ହାଇଦର ଫେରାର୍ ଘଟଣାରେ ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି?

ଭୁବନେଶ୍ୱର, (‌ୱାଇଏନ୍‌ଏସ୍‌): କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବାର ୪ ଦିିନ ବିତିଥିଲେ ବି ଓଡିଶା ପୋଲିସ ତାକୁ ଧରିବାରେ ବିଫଳ ହୋଇଛି । ଏହି ଘଟଣାରେ ବଡ ବଡ ଅଧିକାରୀମାନଙ୍କର ସଂପୃକ୍ତି ଥିବାବେଳେ କେବଳ ୬ ଜଣିଆ ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରାଯିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ରହିଛନ୍ତି ବୋଲି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ଶ୍ରୀ ପ୍ରକାଶ ମିଶ୍ର ପ୍ରଶ୍ନ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଗ୍ୟାଙ୍ଗଷ୍ଟର ହାଇଦର ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ ଥିଲା । ତାଙ୍କୁ ସମ୍ବଲପୁର ଜେଲରେ ରଖି ମଧ୍ୟ ବିଭିନ୍ନ ଆଳ ଦେଖାଇ ବାରମ୍ବାର କଟକ ଅଣାଯାଉଥିଲା । ହାଇଦର ପ୍ରତି ରାଜ୍ୟ ସରକାର କାହିଁକି ସମ୍ବଦେନଶୀଳ ହେଉଥିଲେ? ସେହିପରି କଟକ ବଡ ମେଡିକାଲରେ ହାଇଦରକୁ କିଏ କ୍ୟାବିନ ଯୋଗାଇଥିଲା ଏବଂ ଏତେ ସହଜରେ ତାକୁ କ୍ୟାବିନ କିପରି ମିଳିଲା ? କିଡନୀ ଜନିତ ସମସ୍ୟା ଥିବା ହାଇଦରକୁ କାହା ନିର୍ଦ୍ଦେଶରେ ବିରିୟାନୀ ଦିଆଯାଉଥିଲା ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । କଟକ ବଡ ମେଡିକାଲରୁ ହାଇଦର ଫେରାର୍ ହେବାର ୨/୩ ଘଂଟା ପର୍ଯ୍ୟନ୍ତ କାହାକୁ ଖବର ଦିଆଯାଇନଥିଲା । ଜାଣିଶୁଣି ହାଇଦରକୁ ଖସାଇଦେବାର ଯୋଜନା କରାଯାଇଥିଲା । ଏହି ଷଡଯନ୍ତ୍ରରେ ଜେଲ୍ କର୍ତୁପକ୍ଷ, ମେଡିକାଲ କର୍ତୁପକ୍ଷ ଏବଂ ପୁଲିସର ହାତ ରହିଛି । ଏମାନଙ୍କ ମଧ୍ୟରେ ସମନ୍ୱୟ ରଖିବା ପାଇଁ କିଏ ଜଣେ ବଡ ଅଧିକାରୀ ଏଥିରେ ସାମିଲ ଥାଇପାରନ୍ତି । ହାଇଦର ଏବେ ପଶ୍ଚିମବଙ୍ଗରେ ଲୁଚିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଗୃହ ବିଭାଗର ମୁଖ୍ୟ ଭାବେ ଖୋଦ୍ ମୁଖ୍ୟମନ୍ତ୍ରୀ ଥିବାବେଳେ ଏତେ ବଡ ଘଟଣା ପରେ ବି ମୁଖ୍ୟମନ୍ତ୍ରୀ ଏହି ଘଟଣାର ସମୀକ୍ଷା ନକରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ମୁଖ୍ୟମନ୍ତ୍ରୀଙ୍କ ନାକ ତଳେ ଏଭଳି ଏକ ଘଟଣା ଘଟିବା ଅତ୍ୟନ୍ତ ଉଦବେଗଜନକ ଏବଂ ଚିନ୍ତାର ବିଷୟ । ଏହି ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ନେଇ ରାଜ୍ୟ ସରକାରଙ୍କ ପାଖରେ କୌଣସି ଜବାବ ନାହିଁ । ରାଜ୍ୟ ପୋଲିସର ମୁଖ୍ୟ କାର୍ଯ୍ୟାଳୟ କଟକରେ ଥାଇ ବିଶ୍ୱସ୍ତରୀୟ ହସ୍ପିଟାଲରୁ କୁଖ୍ୟାତ ଅପରାଧି କିପରି ଫେରାର ହୋଇପାରୁଛି ତାହା ରାଜ୍ୟର ଆଇନ କାନୁନ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଟଙ୍କଧର ତ୍ରିପାଠୀ, ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ