ସିଏଜି ରିପୋର୍ଟ : ରାଜ୍ୟରେ ବିଦ୍ୟୁତ ଦର ବଢିବା ପଛରେ ରହିଛି ରାଜ୍ୟ ସରକାରଙ୍କ ବଡ ଦୁର୍ନୀତି : ବିଜେପି
ଘରୋଇ କମ୍ପାନୀଙ୍କୁ ଶାଗ ମାଛ ଦରରେ ସରକାରୀ ଜମି ଯୋଗାଇ ଚାଲିଛନ୍ତି ରାଜ୍ୟ ସରକାର
ଭୁବନେଶ୍ୱର, ୦୫ ଏପ୍ରିଲ – ବିଦ୍ୟୁତ କ୍ଷେତ୍ର ଏବଂ ଜମି ଦୁର୍ନୀତିରେ ରାଜ୍ୟ ରାଜକୋଷରୁ ବ୍ୟାପକ ଅର୍ଥ କ୍ଷତି ହୋଇଛି ବୋଲି ସିଏଜି ରିପୋର୍ଟର୍ରୁ ଜଣାପଡିଛି । ୨୦୧୩-୧୪ରେ ବିଦ୍ୟୁତ ଉତ୍ପାଦନରେ ଏଟି ଆଣ୍ଡ ସି କ୍ଷତି ୩୭ ପ୍ରତିଶତ ଥିବା ଜଣାପଡିଥିଲା, ଯାହା କି ୨୨ ପ୍ରତିଶତରୁ ଅଧିକ ହେବା କଥା ନୁହେଁ ବୋଲି ଓଇଆରସି ସମୀକ୍ଷା କରିଥିଲା । ଏହିକ୍ଷତି ଭରଣା କରିବା ପାଇଁ ଆଗାମୀ ୩ ବର୍ଷ ମଧ୍ୟରେ ୨୬୦୦ କୋଟି ଟଙ୍କାରେ ୫୦୦ ନୂଆ ଟ୍ରାନ୍ସଫରମର ଲଗାଇବା ପାଇଁ ଯୋଜନା ହୋଇଥିଲା । ଏହା ମଧ୍ୟରେ ୮/୯ ବର୍ଷ ବିତିଗଲା ପରେ ବି ରାଜ୍ୟ ସରକାର ମାତ୍ର ୩୫ ପ୍ରତିଶତ କାର୍ଯ୍ୟ ସାରିଛନ୍ତି ବୋଲି ବିଜେପି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଅହେତୁକ ଅନୁକମ୍ପା ଦେଖାଇ ରାଜ୍ୟ ସରକାର ଯୋଗ୍ୟତା ନଥିବା ୫ଟି ସଂସ୍ଥାକୁ ରାଜ୍ୟ ସରକାର ଟ୍ରାନ୍ସଫରମର କିଣିବାକୁ ଅନୁମତି ଦେଇଥିଲେ । ୩୬ଟି ଟ୍ରାନ୍ସଫରମର ଲଗାଇବାର ଯୋଗ୍ୟତା ଥିବାବେଳେ ଗୁପ୍ତା ପାୱାରକୁ ୯୫ ଟି ଟ୍ରାନ୍ସଫରମର ଲଗାଇବା ପାଇଁ ଅନୁମତି ଦିଆଗଲା । ସେହିପରି ଏଲଆଣ୍ଡଟିକୁ ୨୪ଟି ଟ୍ରାନ୍ସଫରମର ଦେବା ବଦଳରେ ୧୨୩ଟି ଟ୍ରାନ୍ସଫରମର ଲଗାଇବା କାର୍ଯ୍ୟ ଦିଆଯାଇଥିଲା । ସମୁଦାୟ ୩୯୯ଟି ଟ୍ରାନ୍ସଫରମରରୁ ମାତ୍ର ୧୦୯ଟି ଟ୍ରାନ୍ସଫରମର ବର୍ତମାନ ସୁଦ୍ଧା ଲଗାଯାଇଛି । ଓପିଟିସିଏଲର ଟ୍ରାନ୍ସଫରମର ଲଗାଇବାର ନିଜର କ୍ଷମତା ଥିବା ସତ୍ୱେ ଘରୋଇ କମ୍ପାନୀକୁ ଲାଭ ଦେବା ପାଇଁ ସୁଯୋଗ ଦିଆଯାଇଛି । ଟ୍ରାନ୍ସଫରମର କିଣାବିକାରେ ୧୭୫ କୋଟି କ୍ଷତି ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ନିର୍ଦ୍ଧାରିତ ସମୟରେ ଟ୍ରାନ୍ସଫରମର ବସାନଗଲେ ସଂପୂକ୍ତ କଂପାନୀ ୧୦୦ କୋଟି ଟଙ୍କା ପେନାଲିଟି ଦେବା କଥା , କିନ୍ତୁ ସେ ଟଙ୍କାକୁ ରାଜ୍ୟ ସରକାର ଛାଡି ଦେଇଛନ୍ତିି । ଓଡିଶା ବିଦ୍ୟୁତ ଉତ୍ପାଦନ କରି ଦିଲ୍ଲୀକୁ ବିକ୍ରି କରୁଛି ଏବଂ ଦିଲ୍ଲୀ ସରକାର ଦିଲ୍ଲୀବାସୀଙ୍କୁ ମାଗଣାରେ ବିଦ୍ୟୁତ ସେବା ଯୋଗାଉଛନ୍ତି । ରାଜ୍ୟ ସରକାର ବିଦ୍ୟୁତ ଉତ୍ପାଦନ କରି ରାଜ୍ୟବାସୀଙ୍କୁ ଚଢା ଦରରେ ବିକ୍ରି କରୁଛନ୍ତି ।
ରାଜ୍ୟ ସରକାର ଘରୋଇ ଶିଳ୍ପ ଅନୁଷ୍ଠାନ ମାନଙ୍କୁ ଖୁଲମଖୁଲା ଜମି ଯୋଗାଇ ଦେଉଛନ୍ତି କିନ୍ତୁ ସରକାରୀ ଯୋଜନା ପାଇଁ ଆବଶ୍ୟକତା ଠାରୁ କମ୍ ଜମି ଦିଆଯାଉଛି । ରାଜ୍ୟ ସରକାର କିକ୍ ବ୍ୟାକ ନେଇ ଘରୋଇ କମ୍ପାନୀ ମାନଙ୍କୁ ଶାଗ ମାଛ ଦରରେ ସରକାରୀ ଜମି ଯୋଗାଇ ଚାଲିଛନ୍ତି । ୨୦୧୫-୧୬ରେ ଜିଏମଆର ଏବଂ ଲ୍ୟାନକୋ କମ୍ପାନୀକୁ ଅହେତୁକ ଅନୁକଂପା ଦେଖାଇ ୨୦୦୭ ମସିହା ଦରରେ ଜମି ବିକ୍ରି କରାଯାଇଛି । ଏହା ଫଳରେ ରାଜ୍ୟ ସରକାରଙ୍କର ୯.୧୩ କୋଟି କ୍ଷତି ହୋଇଛି । ପାୱାର ପ୍ଲାଂଟ ବସାଇବା ପରେ ବି ଷ୍ଟେରଲାଇଟ ଏନର୍ଜି କମ୍ପାନୀକୁ ଇଡକୋ ୧୦୯୭ ଏକର ଜମି କାହିଁକି ଦେଇଛି ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମଳନୀରେ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ ଏବଂ ସୁଦର୍ଶନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


