ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ୪୨କୋଟି ଟଙ୍କା ରୁ ଉର୍ଦ୍ଧ୍ୱ ଓଡିଶାବାସୀଙ୍କର ନିଧି ସମର୍ପଣ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ସୁଦୀର୍ଘ ୫୦୦ ବର୍ଷର ସଂଘର୍ଷମୟ କାଳଖଣ୍ଡର ଅବସାନ ଘଟାଇ ଭାରତର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କର ଆଦେଶ କ୍ରମେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପଥ ପରିସ୍କାର ହୋଇଥିଲା । ଏଥିପାଇଁ ଭାରତ ବର୍ଷରେ ସର୍ବତ୍ର ଆନନ୍ଦର ଲହରୀ ଖେଳିଥିଲା । ମନ୍ଦିରର ନିର୍ମାଣ ଓ ସୁପରିଚାଳନା ପାଇଁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କର ନିର୍ଦ୍ଦେଶକ୍ରମେ ଭାରତ ସରକାରଙ୍କ ଦ୍ୱାରା ‘ରାମଜନ୍ମଭୂମି ତୀର୍ଥକ୍ଷେତ୍ର’ ନାମକ ଏକ ନ୍ୟାସ (ଟ୍ରଷ୍ଟ) ମଧ୍ୟ ଗଠିତ ହେଲା । ପୂଜ୍ୟ ସାଧୁସନ୍ଥମାନଙ୍କର ପରାମର୍ଶ କ୍ରମେ ସମଗ୍ର ଭାରତ ବର୍ଷର ପ୍ରତ୍ୟେକ ରାମଭକ୍ତଙ୍କ ଠାରୁ ଅର୍ଥ ସଂଗ୍ରହ କରି ସେହି ଅର୍ଥରେ ହିଁ ମନ୍ଦିର ନିର୍ମାଣ ପାଇଁ ଏକ ବ୍ୟାପକ ଯୋଜନା ନ୍ୟାସ(ଟ୍ରଷ୍ଟ) ଦ୍ୱାରା ପ୍ରସ୍ତୁତ କରାଗଲା । ଫଳତଃ ସମଗ୍ର ଭାରତ ବର୍ଷରେ ପବିତ୍ର ମକର ସଂକ୍ରାନ୍ତି (୧୪-୦୧-୨୦୨୧) ଠାରୁ ପବିତ୍ର ମାଘପୂର୍ଣ୍ଣିମା ପର୍ଯ୍ୟନ୍ତ (୨୭-୦୨-୨୦୨୧) ଏକ ବ୍ୟାପକ ଅର୍ଥ ସଂଗ୍ରହ ଅଭିଯାନର କାର୍ଯ୍ୟ ଚାଲିଲା । ସମଗ୍ର ଭାରତ ବର୍ଷ ସହିତ ଓଡିଶା ପ୍ରଦେଶରେ ମଧ୍ୟ ରାମ ଭକ୍ତିର ପ୍ରବଳ ପ୍ରବାହ ଦେଖିବାକୁ ମିଳିଥିଲା । ଏହି ନିଧି ସଂଗ୍ରହ ଅଭିଯାନର କାର୍ଯ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି,ଓଡିଶା ମାଧ୍ୟମରେ ସମ୍ପନ୍ନ ହୋଇଛି । ଏହି ଅଭିଯାନରେ ମୋଟ ୫୮,୯୯୨ ଜଣ କାର୍ଯ୍ୟକର୍ତା ଭାଗ ନେଇଥିଲେ । ୫୫୩ ଜଣ ପୂଜ୍ୟ ସାଧୁସନ୍ଥ ମଧ୍ୟ ଏହି ନିଧି ସଂଗ୍ରହ ଅଭିଯାନରେ ଯୋଗ ଦେଇଥିଲେ । କାର୍ଯ୍ୟକର୍ତାମାନେ ମୋଟ ୪୩,୭୪୯ଟି ଗ୍ରାମର ୭୪,୯୫,୭୯୯ଟି ପରିବାର ସହ ସମ୍ପର୍କ ସ୍ଥାପନ କରିଥିଲେ । ଓଡିଶାର ଜନସାଧାରଣ ମଧ୍ୟ ଏହି କାର୍ଯ୍ୟରେ ସଂପୂର୍ଣ୍ଣ ସହଯୋଗ କରି ୪୨,୦୩,୦୭,୦୬୬ଟଙ୍କା ପରିମାଣର ଅର୍ଥ ମାଧ୍ୟମରେ ରାମ ମନ୍ଦିର ନିର୍ମାଣ ପାଇଁ ନିଜର ଭକ୍ତି ନୈବଦ୍ୟ ସମର୍ପଣ କରିଛନ୍ତି । ଓଡିଶାବାସୀଙ୍କର ଏଭଳି ଉତ୍ସାହପ୍ରଦ ସହଯୋଗ ପାଇଁ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ତରଫରୁ ସମଗ୍ର ଓଡିଶା ବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଉଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସମିତିର ସମ୍ପାଦକ ପ୍ରାଧ୍ୟାପକ ଶ୍ରୀ ଗୋପାଳ ପ୍ରସାଦ ମହାପାତ୍ର ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସମିତିର ମାର୍ଗଦର୍ଶକ ମଣ୍ଡଳୀ ସଦସ୍ୟ ସ୍ୱାମୀ ଜୀବନ ମୁକ୍ତାନନ୍ଦପୁରୀ, ଉପାଧ୍ୟକ୍ଷ ଶ୍ରୀ ହରିଶ୍ଚନ୍ଦ୍ର ପରିଡା ଓ ସହସଂପାଦକ ମହେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


