ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନରେ ସେବା ଓ ସମର୍ପଣ ଅଭିଯାନ ପାଳନ କରିବ ବିଜେପି
ଭୁୁବନେଶ୍ୱର, (ୱାଇଏନ୍ଏସ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଜନ୍ମଦିନ ଚଳିତ ମାସ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ଭାରତୀୟ ଜନତାପାର୍ଟି ସେବା ଓ ସମର୍ପଣ ଅଭିଯାନ ରୂପେ ପାଳନ କରିବ ବୋଲି ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦି ସେବା ସମର୍ପଣ ଭାବରେ କାର୍ଯ୍ୟ କରିଆସିଛନ୍ତି, ଏହାକୁ ନେଇ ପ୍ରଦର୍ଶନୀ ଆୟୋଜିତ ହେବ । ନମୋ ଆପ୍ ଜରିଆରେ ଭର୍ଚୁଆଲ ପ୍ରଦର୍ଶନୀ ଆୟୋଜନ ହେବ ଏବଂ ସବୁ ଜିଲ୍ଲାରେ ବୁଦ୍ଧିଜୀବୀ ଓ ସାଧାରଣ ଜନତା ଏହି ପ୍ରଦର୍ଶନୀକୁ ଆସି ଦେଖିପାରିବେ । ପ୍ରତ୍ୟେକ ମଣ୍ଡଳରେ ଦିବ୍ୟାଙ୍ଗ ମାନଙ୍କୁ କୃତ୍ରିମ ଅଙ୍ଗ ବିରତଣ କାର୍ଯ୍ୟକ୍ରମ ହେବ । ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ସ୍ୱାସ୍ଥ୍ୟ ଶିବିରର ଆୟୋଜନ ହେବ । ପ୍ରତ୍ୟେକ ଜିଲ୍ଲାରେ ଗରିବ, ବସ୍ତି, ଅନାଥାଳୟ, ଡାକ୍ତରଖାନା ଏବଂ ବୃଦ୍ଧାଶ୍ରମ ମାନଙ୍କରେ ଫଳ ବିରତଣ କରାଯିବ ।ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ମାଗଣା ରାସନ ବ୍ୟାଗ୍ ବିତରଣ କରାଯିବ ଏବଂ ଏଥିରେ ମହିଳାମୋର୍ଚ୍ଚା ମୁଖ୍ୟ ଭୂମିକା ଗ୍ରହଣ କରିବ । ଯୁବମୋର୍ଚ୍ଚା ଦ୍ୱାରା ସମସ୍ତ ଜିଲ୍ଲାରେ ରକ୍ତଦାନ ଶିବିର ଆୟୋଜନ କରାଯିବ ଏବଂ ସମସ୍ତ ଯୁବକ ବନ୍ଧୁ ମାନଙ୍କୁ ଅନୁରୋଧ ରହିବ ଯେ ସେମାନେ ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବେ । କୃଷକ ମୋର୍ଚ୍ଚା ଦ୍ୱାରା ସେପ୍ଟେମ୍ବର ୧୭ ତାରିଖ ଦିନ ରାଜ୍ୟ ମୁଖ୍ୟାଳୟ ଏବଂ ପ୍ରତ୍ୟେକ ଜିଲ୍ଲାରେ କୃଷକ ଓ ଯବାନ ମାନଙ୍କୁ ସମ୍ମାନିତ କରାଯିବ । ପ୍ରତ୍ୟେକ ମଣ୍ଡଳରେ ସ୍ୱଚ୍ଛତା ଅଭିଯାନ ହାତକୁ ନିଆଯିବ । ଏଥିରେ ନଦୀ ଓ ଜଳାଶୟର ସଫେଇ କାର୍ଯ୍ୟକ୍ରମ ଏବଂ ବ୍ୟାପକ ଭାବରେ ବୃକ୍ଷରୋପଣ, ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ର ବର୍ଜନ ପ୍ରତି ସଚେତନତା ସୃଷ୍ଟି କରାହେବ । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତାପାର୍ଟିର ସ୍ୱଚ୍ଛ ଭାରତ ଟିମ୍ ଏହାର ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ଡ. ସାମନ୍ତସିଂହାର ସୂଚନା ପ୍ରଦାନ କରିଛନ୍ତି ।ସେପ୍ଟେମ୍ବର ୨୫ରେ ଆମ ନୀତି ଆଦର୍ଶର ପ୍ରଣେତା ଏବଂ ପ୍ରେରଣାର ଉତ୍ସ ପଣ୍ଡିତ୍ ଦୀନ ଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ମଧ୍ୟ ଭବ୍ୟ ଭାବରେ ପାଳନ କରାଯିବ । ପ୍ରତ୍ୟେକ ମଣ୍ଡଳରେ ଏହାର ଗୋଟିଏ ଭର୍ଚୁଆଲ ସେମିନାର୍ ଆୟୋଜନ ହେବ, ଯେଉଁଥିରେ ସର୍ବନିମ୍ନ ଶହେରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତା ଯୋଗଦେବେ । ପ୍ରତ୍ୟେକ ବୁଥ୍ ସ୍ତରରେ ପଣ୍ଡିତ୍ ଦୀନଦୟାଲ୍ ଉପାଧ୍ୟାୟଙ୍କ ପ୍ରତିମୂର୍ତି ବା ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବ ଏବଂ ତାଙ୍କ ବିଷୟରେ ବକ୍ତବ୍ୟ ଓ ଆଲୋଚନା କରାଯିବ ।ସେହିଭଳି ଭାବରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରତ୍ୟେକ ବୁଥ୍ ସ୍ତରରେ ମହାତ୍ମାଗାନ୍ଧୀଙ୍କର ପ୍ରତିମୂର୍ତି ପରିସରକୁ ସଫେଇ କରିବା ଓ ପ୍ରତିମୂର୍ତି ବା ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବ । ଭୋକାଲ୍ ଫର୍ ଲୋକାଲ୍ କୁ ପ୍ରୋତ୍ସାହନ ଦେଇ ସ୍ଥାନୀୟ କାରିଗର ଏବଂ ଉତ୍ପାଦକଙ୍କୁ ବଢିବାର ସୁଯୋଗ ଦେବା ।ପ୍ରଧାନମନ୍ତ୍ରୀଙ୍କର ବ୍ୟକ୍ତିତ୍ୱ ,କୃତିତ୍ୱ, ଜନସେବାରେ ତାଙ୍କର ଉପଲବ୍ଧି ବିଷୟରେ ଭର୍ଚୁଆଲ କନଫରେନ୍ସର ଆୟୋଜନ କରାଯିବ । ନମାମୀ ଗଙ୍ଗେ ଟିମ୍ ନେତୃତ୍ୱରେ ବିଭିନ୍ନ ଜାଗାରେ ପାର୍ଟିର କାର୍ଯ୍ୟକର୍ତା ମାନଙ୍କ ଦ୍ୱାରା ଯେତିକି ନଦୀ ଅଛି ସମସ୍ତ ନଦିର ସଫେଇ କାର୍ଯ୍ୟକ୍ରମ ଏବଂ ଜଳାଶୟର ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯିବ । ସଂଖ୍ୟାଲଘୁ ମୋର୍ଚ୍ଚା ଦ୍ୱାରା ସମସ୍ତ ପନ୍ଥ ସମ୍ପ୍ରଦାୟର ଧର୍ମଗୁରୁ ମାନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତର ଆୟୋଜନ କରାଯିବ ।ଏଥିରେ ଭାରତୀୟ ଜନତାପାର୍ଟିର ସମସ୍ତ କାର୍ଯ୍ୟକର୍ତା, ନିର୍ବାଚିତ ପ୍ରତିନିଧି ପଦାଧିକାରୀ ଯୋଗଦେବେ । ଏହାକୁ ବ୍ୟାପକ ଓ ଭବ୍ୟ ଭାବରେ କରିବାରେ ସହଭାଗିତା ସମସ୍ତଙ୍କର ରହିବ । ରାଜ୍ୟରେ ଭାରତୀୟ ଜନତାପାର୍ଟିର ୩୬ଟି ସାଂଗଠନିକ ଜିଲ୍ଲା ଏବଂ ୧୦୦୪ ମଣ୍ଡଳ ଓ ସମସ୍ତ ବୁଥ୍ରେ ଏହି କାର୍ଯ୍ୟକ୍ରମ ପାଳନ ହେବ ।


