ବାଲେଶ୍ୱରରେ ପାଳିତ ହେଲା ଜିଲ୍ଲାସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ
ବାଲେଶ୍ୱର,(ଓ୍ବାଇଏନ୍ଏସ୍): ବାଲେଶ୍ୱର ସଦର ମହକୁମାସ୍ଥିତ ରିଜର୍ଭ ପୋଲିସ ପଡିଆଠାରେ ପାଳିତ ହୋଇଯାଇଛି ଜିଲ୍ଲାସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ମାନ୍ୟବର ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଯୋଗ ଦେଇ ସକାଳ ଘ୮.୩୦ମି. ସମୟରେ ଜାତୀୟ ପତାକା ଉତୋଳନ କରିବା ସହିତ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ସେ ସ୍ୱାଧୀନତା ସଂଗ୍ରାମର ଇତିହାସ ଏବଂ ମହାତ୍ମା ଗାନ୍ଧୀ, ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସମେତ ଅନ୍ୟ ଯେଉଁ ମହାନ ଦେଶଭକ୍ତମାନେ ଜାତୀୟ ସଂଗ୍ରାମରେ ସାମିଲ ହୋଇ ନିଜ ଜୀବନକୁ ଦେଶ ଓ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଯାଇଛନ୍ତି ତାହାର ସ୍ମୃତିଚାରଣ କରିଥିଲେ । ଏକ ସାଧାରଣତନ୍ତ୍ର ଦେଶ ଗଠନ ଏବଂ ସ୍ଥାୟୀ ସମ୍ବିଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ସମ୍ବିଧାନ ସଭାର ଅଧ୍ୟକ୍ଷ ଡ.ଭୀମରାଓ ଆମ୍ବେଦକର ଓ ଅନ୍ୟାନ୍ୟ ସଦସ୍ୟ, ସଦସ୍ୟାମାନଙ୍କ ଅବଦାନ ଉପରେ ସେ ଆଲୋକପାତ କରିଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ବିଶେଷ ଭୂମିକା ରହିଥିବା ସେ କହିଥିଲେ । ଇରମ, ଇଂଚୁଡିର ପବିତ୍ର ଭୂମି ହେଉଛି ଦେଶ ଓ ଜାତି ପାଇଁ ନିରସ୍ତ୍ର ଜନତାଙ୍କ ଆତ୍ମୋତ୍ସର୍ଗର ମହାପର୍ବ । ନୀଳଗିର ଉପଖଣ୍ଡର ଅଧିବାସୀ ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟାରେ ସର୍ବପ୍ରଥମେ ସାମିଲ ହୋଇ ସମଗ୍ର ଭାରତକୁ ଦିଗ୍ଦର୍ଶନ ଦେଇଥିଲେ । ଓଡିଆ ଭାଷା ଓ ସାହିତ୍ୟର ସୁରକ୍ଷା ସହ ସ୍ୱତନ୍ତ୍ର ଭାଷା ଭିତିକ ଉତ୍କଳ ପ୍ରଦେଶ ଗଠନ ପାଇଁ ବାଲେଶ୍ୱର ମାଟିର ସୁଯୋଗ୍ୟ ସନ୍ତାନ ଫକୀରମୋହନ ସେନାପତିଙ୍କ ସମେତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, କବି ବାଂଛାନିଧି ମହାନ୍ତି, ଡଃ ହରେକୃଷ୍ଣ ମହତାବ, ନନ୍ଦ କିଶୋର ଦାସ, ମୁକୁନ୍ଦ ପ୍ରସାଦ ଦାସ, ସର୍ଦ୍ଦାର ସୁରେନ୍ଦ୍ର ନାଥ ଦାସ ପ୍ରମୁଖ ଆମ ପାଇଁ ଚିର ସ୍ମରଣୀୟ । ସେହି ପୂର୍ବସୂରୀଙ୍କ ତ୍ୟାଗ ଓ ସାଧନାର ସ୍ମୃତିଚାରଣ କରି ସେମାନଙ୍କ ସ୍ୱପ୍ନକୁ ସାର୍ଥକ କରିବା ପାଇଁ ସଂକଳ୍ପ ନେବାକୁ ମାନ୍ୟବର ମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଆମ ରାଜ୍ୟ ଓଡିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱରେ ବିକାଶର ଧାରା ଅବ୍ୟାହତ ରହିଥିବା ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା କହିଥିଲେ । ସେ କହିଥିଲେ ଯେ ବିଗତ ୨୦ ବର୍ଷ ଧରି ରାଜ୍ୟରେ ଏକ ନିରବଚ୍ଛିନ୍ନ, ସ୍ଥିର ପ୍ରଗତିଶୀଳ ସରକାର ଚାଲିବା ରାଜ୍ୟବାସୀଙ୍କ ପାଇଁ ସୌଭାଗ୍ୟର ବିଷୟ । ଏବେ ପ୍ରଗତି ଆମ ପାଇଁ ପରମ୍ପରାରେ ପରିଣତ ହୋଇଛି । ଓଡିଶାର ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ନୂତନ ଯୁବନୀତି ପ୍ରଣୟନ କରାଯାଇଛି । ଦକ୍ଷତା ବୃଦ୍ଧି ମାଧ୍ୟମରେ ନିଯୁକ୍ତି ସୃଷ୍ଟି କରି ଯୁବକମାନଙ୍କୁ ଉପାର୍ଜନକ୍ଷମ କରାଯିବା ସହିତ ଯୁବ କ୍ରୀଡାବିତ୍ମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । କ୍ରୀଡା ପ୍ରତିଭା ଚିହ୍ନଟ କରାଯାଇ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରାଯାଉଛି । କ୍ରୀଡା କ୍ଷେତ୍ରରେ ଓଡିଶା ଏବେ ଦେଶର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ ହେଉଛି । ବାଲେଶ୍ୱର ଜିଲ୍ଲାର ବିକାଶ ଏବେ ତ୍ୱରାନ୍ୱିତ ହୋଇଛି । ଫକୀରମୋହନ ମେଡିକାଲ କଲେଜ ପାଇଁ ୨୬୨କୋଟି ଟଙ୍କା ବ୍ୟୟ ଅଟକଳରେ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସପିଟାଲ ସ୍ଥାପନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଖୁବଶୀଘ୍ର ଏଏନଏମ ଓ ଜିଏନଏମଙ୍କ ତାଲିମ ପାଇଁ ନୂତନ କଲେଜ ବିଲ୍ଡିଂ କାମ ଆରମ୍ଭ ହେବ । ପନ୍ତେଇ ଘାଟ ଠାରେ ପୋଲ ନିର୍ମାଣ ଏବେ ସାକାର ହେବାକୁ ଯାଉଛି । ତାଳସାରୀ-ଉଦୟପୁର ବେଳାଭୂମିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାର ୩୦କୋଟି ଟଙ୍କା ମଞ୍ଜୁର କରିଛନ୍ତି । ତାଳସାରୀ-ଚନ୍ଦନେଶ୍ୱର-ଉଦୟପୁର ରାସ୍ତାରେ ଆଲୋକୀକରଣ ପାଇଁ ୭କୋଟି ଟଙ୍କାର ଷ୍ଟ୍ରିଟ୍ ଲାଇଟ୍ ପ୍ରକଳ୍ପ ଓ ଚନ୍ଦନେଶ୍ୱର ମନ୍ଦିରର ଉନ୍ନତିକରଣ ପାଇଁ ୩କୋଟି ଟଙ୍କା ମଞ୍ଜୁର ହୋଇଥିବା ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଥିଲେ ।
ସେହିପରି ଜିଲ୍ଲାର କୀର୍ତନିଆ, ତାଳସାରୀ, ହଂସକରା ଓ କସାଫଳ ଠାରେ ମତ୍ସ୍ୟ ଅବତରଣ କେନ୍ଦ୍ର ସ୍ଥାପନ କରିବା ପାଇଁ ଆଇ.ଆଇ.ଟି. ପକ୍ଷରୁ ସର୍ଭେ ସରିଛି । ଜିଲ୍ଲାରେ ଗୋଟିଏ ହୋଲସେଲ ମତ୍ସ୍ୟ ବଜାର ଓ ବାଲେଶ୍ୱର ସହରରେ ଗୋଟିଏ ଖୁଚୁରା ମତ୍ସ୍ୟ ବଜାର ସ୍ଥାପନ ସହିତ ମତ୍ସ୍ୟ ଚାଷୀଙ୍କ ସୁବିଧା ପାଇଁ ଜିଲ୍ଲାରେ ୫ଟି ସ୍ୱତନ୍ତ୍ର ବିଦ୍ୟୁତ୍ ଫିଡର ସ୍ଥାପନ କରିବା ପାଇଁ ପଦକ୍ଷେପ ନିଆଯାଇଛି । ୪୫୭କୋଟି ଟଙ୍କା ବ୍ୟୟ ଅଟକଳରେ ଭୋଗରାଇ ବ୍ଲକରେ ୨ଟି ଏବଂ ନୀଳଗିରି ବ୍ଲକରେ ଗୋଟିଏ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମ ଦ୍ରୁତ ଗତିରେ ଚାଲିଛି । ଜିଲ୍ଲାର ରେମୁଣା, ବାଲେଶ୍ୱର ସଦର ଏବଂ ବାଲିଆପାଳ ବ୍ଲକରେ ପାନୀୟ ଜଳଯୋଗାଣ ପାଇଁ ପ୍ରାୟ ୪୧୫କୋଟି ଟଙ୍କା ବ୍ୟୟ ଅଟକଳରେ ଦୁଇଟି ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦିଆଯାଇଛି । ଓଡିଶା ବିତରଣ ପ୍ରଣାଳୀ ସଶକ୍ତିକରଣ ଯୋଜନାରେ ଜିଲ୍ଲାରେ ୨୩ଟି ୩୩/୧୧ ସବଷ୍ଟେସନ ସ୍ଥାପନ ପାଇଁ କାମ ଚାଲିଛି । ଜିଲ୍ଲାରେ ମୋଟ ୧ଲକ୍ଷ ୮୪ହଜାର ୯୩୮ଗୃହ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଥିବା ବେଳେ ୧ଲକ୍ଷ ୩୫ହଜାର ୬୭୫ଗୃହ ନିର୍ମାଣ କାର୍ଯ୍ୟ ସରିଛି । ଜିଲ୍ଲାର ୩୦ହଜାର ୩୭୮ଟି ସ୍ୱୟଂ ସହାୟକ ଗୋଷ୍ଠୀ ରାଜ୍ୟ ସରକାରଙ୍କ ସହାୟତାରେ ନିଜର ସାମାଜିକ ଓ ଅର୍ଥନୈତିକ ଉନ୍ନତି କ୍ଷେତ୍ରରେ ସଫଳତା ଲାଭ କରିପାରିଥିବା ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା କହିଥିଲେ । ବାଲେଶ୍ୱର ପୌରାଂଚଳର ବିକାଶ ସମ୍ପର୍କରେ ଉଲ୍ଲେଖ କରି ମାନ୍ୟବର ମନ୍ତ୍ରୀ କହିଥିଲେ ଯେ ବାଲେଶ୍ୱର ସହରରେ ଦୁଇଟି ଉଡନ୍ତା ପୋଲ ନିର୍ମାଣ କାର୍ଯ୍ୟ ଜାରି ରହିଛି । ବାଲେଶ୍ୱର ପୌରାଂଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୬ଟି ମ୍ୟାଟେରିଆଲ କଲେକ୍ସନ ସେଂଟର ଏବଂ ମ୍ୟାଟେରିଆଲ ରିସାଇକ୍ଲିଂ ଫ୍ୟାସିଲିଟି ପ୍ରକଳ୍ପ ନିର୍ମାଣାଧୀନ ଅଛି । ଭୁଜାଖିଆ ପୀର ପୀଠର ବିକାଶ ପାଇଁ ୧କୋଟି ଟଙ୍କା ମଞ୍ଜୁର ହୋଇଛି । ବସ୍ତି ଉନ୍ନତିକରଣ ପାଇଁ ୧୦୩୪ ଲ୍ୟାଣ୍ଡ ରାଇଟ୍ ସାର୍ଟିଫିକେଟ୍ ଓ ୨୦୫୪ ଲ୍ୟାଣ୍ଡ ଏନଟାଇଟେଲମେଂଟ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ପୌରାଂଚଳର ବିଭିନ୍ନ ବସ୍ତି ଅଂଚଳରେ ୮ଟି “ପରିଚୟ” ଗୃହ ସ୍ଥାପନ କରାଯାଇଛି । ବାଲେଶ୍ୱର ପୌରାଂଚଳର ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାଣି ଯୋଗାଇବା ପାଇଁ ନିର୍ମାଣାଧୀନ ପ୍ରକଳ୍ପ କାମ ଖୁବଶୀଘ୍ର ସରିବ । ବୁଢାବଳଙ୍ଗ ନଦୀ ଉପରେ ପୋଲ ନିର୍ମାଣ ଓ ରିଙ୍ଗ ରୋଡ୍ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ବାଲେଶ୍ୱର ଜିଲ୍ଲାକୁ ରାଜ୍ୟର ପ୍ରଗତି ମାନଚିତ୍ରରେ ଉତ୍କୃଷ୍ଟ ସ୍ଥାନ ଦେବା ସହିତ ପ୍ରଗତିର ନନ୍ଦିଘୋଷକୁ ଆହୁରି ଆଗକୁ ନେଇ ଆମ ରାଜ୍ୟ ଓଡିଶାକୁ ଭାରତର ଏକ ଅଗ୍ରଗଣ୍ୟ ତଥା ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ପ୍ରୟାସ କରିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁଧାଂଶୁ ଶେଖର ମିଶ୍ରଙ୍କ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । କୋଭିଡ୍ କଟକଣା ଲାଗି ପୋଲିସର ଦୁଇଟି କଂଟିଜେଂଟଙ୍କ ସମେତ ପୋଲିସ ବ୍ୟାଣ୍ଡ ଏହି ସମାରୋହରେ ଯୋଗ ଦେଇଥିଲେ । ରିଜର୍ଭ ଇନସପେକ୍ଟର ଶ୍ରୀ ଦିଲ୍ଲୀପ ସାମନ୍ତରାୟ ରାଷ୍ଟ୍ରୀୟ ସାଲ୍ୟୁଟ୍ର ନେତୃତ୍ୱ ନେବା ସହିତ ମୁଖ୍ୟ ଅତିଥିଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ । ତାଙ୍କୁ ସହଯୋଗ କରିଥିଲେ ସେକେଣ୍ଡ-ଇନ-କମାଣ୍ଡ ଶ୍ରୀ ପ୍ରବୀର କୁମାର କହଁର । ଏହି ଜିଲ୍ଲାସ୍ତରୀୟ ସମାରୋହକୁ ଜିଲ୍ଲାର ୨୮ଜଣ କୋଭିଡ ଯୋଦ୍ଧାଙ୍କୁ ଆମନ୍ତ୍ରଣ କରାଯାଇଥିବା ବେଳେ ମାନ୍ୟବର ମନ୍ତ୍ରୀ ପରେଡ୍ ପଡିଆରେ ଯୋଦ୍ଧାମାନଙ୍କୁ ଭେଟି ସେମାନଙ୍କ ସହ ବାର୍ତାଳାପ କରିଥିଲେ । ସେମାନଙ୍କ ନିଃସ୍ୱାର୍ଥପର ସେବା ଓ ଧୈର୍ଯ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନିବେଦିତା ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକ, ପିଡି ଡିଆରଡିଏ ଶ୍ରୀ ରବୀନ୍ଦ୍ର କୁମାର ସାହୁ, ଉପଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ । ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସାଧାରଣତନ୍ତ୍ର ଦିବସ ସମାରୋହରେ କୋଭିଡ ନିୟମାବଳୀ ଓ କଟକଣାର ଅନୁପାଳନ ସହ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ସୀମିତ ସଂଖ୍ୟକ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଥିଲା । ସାଧାରଣତନ୍ତ୍ର ଦିବସ ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ରୋଗୀ କଲ୍ୟାଣ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଂଟନ କରାଯାଇଥିଲା । ବାଲେଶ୍ୱର ପୌରପାଳିକା ତରଫରୁ ଉତ୍କଳ ବାଳାଶ୍ରମରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା । ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ବାଲେଶ୍ୱର ପୌରାଂଚଳରେ ରାମଧୂନ ପରିବେଷଣ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ଶ୍ରୀ ପୁରୁଷୋତମ ସେଠୀ, ରାହୁଲ ସିଂ, ସତ୍ୟସାଗର ମଣ୍ଡଳ, କାର୍ତିକ ଚନ୍ଦ୍ର ବେହେରା ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।


