କେନ୍ଦୁଝରର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସାନଖେମୁଣ୍ଡି ଗସ୍ତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଶୁକ୍ରବାର ଦିନ କେନ୍ଦୁଝର ଜିଲ୍ଲାର ଉଚ୍ଚ ପଦସ୍ଥ ପ୍ରଶାସନିକ ଅଧିକାରୀମାନେ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଗସ୍ତରେ ଆସି ବିଭିନ୍ନ ପଞ୍ଚାୟତର ଉନ୍ନୟନ ମୂଳକ ପ୍ରକଳ୍ପର ଅନୁଧ୍ୟାନ କରିବା ସହ ବ୍ଲକ ଅଧିକାରୀଙ୍କୁ ପ୍ରଶଂସା ମଧ୍ୟ କରିଥିଲେ । କେନ୍ଦୁଝର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଜିଲ୍ଲା ଅଧିନସ୍ଥ ୧୩ ଗୋଟି ବ୍ଳକର ବିଡ଼ିଓ ଓ ବ୍ଳକ ସହକାରୀ ଯନ୍ତ୍ରୀ ମାନେ ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକଙ୍କ ଉପସ୍ଥିତିରେ ଟି . ଗୋବିନ୍ଦପୁର ପଞ୍ଚାୟତର ଶ୍ରୀରାମ ଗୋଷ୍ଠୀ ଗାଇଗୁହାଳ , ପୋଡାମାରୀରେ ମିଶନ ଶକ୍ତି ଯୋଜନା ମାଧ୍ୟମରେ ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ବଜରଙ୍ଗୀ ଉତ୍ପାଦନ କେନ୍ଦ୍ର , ଜିଉରା ଓ ଆଡପଡା ପଞ୍ଚାୟତର ନବନିର୍ମିତ ଗ୍ରାମାଞ୍ଚଳ ଓ ଇଶାଣେଶ୍ବର ପାର୍କ ଏବଂ ଖଲିଙ୍ଗିରେ ବିଜୁ ପଟ୍ଟନାୟକ ପାଠାଗାର , ଆଦର୍ଶ ଟାଙ୍କି ଓ କଲ୍ୟାଣ ମଣ୍ଡପ ପରିଦର୍ଶନ କରିଥିଲେ । ସେହିପରି ମହାତ୍ମାଗାନ୍ଧୀ ନିଶ୍ଚିତ ଗ୍ରାମୀଣ କର୍ମୀ ନିଯୁକ୍ତି ଯୋଜନାରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ଏବଂ ସମ ଦିବସ ସୃଷ୍ଟି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ । ଏପରିକି ସେଠାକାର ପଞ୍ଚାୟତ ପକ୍ଷରୁ କରାଯାଇଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଖସଡ଼ା , ନିର୍ମାଣ ଶୈଳୀ ଓ ଅଟକଳ ମୂଲ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପ୍ରଶାସନିକ ଅଧିକାରୀଙ୍କ ଏହି ଗସ୍ତ ସମୟରେ ବିଡ଼ିଓ ଶ୍ରୀ ନାୟକ ସମେତ ସହକାରୀ ଯନ୍ତ୍ରୀ , ଏପିଓ ଅରୁଣ କୁମାର ସ୍ବାଇଁ , ପୋଡାମାରୀ ସରପଞ୍ଚ ଶ୍ରୀମତୀ ଭାଗ୍ଯଶ୍ରୀ ବିଷୋୟୀ , ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ବିଷୋୟୀ , ଜିଉରା ସରପଞ୍ଚ ଲିସାରାଣୀ ପାତ୍ର , ପୂର୍ବତନ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପାତ୍ର ଓ ଆଡପଡା ସରପଞ୍ଚ ନୀଳମାଧବ ରାଉତ ପ୍ରମୁଖ ସହ ବ୍ଳକ କର୍ମଚାରୀ ଉପସ୍ଥିତ ରହିଥିଲେ ।


