ବିଇଓ କାର୍ଯ୍ୟାଳୟ ବିପଦସଂକୁଳ, ଛାତରୁ ଗଳୁଛି ପାଣି

ହାଟଡିହି, ୯/୮: ବର୍ଷବର୍ଷ ଧରି ମରାମତି ଅଭାବରୁ ବିପଦସଂକୁଳ ଅବସ୍ଥାରେ ରହିଛି ହାଟଡିହି ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟ। ଲଗାଣ ବର୍ଷା ହେଲେ କାର୍ଯ୍ୟାଳୟର ବିଭିନ୍ନ କୋଠରୀର ଛାତରୁ ଟୋପାଟୋପା ପାଣି ଗଳୁଥିବାରୁ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ପାଠ୍ୟପୁସ୍ତକ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଗତ କିଛିଦିନ ଧରି ହାଟଡିହି ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବା ବେଳେ ବିଇଓ କାର୍ଯ୍ୟାଳୟର ସଭାଗୃହ ସମେତ ବିଭିନ୍ନ କୋଠରୀରେ ଛାତରୁ ପାଣି ଗଳିଥିବା ଜଣାପଡ଼ିଛି। ସଭାଗୃହରେ ଛାତ୍ରଛାତ୍ରୀଙ୍କ ପାଇଁ ରଖାଯାଇଥିବା ପାଠ୍ୟପୁସ୍ତକ ଓଦା ହୋଇଯାଇଛି। ସେହିପରି ବିଇଓ ଓ ଏବିଇଓଙ୍କ କାର୍ଯ୍ୟାଳୟ କୋଠରୀରେ ମଧ୍ୟ ପାଣି ଗଳିବା ଯୋଗୁଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଫାଇଲ ଓ ସରକାରୀ କାଗଜପତ୍ର ଓଦା ହୋଇଛି। ଅଧିକ କ୍ଷତିରୁ କାଗଜପତ୍ରକୁ ସୁରକ୍ଷା ଦେବା ପାଇଁ ସେଗୁଡ଼ିକ ଉପରେ ଜରିପାଲ ଘୋଡ଼ାଇ ରଖାଯାଇଛି। ସୂଚନା ଅନୁଯାୟୀ, ଏହି କୋଠାଟି ୧୯୯୮ ମସିହାରେ ଡିପିଇପି କାର୍ଯ୍ୟାଳୟ ଭାବେ ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଡିପିଇପି ପରେ ସର୍ବଶିକ୍ଷା ଅଭିଯାନ ଏବଂ ବର୍ତ୍ତମାନ ସମଗ୍ର ଶିକ୍ଷା ଅଭିଯାନର କାର୍ଯ୍ୟାଳୟ ଭାବେ ଏଠାରେ କାର୍ଯ୍ୟ ଚାଲୁଛି। ତେବେ ଦୀର୍ଘ ବର୍ଷ ଧରି କୋଠାଟିର ଆବଶ୍ୟକୀୟ ମରାମତି ହୋଇନଥିବାରୁ ଏହାର ବିଭିନ୍ନ ଅଂଶ ଜରାଜୀର୍ଣ୍ଣ ହୋଇପଡ଼ିଛି। ବର୍ଷା ସମୟରେ ଛାତରୁ ପାଣି ଗଳିବା ଏବେ ନିତିଦିନିଆ ସମସ୍ୟାରେ ପରିଣତ ହୋଇଛି। କେବଳ ସରକାରୀ କାଗଜପତ୍ର ନୁହେଁ, କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ମଧ୍ୟ ଏହି ପରିସ୍ଥିତି ଚିନ୍ତାର କାରଣ ହୋଇଛି। ଛାତର ବିଭିନ୍ନ ସ୍ଥାନରୁ ପାଣି ଗଳୁଥିବାରୁ କାର୍ଯ୍ୟାଳୟରେ ସ୍ୱାଭାବିକ ଭାବେ ସରକାରୀ କାର୍ଯ୍ୟ ସମ୍ପାଦନ କରିବାରେ ବାଧା ଉପୁଜୁଛି। ଏହାସହ କୋଠାଟିର ସ୍ଥିତିକୁ ନେଇ ଭବିଷ୍ୟତରେ କୌଣସି ଅଘଟଣ ଘଟିବାର ଆଶଙ୍କା ମଧ୍ୟ ରହିଛି। କାର୍ଯ୍ୟାଳୟ ପକ୍ଷରୁ ଗୃହର ମରାମତି କିମ୍ବା ନୂତନ ଗୃହ ନିର୍ମାଣ ପାଇଁ ରାଜନୈତିକ ନେତା, ଉଚ୍ଚ କର୍ତ୍ତୃପକ୍ଷ ଓ ବ୍ଲକ୍ ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଥିବା ଜଣାପଡ଼ିଛି। ଏନେଇ ଅନୁରୋଧ ସତ୍ତ୍ୱେ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବାରୁ ଶିକ୍ଷକ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ, ଡିଏମଏଫ ପାଣ୍ଠିରୁ ସ୍ୱାସ୍ଥ୍ୟ ବିଭାଗ, ଅଙ୍ଗନବାଡ଼ି ସମେତ ବିଭିନ୍ନ ବିଭାଗର ଗୃହ ନିର୍ମାଣ ଓ ଉନ୍ନତିକରଣ କରାଯାଉଥିବା ବେଳେ ଶିକ୍ଷା ବିଭାଗର ଏହି ପୁରୁଣା କାର୍ଯ୍ୟାଳୟର ମରାମତି କିମ୍ବା ନୂତନ କୋଠା ନିର୍ମାଣ କାହିଁକି ହେଉନାହିଁ ବୋଲି ପ୍ରଶ୍ନ ଉଠିଛି। ତେଣୁ ଶିକ୍ଷା ବିଭାଗର ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ କୋଠାର ସ୍ଥିତି ଯାଞ୍ଚ କରିବା ସହ ଆବଶ୍ୟକ ମରାମତି କରିବା କିମ୍ବା ଏକ ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ