙ୍କ ମଧ୍ୟରେ ଆନ୍ଧ୍ରା ବ୍ୟାଙ୍କର ଜେନେରାଲ ମ୍ୟାନେଜର ବ୍ରହ୍ମାନନ୍ଦ ରେଡ୍ଡୀ, ଡିଜିଏମ ଭୁବନେଶ୍ୱର ନାୟକ, ଇଣ୍ଡିଆନ ବ୍ୟାଙ୍କର ଡିଜିଏମ ଭି.ରାଜୁ, ଆଇଓବି ବ୍ୟାଙ୍କର ରିଜିଓନାଲ ମ୍ୟାନେଜର ଚନ୍ଦ୍ରମଣି ଦଳାଇ, ଏସବିଆଇର ରିଜିଓନାଲ ମ୍ୟାନେଜର କେବି ଦାସ, କାନାରା ବ୍ୟାଙ୍କ ରିଜିଓନାଲ ମ୍ୟାନେଜର ନିରାକାର ବେହେରା, ଏଲଡିଏମ ଅଶୋକ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ କିପରି ଗ୍ରାହକମାନଙ୍କୁ ସୁବିଧାରେ ଋଣ ପ୍ରଦାନ କରାଯାଉଛି, ସେ ଦିଗରେ ଉପସ୍ଥିତ ଜନସାଧାରଣମାନଙ୍କୁ କହିଥିଲେ । ଏହି ଅବସରରେ ଜିଲ୍ଲାର ୧୯ଟି ବ୍ୟାଙ୍କ ପକ୍ଷରୁ ୪୯୯୪ ଆକାଉଂଟକୁ ୭୫ କୋଟି ୫୯ ଲକ୍ଷ ୯୩ ହଜାର ଋଣ ପ୍ରଦାନ କରାଯାଇଛି । ଏହି ମେଳାରେ ଜିଲ୍ଲାର ଘରୋଇ ଓ ସରକାରୀ ବ୍ୟାଙ୍କରେ ଗୋଟିଏ ଗୋଟିଏ ଷ୍ଟଲ ଗ୍ରାହକମାନଙ୍କ ସଂଶୋଧନ ନିମନ୍ତେ ଖୋଲାଯାଇ ସେଠାରେ କର୍ମଚାରୀମାନେ ଉପସ୍ଥିତ ରହି ସାଧାରଣ ଲୋକଙ୍କୁ ଏ ବିଷୟରେ ପୁଙ୍ଖାନୁପୁଙ୍ଖ ବୁଝାଯାଉଛି । ସମସ୍ତ କାର୍ଯ୍ୟକ୍ରମକୁ ସୁକାନ୍ତ ପ୍ରଧାନଙ୍କ ସମେତ ବହୁ ବ୍ୟାଙ୍କର କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।


