କରୋନା ଯୋଗୁଁ ବାଲେଶ୍ୱରରେ ନିରାଡ଼ମ୍ବର ଗଣେଶ ପୂଜା

ବାଲେଶ୍ୱର, (ସରୋଜ ପଣ୍ଡା):କୋଭିଡ କଟକଣା ମଧ୍ୟରେ ସହର ସମେତ ସମଗ୍ର ବାଲେଶ୍ୱର ଜିଲାରେ ଶ୍ରଦ୍ଧା ଓ ଭକ୍ତିର ସହ ଅଗ୍ରପୂଜ୍ୟ ଆଦ୍ୟଦେବ ପ୍ରଭୁ ଲମ୍ବୋଦରଙ୍କ ପୂଜାର୍ଚ୍ଚନା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ସ୍ୱତନ୍ତ୍ର ନିର୍ଦ୍ଦେଶନାମା ତଥା ମାର୍ଗଦର୍ଶିକା ଅନୁଯାୟୀ ଜିଲାବାସୀ ସାମୂହିକ ପୂଜା ଓ ମିଳିତ କାର୍ଯ୍ୟକ୍ରମରୁ ନିବୃତ ରହିଥିବା ପରିଲକ୍ଷିତ ହୋଇଛି । ପ୍ରଶାସନର ନିଦ୍ଦେର୍ଶାନୁସାରେ କୌଣସି ସ୍ଥାନରେ ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ କରାଯାଇ ନଥିବା ଦେଖିବାକୁ ମିଳିଛି । ସେହିପରି ଡାକବାଜି ଯନ୍ତ୍ର ବ୍ୟବହାର ମଧ୍ୟ ହୋଇନାହିଁ । ପ୍ରତ୍ୟେକ ପୂଜା ମଣ୍ଡପରେ ପୂଜକ, କର୍ତ୍ତାଙ୍କୁ ମିଶାଇ ୭ଜଣରୁ କମ ବ୍ୟକ୍ତି ଉପସ୍ଥିତ ରହି ପୂଜାର୍ଚ୍ଚନା କରିଛନ୍ତି । ସେହିପରି ଶିକ୍ଷାନୁଷ୍ଠାନଗୁଡିକରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ କାଁଭାଁ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ କେବଳ ବିଧିରକ୍ଷା ପୂର୍ବକ ପୂଜା କରାଯାଇଛି । ଅନ୍ୟପକ୍ଷରେ ଘର ପରିବାର ମଧ୍ୟରେ ସମସ୍ତେ ଗଣପତିଙ୍କୁ ଉପାସନା କରିଛନ୍ତି । ତେବେ ୩୦ରୁ ଊର୍ଦ୍ଧ୍ୱ ଆକର୍ଷଣୀୟ ସାର୍ବଜନୀନ ଗଣେଶଙ୍କ ମେଢ଼ ସ୍ଥାପନ ସମସ୍ତଙ୍କ ପାଇଁ ଆକର୍ଷଣର ବଳୟ ସୃଷ୍ଟି କରିଥିବା ବାଲେଶ୍ୱର ସହରର ବିବେକାନନ୍ଦ ମାର୍ଗ ସମ୍ପୂର୍ଣ୍ଣ ଖାଁ ଖାଁ ଲୁଗଛି । ପ୍ରଶାସନର ନିୟମ ମାନି ହାତଗଣତି ୨/୪ଟା କ୍ଲବର ସଦସ୍ୟମାନେ ମଣ୍ଡପ ପୂଜା ଆୟୋଜନ କରିଥିବା ଦେଖିବାକୁ ମିଳିଛି । ସେହିଭଳି ବାଲେଶ୍ୱରର ସର୍ବୋଚ୍ଚ ତୋରଣ ସାଙ୍ଗକୁ ବଡ଼ ଗଣେଶ ମୂର୍ତ୍ତି ପୂଜା କରାଯାଉଥିବା ଫକୀର ମୋହନ ଗୋଲେଇର ଲରି କ୍ଲବ ବି କୋଭିଡ ନିୟମ ମାନି ଚଳିତ ବର୍ଷର ପୂଜା ବିଧିରକ୍ଷାରେ କରିଛି । ପ୍ରଶାସନର ମାର୍ଗଦର୍ଶିକା ଅନୁସାରେ ଆସନ୍ତା ୧୨ ତାରିଖ ସକାଳ ୯ଟାରୁ ଅପରାହ୍ନ ୫ଘଟିକା ମଧ୍ୟରେ ମୂର୍ତ୍ତି ବିସର୍ଜନ ସମ୍ପନ୍ନ ହେବ । ବିନା ଭାସାଣି ଶୋଭାଯାତ୍ରାରେ ପ୍ରଶାସନ ଦ୍ୱାରା ଚିହ୍ନଟ କୃତ୍ରିମ ଜଳାଶୟରେ ମୂର୍ତ୍ତି ବିସର୍ଜନ କରାଯିବ । ତୃତୀୟ ଲହରର କରୋନା ସଂକ୍ରମଣ ଆଶଙ୍କା ଯୋଗୁଁô ପ୍ରଶାସନର ନିର୍ଦ୍ଦେଶାନୁସାରେ ଚଳିତ ଗଣେଶ ପୂଜା କଟକଣା ମଧ୍ୟରେ ନିରାଡ଼ମ୍ବର ଭାବେ ଆୟୋଜିତ ହୋଇଥିବା ବେଳ ଆଗାମୀ ଦିନରେ ଦୂର୍ଗା ପୂଜାରେ ସ୍ଥିତି କ’ଣ ରହିବ ଓ କଟକଣା କହୋଳ ହେବ କି ନାହିଁ, ତାହାକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି ଜିଲାବାସୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ