ଭାରତୀୟ ଦୌଡ଼କୁଦ ଦଳରେ ସ୍ଥାନ ପାଇଛନ୍ତି ଏକମାତ୍ର ଓଡ଼ିଆ ଭାବେ ଧାବିକା ଶ୍ରାବଣୀ ନନ୍ଦ
କଟକ, (ଓ୍ବାଇଏନଏସ): ଜାପାନର ଆଇଚି-ନୋଗୋୟାରେ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଏସୀୟ କ୍ରୀଡ଼ା ଅନୁଷ୍ଠିତ ହେବ। ଏହି କ୍ରୀଡ଼ାରେ ଦୌଡ଼କୁଦରେ ଭାରତରୁ ୭୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏକମାତ୍ର ଓଡ଼ିଆ ଭାବେ ଧାବିକା ଶ୍ରାବଣୀ ନନ୍ଦ ଭାରତୀୟ ଦୌଡ଼କୁଦ ଦଳରେ ସ୍ଥାନ ପାଇଛନ୍ତି। ଶ୍ରାବଣୀ ମହିଳା ୪ଗୁଣା ୧୦୦ ମିଟର ରିଲେ ଦଳରେ ସ୍ଥାନ ପାଇଛନ୍ତି। ଦଳରେ ଶ୍ରାବଣୀଙ୍କ ସହ ତମନ୍ନା,ନିତ୍ୟା ଗାନ୍ଧୀ, ଅଭିନୟା ରାଜରଞ୍ଜନା, ସୁଦେସ୍ନା ସାନୁଭାଲ୍ଲି ରହିଛନ୍ତି। ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ଝାଡଖଣ୍ଡର ଅନିମେଶ କୁଜୁର ୧୦୦ ଓ ୨୦୦ ମିଟର ଦୌଡ଼ ସହ ୪ଗୁଣା ୧୦୦ ମିଟର ରିଲେରେ ଅଂଶଗ୍ରହଣ କରିବେ। ଶ୍ରାବଣୀ ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୪ଗୁଣା ୧୦୦ ମିଟର ରିଲେରେ କାଂସ୍ୟ ପଦକ ଜିତିଥିଲେ। ଏହାଛଡ଼ା ୨୦୧୫ ଉହାନ ଏସୀୟ ଦୌଡ଼କୁଦ ଚମ୍ପିଆନସିପରେ ୨୦୦ ମିଟର ଦୌଡ଼ରେ କାଂସ୍ୟ,୨୦୧୭ରେ ଭୁବନେଶ୍ବରରେ ଆୟୋଜିତ ଏସୀୟ ଦୌଡ଼କୁଦ ଚମ୍ପିଆନସିପେର ୪ଗୁଣା ୧୦୦ମିଟର ରିଲେରେ କାଂସ୍ୟ, ୨୦୨୫ରେ ଗୁମିରେ ଆୟୋଜିତ ଏସୀୟ ଦୌଡ଼କୁଦ ଚମ୍ପିଆନସିପର ୪ଗୁଣା ୧୦୦ମିଟର ରିଲେରେ ରୌପ୍ୟ ପଦକ ଜିତିଥିଲେ। ଏହାଛଡ଼ା ୨୦୧୬ରେ ଦକ୍ଷିଣ ଏସୀୟ କ୍ରୀଡ଼ାର ୨୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ଓ ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିଲେ। ରିଲେରେ ଶ୍ରାବଣୀଙ୍କ ନିକଟରେ ଏସୀୟ ଦୌଡ଼କୁଦ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିବାର ଅଭିଜ୍ଞତା ରହିଛି। ଏସୀୟ କ୍ରୀଡ଼ା-୨୦୨୬ରେ ଶ୍ରାବଣୀ ଭାରତୀୟ ରିଲେ ଦଳ ପକ୍ଷରୁ ପ୍ରତିନିଧିତ୍ବ କରି ପଦକ ଜିତିବାକୁ ଦୃଢ ଆଶାବାଦୀ ରହିଛନ୍ତି।


