ଆଜାଦ୍ ହିନ୍ଦ୍ ସରକାରର ୭୯ ତମ ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ୧୯୪୩ ମସିହାରେ ଗଠିତ ଭାରତ ବର୍ଷର ପ୍ରଥମ ସ୍ୱାଧୀନ ସରକାର ‘ଆଜାଦ୍ ହିନ୍ଦ୍ ସରକାର’ର ୭୯ତମ ପ୍ରତିଷ୍ଠା ଦିବସ ଆଜି ଆଜାଦ୍ ହିନ୍ଦ୍ ବାହିନୀ ପକ୍ଷରୁ ଭୁବନେଶ୍ୱରଠାରେ ପାଳିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଆଜାଦ୍ ହିନ୍ଦ୍ ବାହିନୀର ସିପାହୀମାନେ ରସୁଲଗଡସ୍ଥିତ ନେତାଜୀଙ୍କ ପ୍ରତିମୂର୍ତି ସମ୍ୁଖରେ ପହଂଚି ସେଠାରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଆଜାଦ୍ ହିନ୍ଦ୍ ବାହିନୀ ପକ୍ଷରୁ ଆଜାଦ୍ ହିନ୍ଦ୍ ସରକାରର ମୁଖ୍ୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତି ସମ୍ମୁଖରେ ସଲାମୀ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟି.ୟୁ.ସି.ସି.ର ସର୍ବଭାରତୀୟ ସାଧାରଣ ସଂପାଦକ ତଥା ଫରୱାର୍ଡ ବ୍ଲକର ଜାତୀୟ ସଂପାଦକ ଜି.ଆର୍. ଶିବଶଙ୍କର ଯୋଗଦେଇ ନେତାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ନେତାଜୀ ଭବନ ପରିସରରେ ଅନୁଷ୍ଠିତ ଏକ ଆଲୋଚନା ଚକ୍ରରେ ଆଲୋଚକ ଅତିଥିଭାବରେ ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ଫରୱାର୍ଡ ବ୍ଲକର ଜାତୀୟ ସଂପାଦକ ଜି.ଆର.ଶିବଶଙ୍କର, ସି.ପି.ଆଇ(ଏମ୍)ର ବରିଷ୍ଠ ନେତା ଜନାର୍ଦ୍ଦନ ପତି, ସିପିଆଇ (ଏମ୍ଏଲ୍) ଲିବରେସନର ରାଜ୍ୟ ସଂପାଦକ ଯୁଧିଷ୍ଠିର ମହାପାତ୍ର ଓ ସମାଜବାଦୀ ପାର୍ଟିର ସାଧାରଣ ସଂପାଦକ ସୁଦର୍ଶନ ପ୍ରଧାନ, ଫରୱାର୍ଡ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପ୍ରମୁଖ ବକ୍ତବ୍ୟ ରଖି ନେତାଜୀଙ୍କର ଆଦର୍ଶ ଓ କାର୍ଯ୍ୟଧାରା ଅଦ୍ୱିତୀୟ ବୋଲି ପ୍ରକାଶ କରିଥିଲେ । ଦେଶକୁ ଇଂରେଜମାନଙ୍କ କବଳରୁ ମୁକ୍ତ କରିବା ପାଇଁ ସାରା ପୃଥିବୀର ବ୍ରିଟିଶ ବିରୋଧୀ ଶକ୍ତିମାନଙ୍କୁ ଏକାଠି କରିଥିଲେ ଦୁର୍ଦ୍ଦଶ ବୀର ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଯାହାର ଫଳସ୍ୱରୂପ ଭାରତବର୍ଷର ପ୍ରଥମ ସ୍ୱାଧୀନ ସରକାର ସୁଦୂର ସିଂଗାପୁର ଠାରେ ନେତାଜୀଙ୍କ ନେତୃତ୍ୱରେ ଗଠିତ ହୋଇଥିଲା ଓ ଆଜାଦ୍ ହିନ୍ଦ୍ ସରକାର ନେତୃତ୍ୱରେ ଆଜାଦ୍ ହିନ୍ଦ୍ ବାହିନୀ ସିଂଗାପୁର ଠାରୁ ମୌରାଙ୍ଗ୍ ପର୍ଯ୍ୟନ୍ତ ଆସି ସେଠାରେ ପ୍ରଥମେ ତ୍ରିରଙ୍ଗା ପତାକାକୁ ଉତୋଳନ କରିଥିଲେ । ନେତାଜୀଙ୍କ ନେତୃତ୍ୱକୁ ଭାରତୀୟମାନଙ୍କ ସମେତ ବହୁଦେଶର ରାଷ୍ଟ୍ରନିତିଜ୍ଞମାନେ ସମର୍ଥନ ଯୋଗାଇଥିଲେ । ନେତାଜୀ ଓ ଆଜାଦ୍ ହିନ୍ଦ୍ ସରକାରଙ୍କ ଏଭଳି କାର୍ଯ୍ୟକ୍ରମ ବ୍ରିଟିଶ ସରକାରର ନିଦ ହଜାଇ ଦେଇଥିଲା । ଫଳରେ ସେମାନେ ଦେଶ ଛାଡି ଚାଲିଯାଇଥିଲେ । କିନ୍ତୁ ଆଜିର ଦିନରେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ଆମ ଦେଶର ସରକାରଙ୍କ ଜନବିରୋଧୀ ନୀତି ଫଳରେ ଦେଶର ଦୟନୀୟ ଅବସ୍ଥା ଅନୁଭୂତ ହେଲାଣିି ଫଳରେ ଦେଶର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ଦରଦାମ୍ ବୃଦ୍ଧିଠାରୁ ଆରମ୍ଭ କରି ରାଷ୍ଟ୍ରାୟାତ ଉଦ୍ୟୋଗଗୁଡିକର ଘରୋଇ କରଣ ଫଳରେ ଦେଶର ସ୍ଥିତି ବିପନ୍ନ ହେବାରେ ଲାଗିଛି । ଏଭଳି ସ୍ଥିତିରେ ଆଜିର ପବିତ୍ର ଦିବସରେ ଆଜାଦ୍ ହିନ୍ଦ୍ ବାହିନୀର ସିପାହୀମାନେ ନେତାଜୀଙ୍କର ଆଦର୍ଶରେ କାର୍ଯ୍ୟ କରିବା ସହ ଦେଶକୁ ବିପତି ସମୟରେ ରକ୍ଷା କରିବା ପାଇଁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ଆଜାଦ୍ ହିନ୍ଦ୍ ବାହିନୀର ଜାତୀୟ ସଂଯୋଜକ ଜ୍ୟୋତି ରଂଜନ ମହାପାତ୍ର ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଆଜାଦ୍ ହିନ୍ଦ୍ ବାହିନୀର ସିପାହୀ ପ୍ରିୟାଂଶୁ କୁମାରୀ, ଦୟାନିଧି ଭୂମିୟା, ପାୟଲ କୁମାରୀ, ଭୂମିକା ଘୋଷ, ଅଭିମନ୍ୟୁ କ୍ରିଷାନୀ, ଲକ୍ଷ୍ମୀ ଦୋରା, ସୋମନାଥ ଖୀଲ, ସାନୁ ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


