କୃଷି ଆଇନ ପ୍ରତ୍ୟାହାର ଦାବିରେ ରେଳରୋକ
ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲାର ବିଭିନ୍ନ ରେଳ ଷ୍ଟେଶନରେ କୃଷି ଆଇନ ୨୦୨୦ କୁ ବିରୋଧ କରି ଦିଲ୍ଲୀର ସୀମାଠାରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ତଥା କୃଷକ ମାନଙ୍କ ଉପରେ ସରକାରଙ୍କ ଅତ୍ୟାଚାରକୁ ବିରୋଧ କରି ଓ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଗୁରୁବାର ସମଗ୍ର ଦେଶରେ ଚାଲିଥିବା ରେଳରୋକ ଆନ୍ଦୋଳନର ଅଂଶ ସ୍ୱରୂପ କେନ୍ଦୁଝର ଜିଲାର ବିଭିନ୍ନ ଷ୍ଟେଶନରେ ରେଳରୋକ ଆନ୍ଦୋଳନ ହୋଇଯାଇଛି । ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଚାଲିଥିବା ଏହି ରେଳରୋକ ଆନ୍ଦୋଳନରେ ଅଖିଳ ଭାରତ କୃଷକ ସଭା, ଅଲ୍ ଇଣ୍ଡିଆ ଟ୍ରେଡ ୟୁନିୟନ କଂଗ୍ରେସ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଅଖିଳ ଭାରତ ଛାତ୍ର ସଂଘ, ଅଖିଳ ଭାରତ ଯୁବ ସଂଘର ନେତା ତଥା କର୍ମୀମାନେ ଏହି ଆନ୍ଦୋଳନରେ ସାମିଲ ଥିବା ଦେଖାଯାଇଥିଲା । ବଡବିଲ ଠାରେ ଏଆଇଟିୟୁସି ର ରାଜ୍ୟ ସମ୍ପାଦକ ମହେଶ୍ୱର ରାଉତ, ଜିଲ୍ଲା ସମ୍ପାଦକ ବିଦ୍ୟାଧର ମହାନ୍ତ, ସହ ସମ୍ପାଦକ କପିଳ ପ୍ରସାଦ ମହାନ୍ତି, ହୃଦାନନ୍ଦ ପ୍ରଧାନ ଓ ଜୁରୁଡି ଠାରେ ଶ୍ରମିକ ନେତା କାହ୍ନୁଚରଣ ସାମଲ, ରାଜାରାମ ମୁଣ୍ଡା, ମହମ୍ମଦ ବଦ୍ରୁଜାମା, ଗୋବିନ୍ଦ ସାମଲ, ପ୍ରମୋଦ ଶୁକ୍ଲା ପ୍ରମୁଖଙ୍କ ସମେତ ବହୁ କର୍ମୀ ଏଥିରେ ଅଂଶଗ୍ରହଣ କରିଥିଲେ । ବଡବିଲ ଓ ଜୁରୁଡି ରେଳ ଷ୍ଟେଶନରେ ଆନ୍ଦୋଳନର ପ୍ରଭାବ ପଡିଥିଲା ।