ଲୋକଗୀତରେ ଆଧ୍ୟାତ୍ମିକ ଚେତନା
ଓଡିଶାର ଲୋକଗୀତରେ ଆଧ୍ୟାତ୍ମିକ ଚେତନା ଭରି ରହିଛି, ଏହାକୁ ଅସ୍ୱୀକାର କରାଯାଇ ନପାରେ । ଓଡିଆ ଜାତିର ଜୀବନ ଜିଜ୍ଞାସାର ସ୍ୱରଲିପି ହେଉଛି ଲୋକଗୀତ । ଆମ ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି, ଆମର ଏ ମାଟି ହେଉଛି ପବିତ୍ର ମାଟି । ଲୋକଗୀତରେ ଆଧ୍ୟାତ୍ମିକ ଚେତନା କହିଲେ ପ୍ରଥମେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦିବ୍ୟ ରୂପ ଦର୍ଶନ ଓ ଚେତନା ମନ ଭିତରକୁ ଆସେ । ଜଗତର ନାଥ ଶ୍ରୀ ଶ୍ରୀ ଜଗନ୍ନାଥଙ୍କୁ ଛାଡି ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଲୋକଗୀତ ବାସ୍ତବତାର ସଂପୂର୍ଣ୍ଣ ଚିତ୍ର ଆଙ୍କିବା ଅସମ୍ଭବ । ଭାଷା ଯେପରି ଯେକୌଣସି ଜାତିର ସାହିତ୍ୟ ଓ ସଂସ୍କୃତିର ରକ୍ଷକ, ସେହିପରି ମାନବଜାତି ଭାଷା ମାଧ୍ୟମରେ ତାର ଆକାଂକ୍ଷା, ଆଶା, ଅନ୍ତରର ଭାବନା, ସ୍ମୃତି ଓ ଅନୁଭୂତିକୁ ଅନ୍ୟ ସମ୍ମୁଖରେ ପ୍ରକାଶ କରିବାକୁ ସମର୍ଥ ହୋଇଥାଏ, ଠିକ୍ ସେହିପରି ଲୋକଗୀତରେ ଆଧ୍ୟାତ୍ମିକ ଚେତନା, ଆମ ସଂସ୍କୃତି, ଜଗନ୍ନାଥ ଧର୍ମ ଓ ଦର୍ଶନର ସାରନିର୍ଯ୍ୟାସକୁ ନେଇ ସମଗ୍ର ବିଶ୍ୱକୁ ମାନବବୋଧତାର ଚିରନ୍ତନ ଭାଷା ଶୁଣାଇ ଆସୁଛି ।
ଜନ ସମାଜର ଲୋକ ଶ୍ରୁତିରେ ଆଧ୍ୟାତ୍ମିକ ଭାବନା ସମ୍ପର୍କିତ ଅନେକ ଗଦ୍ୟ ଓ ପଦ୍ୟ ରଚନାବଳୀମାନ ରହିଛି । ଲିଖିତ ସାହିତ୍ୟ ପୂର୍ବରୁ ଲୋକମାନଙ୍କ ମୁଁହରେ ଲୋକଗୀତ ପ୍ରଚଳିତ ଥିଲା । ଏଥିରେ ସାମାଜିକ ଚିତ୍ର, ଧର୍ମ, ସଂସ୍କୃତି, ପର୍ବପର୍ବାଣୀକୁ ନେଇ ଅସଂଖ୍ୟ କ୍ଷୁଦ୍ର ଗୀତିକା ରହିଛି । ପରବର୍ତ୍ତୀ ସମୟରେ ଏଗୁଡିକ ଓଡିଆ ଭାଷାରେ ରଚିତ ହୋଇ ସାହିତ୍ୟରେ ସ୍ଥାନ ପାଇଲା ।
ଲୋକଗୀତରେ ଆଧ୍ୟାତ୍ମିକ ଅର୍ଥ ଲୋକଚେତନାରେ ଥିବା ଆତ୍ମା ଓ ପରମାତ୍ମା ସମ୍ପର୍କୀୟ ଅନେକ ଗୀତିକା ରହିଛି । ବିଶେଷ ଭାବରେ ଉତ୍କଳ ପ୍ରଦେଶର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ଚେତନାମକୁ ନେଇ ବହୁ ରଚନାବଳୀ ରହିଛି ।
ଓଡିଆ ଜାତି ଗୋଟିଏ ଧର୍ମପ୍ରାଣ ଜାତି । ବହୁ ଦେବାଦେବୀଙ୍କର ଆରାଧନା ଓଡିଆ ସମାଜରେ ରହିଥିବାରୁ ତାକୁ ନେଇ ଅନେକ ଗୀତ-ଗୀତିକା ସାଧଗୁସନ୍ଥମାନେ ଲୋକମୁଖରେ ପ୍ରଚାର କରାଇଯାଇଥିଲେ । ବିଶେଷ କରି ଶୁଦ୍ରମୁନୀ ସାରଳା ଦାସ, ବଳରାମ ଦାସ, ସନ୍ଥ ଭୀମଭୋଇ, ଜଗନ୍ନାଥ ଦାସ, ଅନନ୍ତ, ଅଚ୍ୟୁତ, ଯଶୋବନ୍ତ ପ୍ରମୁଖ ମହାପୁରୁଷମାନଙ୍କର ରଚନାରେ ଆଧ୍ୟାତ୍ମିକ ଚେତନା ରହିଅଛି । ଓଡିଶାର ପୁରପଲ୍ଲୀରେ ବୟୋଜ୍ୟେଷ୍ଠମାନଙ୍କ ମୁଖରେ ଏହି ଆଧ୍ୟାତ୍ମିକ ଚେତନାର ସ୍ୱର ଗୁଞ୍ଜରିତ ହୋଇଥାଏ ।
ପ୍ରତିଟି ଓଡିଆର ଆତ୍ମାରେ ତାର ପ୍ରିୟ ଦେବତା ଶ୍ରୀ ଜଗନ୍ନାଥଙ୍କ ପ୍ରତିଛବି ପ୍ରତିଫଳିତ ହୋଇଥାଏ । ସେହି ମହାବାହୁଙ୍କୁ କେନ୍ଦ୍ର କରି ମୁଖରିତ ଆମର ସାହିତ୍ୟ, କିମ୍ବଦନ୍ତୀ, ଲୋକକଥା ଓ ଲୋକଗୀତ । ଲୋକଗୀତରେ ଶ୍ରୀ ଜଗନନାଥଙ୍କ ମହିମା ଆଷାଢ ମାସରେ ସର୍ବଜନବିଦିତ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ବର୍ଣ୍ଣନା ଲୋକଗୀତରେ ଅତି ଚମତ୍କାର ଭାବେ ବର୍ଣ୍ଣିତ । କୃଷି କ୍ଷେତ୍ରରେ ଚଷାର ମୁଖରୁ ଭାସି ଆସେ ଜଗତ୍ବନ୍ଧୁଙ୍କର ଲୀଳା ଲୋକଗୀତ ମାଧ୍ୟମରେ । ସେହିପରି ରଥ ଉପରେ ଜଗତର ନାଥଙ୍କୁ ଦର୍ଶନ କରିବାକୁ ଭକ୍ତର ବ୍ୟାକୁଳତାକୁ ନେଇ ଅତି ଚମତ୍କାର ଲୋକଗୀତମାନ ରଚିତ ହୋଇଛି ।
ଆଷାଢ ମାସରେ ଆଷାଢିଆ କୋଳି, ରଥେ ବିଜେ କଲେ ବଳିବାମନ ମଞ୍ଚରେ ହୁଳହୁଳି ।୧ା
ଠିକ୍ ଏହିପରି ଅନ୍ୟ ଏକ ଲୋକଗୀତରେ ବର୍ଣ୍ଣିତ । ନଡିଆ ଭାଙ୍ଗିଲି ପଡିଆରେ, ହୃଦ ଛଳଛଳ ବାହାରେ ମନ,
କେମିତି ଦେଖିବି କାଳିଆରେ ।
ରଜ ପର୍ବ ହେଉଛି ଓଡିଆମାନଙ୍କର ସାମାଜିକ ପାରମ୍ପରିକ ପର୍ବ । ଦୋଳି ଗୀତରେ ଶ୍ରୀଜଗନ୍ନାଥ ସଂସ୍କୃତିର ବୈଚିତ୍ର୍ୟମୟ ରୂପ ମଧ୍ୟ ସ୍ଥାନ ପାଇଥାଏ ।
କାଟିଲି କୁଟିଲି ବିଡଙ୍ଗ ଶାଗ ଲୋ, ମନ୍ତୁରେଇ ନେଇ ଜାଳ ।୧ା ଗତ ଗୁଣ୍ଡିଚାକୁ ବରଷେ ହେଲା ଲୋ, ଯାଇ ନାହିଁ ବାପ ଘର ।୨ା
ଆହୁରି ମଧ୍ୟ ଲୋକ ଗୀତରେ ଉଲ୍ଲେଖ ଅଛି –
ରଥରେ ଲାଗିଲା ରଥ ଦଉଡି, ମୋ ଠାରେ ଲାଗିଲା ଯମ ଦଉଡି ହେ ବାପା ।୧ା
ରଥ ଦଉଡି ତ ବାହୁଡା ଯାକେ, ଯମ ଦଉଡି ତ ମରିବା ଯାକେ ହେ ବାପା ।୨ା
ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା, ଚନ୍ଦନଯାତ୍ରା, ସ୍ନାନଯାତ୍ରା, ଦୋଳଯାତ୍ରା ଓ ଅନ୍ୟାନ୍ୟ ଉତ୍ସବ ସାଧାରଣ ଜନଜୀବନ ସହିତ ଓତଃପ୍ରୋତ ଭାବରେ ଜଡିତ । ଚନ୍ଦନ ଯାତରେ ପ୍ରଭୁଙ୍କ ଚାପଖେଳର ମନୋରମ ଦୃଶ୍ୟକୁ ନେଇ କବି ତାଙ୍କ ସାରସ୍ୱତ ସୃଷ୍ଟିରେ ଉଲ୍ଲେଖ କରିଛନ୍ତି ।
ଏପରା ଚନ୍ଦନ ଯାତ ଗୋ ମିତ, ନନ୍ଦ ନନ୍ଦନଙ୍କ ବିଧି ମତ ।୧ା
ଶତ ଶତ ବାଳୀ ଘେନି ବନମାଳି, ବିହରୁଛନ୍ତି କାଳନ୍ଦୀ ସ୍ରୋତ ।୨ା
ଶ୍ରୀ କ୍ଷେତ୍ରକୁ ରଥଯାତ୍ରା ଦେଖିବା ପାଇଁ ବିରହଣୀ ଗୋପଙ୍ଗନାମାନେ ଇଚ୍ଛା ପ୍ରକଟ କରି ମଧ୍ୟ ବର୍ଷାକାଳ ଯୋଗୁଁ ଭରସା କରିପାରି ନାହାନ୍ତି । ତେଣୁ ଜଗନ୍ନାଥଙ୍କୁ ଚିଟାଉ ଲେଖିଛନ୍ତି । ପୁଣି ଥରେ ଗୋପପୁରକୁ ଫେରି ଆସିବା ପାଇଁ । ଆରତ ଦାଶ ତାଙ୍କ ଗୀତ କବିତାରେ ବର୍ଣ୍ଣନା କରିଛନ୍ତି-
ଆସ ସଙ୍ଗୀତ, ଗୁଣ୍ଡିଚା ଯାତ, ଦେଖିଯିବା ପରା ସହି ଗୋ ।୧ା
ବରଷା ଦେଖି ଭରସା ପାଉନି, ସହ ଯେ ଆଷାଢ ମାସ ଗୋ ।୨ା
ଭକ୍ତଙ୍କ ଗହଣରେ ପ୍ରଭୁ ଦୋଳବେଦୀରେ ବିଜେକରି ଦର୍ଶନ ଦିଅନ୍ତି । ସେହି ଅନୁପମ ଦୃଶ୍ୟକୁ ଦେଖି ଭକ୍ତି ଚିତ୍ତରେ ଭକ୍ତ ରଘୁ ଅରକ୍ଷିତ ଗାଇଛନ୍ତି –
ପୁଷ୍ପ ଘେନି ଯିବା ଗୋ ସଜନୀ ଦେଖିବା ଚାଚେରୀ, ରାଧାକୃଷ୍ଣ ଦୋଳି ଖେଳୁଛନ୍ତି ଉଡଇ କର୍ପୁର ଦୋଳି ଗୋ ।୧ା
ବଣର ମଲ୍ଲୀ ମାଳତୀ ବିବିଧ କୁସୁମେ ଗଭା, ଦକ୍ଷିଣ ମୂରତି ଯଦୁପତି ଦୋଳ ମଣ୍ଡପରେ ଉଭା ଗୋ ।୨ା
ଭକ୍ତଙ୍କୁ ଦର୍ଶନ ଦେବା ଲାଗି ପ୍ରଭୁ ଶ୍ରୀ ଜଗନ୍ନାଥ ନନ୍ଦୀଘୋଷ ରଥରେ ବିଜେ କରିଛନ୍ତି । ପ୍ରଚଣ୍ଡ ରୌଦ୍ରତାପରେ ଶ୍ରୀ ଅଙ୍ଗରୁ ଝାଳ ବୋହି ପଡୁଛି । ଭକ୍ତ କବି ସାଲବେଗ ଅତି ମାର୍ମିକ ଭାବରେ ବର୍ଣ୍ଣନା କରିଛନ୍ତି –
କାଳିଆ କାଳିଆ ତ୍ରିପଣ୍ଡ କାଳିଆ ପିନ୍ଧିଛି ଝୀନପତନୀ, କାଳିଆ ଅଙ୍ଗରୁ ବହେ ଶ୍ରମ ଝାଳ କାଳିନ୍ଦୀ ନଦିର ପାଣି ।୧ା
ନନ୍ଦିଘୋଷ ରଥେ ବସିଛି କାଳିଆ ଜଗତ ମୋହିବା ପାଇଁ, ହରି ହରିବୋଲ ଶବଦ ଶୁଭୁଛି ମନରେ ଆନନ୍ଦ ହୋଇ ।୨ା
କବି ଗଙ୍ଗାଧର ମେହେର ସେହି ସାର୍ବଭୌମ ବିରାଟ ସତ୍ତା ନିକଟରେ ମୁଁ କାର ର ମୂଲ୍ୟ କଣ ? ତେଣୁ ଅତିବିନୟରେ ମହାବାହୁଙ୍କ ନିକଟରେ କବିଙ୍କର ପ୍ରାର୍ଥନା ତାଙ୍କଠାରୁ ସେଇ ମୁଁ କାର ଟିକକ ନେଇଯିବାକୁ –
ମୁଁ କାର ମାତର, ମୋର ନୁହେଁ ବୋଲି କହିବାକୁ ନାହିଁ ବାଟ, ଦୂରୁ ଶ୍ରୀଚରଣେ ଅର୍ପଣ କରୁଛି ଘେନ ତା ବିଶ୍ୱ ସମ୍ରାଟ ।୧ା
ପୁଣି କବି ଗଙ୍ଗାଧର ମେହେରଙ୍କର ଭକ୍ତି ରଚନାବଳୀ ହେଉଛି କବିଙ୍କର ଅତ୍ୟନ୍ତ ପ୍ରଭାବଶାଳୀ ସୃଷ୍ଟି ।
ସେଥିରେ ସେ ଉଲ୍ଲେଖ କରିଛନ୍ତି-
ବିଶ୍ୱ ଜୀବନ ହେ ତୁମ୍ଭକୁ କରୁଣା ସିନ୍ଧୁ, ସିନ୍ଧୁ ବୋଲିବାକୁ ବଳୁନାହିଁ ମନ ସିନ୍ଧୁ ତୁମ୍ଭ କୃପାସିନ୍ଧୁ ।
ତାଙ୍କର ସୃଷ୍ଟି ସମ୍ଭାରରେ କବି ଆହୁରି ଉଲ୍ଲେଖ କରିଛନ୍ତି ।
ଧରମ ମଙ୍ଗଳମୟ ଧର୍ମେ ସଦା ଜୟ, ସବୁକାଳେ ସବୁବେଳେ ଧାର୍ମିକ ନିର୍ଭୟ ।୧ା
ଏ ସଂସାର ଜଳଧିକୁ ହେବା ପାଇଁ ପାର, ଧର୍ମ ସିନ୍ଧୁ ଯାନ ତହିଁ ବିଭୁ କର୍ଣ୍ଣଧାର ।୨ା
ଗଣକବି ବୈଷ୍ଣବ ପାଣି ତାଙ୍କର ଆକୁଳ ହୃଦୟରେ ଜଗନ୍ନାଥଙ୍କୁ ସ୍ମରଣ କରି ଲୋକଗୀତରେ ବର୍ଣ୍ଣନା କରିଛନ୍ତି ।
ବିପଦ ଭଞ୍ଜନ ହରି, ବିପଦ ଡରଇ ତୋତେ, ତୋ ପଦ ପଙ୍କଜ ରଜ, ସମ୍ପଦ ମୋ ସଦା ଚିତ୍ତେ ।୧ା
କବି ଗଣକବି ଆହୁରି ଗାଇଛନ୍ତି –
କାଳେ କାଳେ ମୁହିଁ ତୋର ଅଟଇହେ ପରିଚାର, ଯୋଗୀଙ୍କ ହୃଦୟ ଆଳ-ମାଳ ଅଟୁତୁ ଜଗତେ ।୧ା
ସେହିପରି କବିଙ୍କର ସ୍ମୃତିପଟ୍ଟରେ କ୍ଷିପ୍ରମନକୁ ବୁଝାଇବାକୁ ବିବେକ ସଦା ଆହ୍ୱାନ କରୁଥାଏ । ବାଇଆ ମନକୁ ବୁଝାଇବାକୁ ବିବେକ କହେ ଅଜ୍ଞ ବ୍ୟକ୍ତି ପାଇଁ ଗୋଟିଏ କାରଖାନା ଯେପରି ଏକ ଚମକପ୍ରଦ ଜିନିଷ । ସମଗ୍ର ଜଗତ ପାଇଁ ହରିଙ୍କର ଏହି ବିରାଟ କାରଖାନା ଏକ ବିସ୍ମୟ ।
ଏ ଜଗତଟା ଯାକ ଦେଖରେ, ହରିକାରଖାନା ବୋଲି ଲେଖ, ଗୋଟିଏ ଯାଗାରେ କଳ ଆଣ୍ଟୁଅଛି ସ ହେି ଜଣେ ଏକା ଲୋକ ।୧ା
ଜଣେ କି ବୁଣନ୍ତା ତନ୍ତରେ – ଲଗାଇ କ୍ଷେଣେ କୋଟି କୋଟି ବାସ, ଟିପି ଦେଲା ମାତ୍ରେ ଟପି ଯାଉଅଛି ଲମ୍ବରେ ସହସ୍ରେ କ୍ରୋଶରେ ।୨ା
ସନ୍ଥ ଭୀମଭୋଇ ତାଙ୍କ ଦିବ୍ୟ ସୃଷ୍ଟି “ସ୍ମୃତି ଚିନ୍ତାମଣି”ରେ ଉଲ୍ଲେଖ କରିଛନ୍ତି –
ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କିବା ସହୁ ।୧ା
ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ ।୨ା
ମହାପୁରୁଷ ସନ୍ଥ ଭୀମଭୋଇ ସବୁବ ଦୋଷ ଅପରାଧ ତାଙ୍କର ଆରାଧ୍ୟ ମହାପ୍ରଭୁ ମହିମା ସ୍ୱାମୀଙ୍କ ଉପରେ ଲଦି ଦେଇଛନ୍ତି ।
ସବୁରି ଅଘଟଣ ପାଇଁ ପ୍ରଭୁଙ୍କୁ ଦାୟୀକରି ସେ ଗାଇଛନ୍ତି ।
ମହାପ୍ରଭୁ ହୋଇ କର୍ତ୍ତାପଦ ବହି, ସକଳ ହେଉଛି ବୃଥା ।୧ା
ପିଣ୍ଡ ଦେଇ ପ୍ରଭୁ ମଣ୍ଡ ନଦେଉଛ, ଏ ପୁଣି କେବଣ କଥା ।୨ା
ଭୀମଭୋଇଙ୍କର ଏହି ଲୋକଗୀତ ପୁରପଲ୍ଲୀରେ ସବୁରୀ କଣ୍ଠରେ ସଦା ସ୍ୱର ଝଙ୍କୃତ । ସେହିପରି ମହାପୁରୁଷ ସାରଳା ଦାସ ପ୍ରାଣୀଙ୍କୁ ତାର କର୍ମଫଳ କିପରି ଭୋଗ କରିବାକୁ ପଡେ ତାହା ସେ ଉଲ୍ଲେଖ କରି ବର୍ଣ୍ଣନା କରିଛନ୍ତି ।
ମାଗୋ ସକଳ ପ୍ରାଣୀଙ୍କି କଲେ ଭଲ କର୍ମ, ଶିରୀ ଆୟୁଷ ବର୍ଦ୍ଧିତ ହୁଏ ହାତେ ଧର୍ମ ।୧ା
ଧର୍ମ ଲଂଘିବା ପାଇଁ କି ଅଟେ ଯେଉଁ ପ୍ରାଣୀ, ଆୟୁକ୍ଷୟ ଯାଏ ତାର ଶିରୀ ହୁଏ ହାନୀ ।୨ା
ଜଗନ୍ନାଥ ସଂସ୍କୃତି କିପରି ମାନବିକତାର ମହାମନ୍ତ୍ରରେ ଅଭିମନ୍ତ୍ରୀତ ତାହା ବାଞ୍ଛାନିଧି ଦାସଙ୍କ ରଚନାବଳୀରେ ପ୍ରତୋଫଳିତ ।
ବ୍ରାହ୍ମଣ ଚାଣ୍ଡାଳ ଭେଦ ବିନାଶନ, ସାମ୍ୟ ମୈତ୍ରୀ ଛତିଧରା ।୧ା
ଯୁଗେ ଯୁଗେ ଯାର ଶ୍ରୀକ୍ଷେତ୍ର ମହତ୍ତ୍ୱ, ଧରା ମାଣିକ୍ୟ ପସରାରେ ।୨ା
ଦ୍ୱିଜ ପ୍ରସାରୀ ହାତ, ଖାଏ ଚଣ୍ଡାଳ ହାତରୁ ଭାତ ଲୋ ।୩ା
ସାଂପ୍ରତିକ ସ୍ଥିତିରେ ମନିଷ ମନର ଦୁଃଖ ଓ ନୈରାଶ୍ୟକୁ ଅନୁଭବ କାନ୍ତକବି ଲକ୍ଷ୍ମୀକାନ୍ତ ଜଗନ୍ନାଥଙ୍କଠାରେ ନିଜକୁ ସମର୍ପି ଦେଇ ଗାଇଛନ୍ତି ।
ସମର୍ପୀ ତୋହରିଠାରେ ମୋର ଯାହା କିଛି, ସର୍ବହରା ନାମ ଆପେ ବାଛି ମୁଁ ନେଇ ।୧ା
ପ୍ରଭୁ ହେ ସେହି ଆଣ୍ଟଧରି, ସକଳ ସନ୍ତାପ ଯାକ ଦେଇଛି ପାଶୋରି ।୨ା
ସାଂପ୍ରତିକ ସ୍ଥିତିରେ ଲୋକଗୀତରେ ଆଧ୍ୟାତ୍ମିକ ଚେତନାର ଅନ୍ତଃସ୍ୱର ମଣିଷର ଚିନ୍ତା ଓ ଚେତନାରେ ପ୍ରତିଫଳିତ ହୋଇପାରିଲେ ତାହା ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବ ।
ହଳଧର ଧୀର
ବରିଷ୍ଠ ସାମ୍ବାଦିକ
ଭୁବନେଶ୍ୱର
ଓଡିଆ ଲୋକଗୀତର ଅସ୍ମିତା ଅନନ୍ୟ। ଏହାର ଅନବଦ୍ୟ ଚେତନୋଦୀପ୍ତ ପରିପ୍ରକାଶ ହେବା ଆବଶ୍ୟକ।
thank you