ସର୍ପାଘାତରେ ବୃଦ୍ଧଙ୍କ ମୃତ୍ୟୁ
ନାଉଗାଁ, (ପ୍ରଦୋଷ ମହାନ୍ତି) : ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଅଲଣା ପଞ୍ଚାୟତର ଅରଖପାରୀ, ନୂଆପାଟଣା (କଣ୍ଡିଆ)ଗ୍ରାମର ବାବୁ ସାମଲ( ୭୨)ଙ୍କ ସର୍ପାଘାତରେ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ବାବୁଙ୍କ ପଡିଶା ଘରେ ଏକ ନାଗ ସାପ ପଶିଥିଲା। ଖବର ପାଇ ବାବୁ ଉକ୍ତ ସାପକୁ ବାହାର କରିବା ପାଇଁ ଯାଇଥିଲେ। ବାଡ଼ି ସାହାଯ୍ୟ ସାପଟିକୁ କାଢ଼ିବା ସମୟରେ ସାପଟି ତାଙ୍କ ହାତକୁ କାମୁଡି ଧରିଥିଲା | ସଙ୍ଗେ ସଙ୍ଗେ ସାପଟିକୁ ବାହାର କରାଯାଇ ବାବୁକୁ ଚିକିତ୍ସା ପାଇଁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା | ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଏକ ମାତ୍ର ପୁଅ ମାନସ ସାମଲ ମୁଖାଗ୍ନି ଦେଇଥିଲେ | ବାବୁର ମୃତ୍ୟୁ ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଅଲଣାହାଟ ବଣିକ ସଂଘ ଙ୍କ ସମେତ ପୂର୍ବତନ ସରପଞ୍ଚ ନବକିଶୋର ମହାନ୍ତି, ସୁରେଶ ଚନ୍ଦ୍ର ସାହୁ , ପ୍ରଫୁଲ୍ଲ ସାହୁ , ସୁଶାନ୍ତ ସାହୁ ,ଅଲଣା ସରପଞ୍ଚ ଚନ୍ଦ୍ରମଣୀ ବେହେରା, ସମାଜସେବୀ ଅଭ୍ୟୁଦୟ ସାହୁ, ସୁବାଷ ମହାନ୍ତି ଙ୍କ ସମେତ ଗ୍ରାମବାସୀ ତରଫରୁ ପ୍ରଶାସନ ନିକଟରେ ଦାବି କରାଯାଇଛି।


