ଚିଲିକାକୁ ଆସିଲେ ବିଦେଶୀ ପକ୍ଷୀ

ବାଲୁଗାଁ : ମରାଳମାଳିନୀ ନିଳାମ୍ବୁ ଚିଲିକାକୁ ବିଦେଶାଗତ ପକ୍ଷୀମାନଙ୍କ ଆଗମନ ଆରମ୍ଭ ହୋଇଛି । ଚଳିତ ବର୍ଷ ଏଥିରେ ୩ ସପ୍ତାହ ବିଳମ୍ବ ହୋଇଥିଲେ ମଧ୍ୟ ଆଗାମୀ ସପ୍ତାହକ ମଧ୍ୟରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ରାଜ୍ୟରେ ଶୀତ ସମ୍ପୂର୍ଣ୍ଣ ଭାବେ ପଡ଼ିନାହିଁ । ଉପକୂଳ ଓଡ଼ିଶାରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ତଥାପି ଚିଲିକାରେ ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀଙ୍କ ସମାଗମ ଏବେଠାରୁ ଦେଖିବାକୁ ମିଳିଛି । ବିଶେଷକରି ଟାଙ୍ଗୀ ରେଞ୍ଜର ମଙ୍ଗଳାଯୋଡ଼ି, ଚିଲିକା ଅଞ୍ଚଳରେ ପ୍ରିଣ୍ଟେଲ୍‌, ସୋଭ୍ଲର ଏବଂ ଗଡୱାଲ ଆଦି ବିଦେଶାଗତ ପକ୍ଷୀମାନେ ଖାଦ୍ୟ ଅନ୍ୱେଷଣରେ ବୁଲୁଥିବାବେଳେ ସବୁଠାରୁ ସୁନ୍ଦର ଓ ଆକର୍ଷଣୀୟ ପକ୍ଷୀ ଫ୍ଲେମିଙ୍ଗୋ ବି ଚିଲିକା ଆକାଶରେ ଇଂରାଜୀ ଅକ୍ଷର “ଭି’ ଭଳି ଉଡୁଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ବର୍ଷ ନଭେମ୍ବର ମାସଠାରୁ ଫେବ୍ରୁଆରି ପର୍ଯ୍ୟନ୍ତ ଏହି ବିଦେଶାଗତ ପକ୍ଷୀମାନେ ଚିଲିକାକୁ ନିଜର ବାସସ୍ଥାନ ରୂପେ ବାଛି ନେଇ ଥାଆନ୍ତି । ସୂଚନା ଅନୁଯାୟୀ ୨୦୧୮-୧୯ ବର୍ଷରେ ଚିଲିକାରେ ୧୦,୪୭,୯୬୮ ବିଦେଶ ପକ୍ଷୀଙ୍କ ସମାଗମ ହୋଇଥିବାବେଳେ ପକ୍ଷୀ ଅଭୟାରଣ୍ୟ ନଳବଣକୁ ୩,୯୩,୫୪୧ଟି ପକ୍ଷୀ ଆସିଥିଲେ । ଚଳିତ ବର୍ଷ ଆଜି ସୁଦ୍ଧା ଚିଲିକାକୁ ପ୍ରାୟ ୧୦ ହଜାର ବିଦେଶୀ ପକ୍ଷୀ ଆସିଛନ୍ତି । ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ଚିଲିକା ଅନ୍ତର୍ଗତ ବାଲୁଗାଁ, ଚିଲିକା, ଟାଙ୍ଗୀ, ରମ୍ଭା ଏବଂ ସାତପଡ଼ା ରେଞ୍ଜରେ ୧୫ଟି କ୍ୟାମ୍ପରେ ପକ୍ଷୀ ସୁରକ୍ଷା ନିମନ୍ତେ ୨୦ଟି ସ୍କ୍ୱାଡ୍ ଗଠନ କରାଯାଇଥିବା ବେଳେ ସ୍ପେସିଆଲ ସ୍କ୍ୱାଡରେ ଏପିଆର୍ ଫୋର୍ସ ମୁତୟନ କରାଯାଇ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ପ୍ରତ୍ୟେକ ରେଞ୍ଜର କର୍ମଚାରୀମାନଙ୍କୁ ଏହି ଚାରିମାସ ପାଇଁ ଛୁଟି ବାତିଲ୍ କରାଯାଇଥିବା ବେଳେ ପକ୍ଷୀମାନଙ୍କର ଗତିବିଧି ଉପରେ ଦୃଷ୍ଟି ଦେବା ପାଇଁ ବିଭାଗୀୟ ଡିଏଫ୍‌ଓ ନିର୍ଦ୍ଦେଶ ଦେଇଛନ୍ତି । ସମଗ୍ର ଚିଲିକାରେ ଗୁରୁବାର ସୁଦ୍ଧା ୧୦ହଜାରରୁ ଊଦ୍ଧ୍ୱର୍ ବିଦେଶାଗତ ପକ୍ଷୀ ସମାଗମ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ଶୀତଦିନେ ପକ୍ଷୀସଂଖ୍ୟା ବୃଦ୍ଧି ହେବ ବୋଲି ଡିଏଫ୍‌ଓ ସମ୍ରାଟ ଗଉଡ଼ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ