ହିଞ୍ଜିଳି ପ୍ରଶାସନର ଅଭିନବ ପ୍ରୟାସ : କୋଭିଡ଼ ନିୟମ ପାଳନ ପାଇଁ ହାତଯୋଡ଼ିଲେ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଗତ କିଛି ଦିନ ହେଲା କରୋନାର ଦ୍ୱିତୀୟ ଲହରୀ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ବିଦେଶରୁ ଆସି ପୂର୍ବ ଭାଇରସ ଠାରୁ ଅଧିକ ଶକ୍ତିଶାଳୀ ଏବଂ ମାରାତ୍ମକ ଭାଇରସ ଆମ ଦେଶରେ ପ୍ରବେଶ କରିସାରିଛି । ମହାରାଷ୍ଟ୍ର, ପଞ୍ଜାବ, କେରଳରେ ଏହି ଭାଇରସ ତାହାର ପ୍ରଭାବ ଦେଖାଇବା ପରେ ଦେଶର ପ୍ରାୟ ସମସ୍ତ ରାଜ୍ୟ ନିଜ ନିଜ ରାଜ୍ୟରେ ସ୍ୱତନ୍ତ୍ର କୋଭିଡ଼ ଗାଇଡ଼ ଲାଇନ ପ୍ରସ୍ତୁତ କରି ଏହାକୁ କଡ଼ାକଡ଼ି ଭାବେ ପାଳନ କରୁଥିବାର ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାର ବହୁ ପ୍ରବାସୀ ବାହାର ରାଜ୍ୟରେ କାର୍ଯ୍ୟ କରୁଥିବାରୁ କରୋନାର ଦ୍ୱିତୀୟ ଲହରୀ ଗଞ୍ଜାମ ଜିଲ୍ଲା ସକାଶେ ବାଧକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି କରାଯିବା ସହ କଡ଼ାକଡ଼ି ଭାବେ ପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଉଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁୂ ଡ଼ାକବାଜି ଯନ୍ତ୍ର ସହାୟତାରେ ସଚେତନ କାର୍ଯ୍ୟକ୍ରମ ଜାରି ରହିଛି । ତଥାପି କିଛି ଅମାନିଆଙ୍କ ଯୋଗୁଁ ସ୍ଥାନୀୟ ଅଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପ୍ରଶାସନ ବିଭିନ୍ନ ସମୟରେ ହିଞ୍ଜିଳି ଗ୍ରସ୍ତରେ ଆସି ସ୍ଥାନୀୟ ଅଂଚଳର ଜନସାଧାରଣଙ୍କୁ ସଚେତନ କରିବା ସହ କୋଭିଡ଼ କଟକଣାକୁ ପାଳନ କରିବା ଏବଂ ମାନି ଚଳିବା ପାଇଁ ପରାମର୍ଶ ଦେଇଥିବା ନଜିର ରହିଛି । ତଥାପି ପ୍ରଶାସନର ପରାମର୍ଶକୁ ଖାତିର ନକରି କିଛି ଅମାନିଆ ବିନା ମାସ୍କରେ ବାହାରେ ବୁଲିବା ସହ ଅକାରଣରେ ବିଭିନ୍ନ ଛକ ସ୍ଥାନରେ ଗହଳି କରି ଗୁଲିଖଟି କରି ସଂକ୍ରମଣ ବଢାଉଥିବା ଦେଖିବାକୁ ମିଳିଛି । ଅମାନିଆଙ୍କୁ ସାବାଡ଼ କରିବା ପାଇଁ ସ୍ଥାନୀୟ ପୁଲିସ, ପୌର ପ୍ରଶାସନ ଆକ୍ସନ ମୁଡ଼ରେ ପଂହଚି ବିନା ମାସ୍କରେ ବାହାରେ ବୁଲୁଥିବା ଓ ସାମାଜିକ ଦୂରତ୍ୱ ରକ୍ଷା କରୁନଥିବା ଓ ପଂଚସୂତ୍ରୀ ନିୟମ ପାଳନ କରୁନଥିବା ବ୍ୟବସାୟିକ ପ୍ରତିଷ୍ଠାନ ମାଲିକ ମାନଙ୍କ ଠାରୁ ଜରିମାନା ଆଦାୟ କରିଥିଲା । ଦିନେ ଦୁଇଦିନ ସର୍ତକତା ଅବଲମ୍ବନ କରିବା ପରେ ଅମାନିଆ ମାନେ ପୁଣି ପୂର୍ବ ସ୍ଥିତିକୁ ଦୋହରାଇବାରେ ଲାଗିଲେ । ମାସ୍କକୁ ମୁହଁରେ ଲଗାଇଥିବା ବେଳେ ନାକ ଓ ମୁହଁରେ ରହିବା ପରିବର୍ତେ ଓଠ ତଳକୁ ରହିଥିବାର ଦେଖିବାକୁ ମିଳିଥିଲା । ବିଭିନ୍ନ ଛକ ସ୍ଥାନରେ ଅଯତାରେ ଭିଡ଼ ଜମାଉଥିବାର ଦେଖିବାକୁ ମିଳିଥିଲା । ପୌର ଅଧିକାରୀ କିମ୍ବା ପୁଲିସକୁ ଦେଖିଲେ ମାସ୍କକୁ ସଠିକ ଢଙ୍ଗରେ ବ୍ୟବହାର କରୁଥିଲେ ପୁଣି ଅଧିକାରୀ ମାନେ ସେହି ସ୍ଥାନ ଛାଡ଼ିବା ପରେ ପୁଣି ଅମାନିଆ ମାନେ ସମାନ ଅବସ୍ଥାକୁ ଫେରୁଥିବାର ଦେଖିବାକୁ ମିଳିଛି । ଅମାନିଆ ମାନଙ୍କୁ ବାଟକୁ ଆଣିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶନିବାର ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଶନିବାର ଅପରାହ୍ନରେ ସ୍ଥାନୀୟ ପୁଲିସ ଓ ପୌର ପ୍ରଶାସନର ମିଳିତ ସହଯୋଗରେ ପୁଲିସ ଓ ପୌର କର୍ମଚାରୀ ମାନେ ହାତରେ କରୋନା ସଚେତନତା ପ୍ଳା-କାର୍ଡ଼ ଧରି ଏବଂ ଡ଼ାକବାଜି ଯନ୍ତ୍ର ସହାୟତାରେ ସ୍ଥାନୀୟ ପୌରାଂଚଳ ବୁଲି ବିନା ମାସ୍କରେ ବାହାରେ ବୁଲୁଥିବା, ସାମାଜିକ ଦୁରତା ରକ୍ଷା କରୁନଥିବା ଲୋକ ଏବଂ ପଂଚସୂତ୍ରୀ ନିୟମ ପାଳନ କରୁନଥିବା ବ୍ୟବସାୟିକ ପ୍ରତିଷ୍ଠାନର ମାଲିକଙ୍କୁ ହାତଯୋଡ଼ି କୋଭିଡ଼ ଗାଇଡ଼ ଲାଇନକୁ ପାଳନ କରିବା ପାଇଁ ଅନୁରୋଧ କରୁଥିବାର ଦେଖିବାକୁ ମିଳିଛି । ଅନୁରୂପ ଭାବେ ବିଭିନ୍ନ ଯାତ୍ରୀବାହୀ ବସରେ ବିନା ମାସ୍କରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ହାତ ଯୋଡ଼ି ବିନା ମାସ୍କରେ ଯାତ୍ରା ନକରିବା ସକାଶେ ଅନୁରୋଧ କରୁଥିବାର ଦେଖିବାକୁ ମିଳିଥିଲା । ଏଭଳି ସ୍ଥିତିରେ ଅମାନିଆ ମାନେ ବାଟକୁ ନଆସିଲେ ପ୍ରଶାସନ ପକ୍ଷରୁ ବାଧ୍ୟ ହୋଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ଥାନା ଏସ.ଆଇ . ବାସୁଦେବ ଭୋଇ, ରାଘବ ପ୍ରଧାନ, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, କନେଷ୍ଟବଳ ବସନ୍ତ ଉପାଧ୍ୟାୟ, ମନୋଜ ଗଉଡ଼, ରମାଶଙ୍କର ସ୍ୱାଇଁ, କେଦାରେ ନାୟକ, ରାମଚନ୍ଦ୍ର ସାହୁ, ଓଏପିଏଫ ଷ୍ଟାପ, ସାନୁ ଦଳାଇ, ପୌର ପରିମଳ ଅଧିକାରୀ ଅଭିଜିତ ପୁରୋହିତ,ମାନସ ରଞ୍ଜନ ଦିଗାଲ, ଛବି ନାରାୟଣ ପଣ୍ଡା, ବିବେକାନନ୍ଦ ପ୍ରଧାନ, ଅରୁଣ ପାଢି, ସୁରେନ୍ଦ୍ର ଗଉଡ଼, ଏ. ମୋହନ ରାଓ ଆଚାରୀ, ସୁବାଷ ପଟ୍ଟନାୟକ, ରବିନ୍ଦ୍ର ନାହାକ, ଲାଲମୋହନ ସେଠି, ଭାସ୍କର ସାହୁଙ୍କ ସମେତ ବହୁ ପୁଲିସ ଓ ପୌର କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ