ଖୋର୍ଦ୍ଧାରେ ଶହୀଦ୍ ଜୟୀ ରାଜଗୁରୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ

ଖୋର୍ଦ୍ଧା (ଓ୍ବାଇଏନଏସ) : ସ୍ଥାନୀୟ ଗୀତା ଭବନ ପରିସରରେ ଭାରତ ସ୍ୱଧୀନତା ସଂଗ୍ରାମର ପ୍ରଥମ ଶହୀଦ ଜୟୀ ରାଜଗୁରୁଙ୍କର ୨୮୮ତମ ଜୟନ୍ତୀ ଶହୀଦ ଜୟୀ ରାଜଗୁରୁ ସ୍ମୃତି ସମାରୋହ ସମିତି ଆନୁକୂଲ୍ୟରେ ସମାରୋହ ସମିତିର ଜିଲା ସଭାପତି ବରିଷ୍ଠ ସାହିତ୍ୟିକ ତଥା ଶିକ୍ଷାବିତ୍ ବେକୁଣ୍ଠନାଥ ରାଜଗୁରୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ କାର୍ଯ୍ୟକ୍ରମ ଉଦଘାଟକ ମଳିପଡା ବଡ ମଠ ମହନ୍ତ ସ୍ୱାମୀ ଅନନ୍ତ ନାରାୟଣ ଦେବାଚାର୍ଯ୍ୟ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିବା ପରେ ଜୟୀ ରାଜଗୁରୁ ସ୍ମୃତି ସଂସଦର ରାଜ୍ୟ ସଭାପତି ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦ ତାଙ୍କ ସ୍ୱାଗତ ଭାଷଣରେ କହିଲେ ଜୟୀ ରାଜଗୁରୁ ନିଜର ମାଟି ମାଆ ତଥା ରାଜାଙ୍କୁ ରକ୍ଷା କରିବାକୁ ଯାଇ ଏକ ଅଜେୟ ଶକ୍ତି ବିରୋଧରେ ସଂଗ୍ରାମ ଚଳାଇ ଓଡ଼ିଶା ତଥା ଭାରତ ଇତିହାସରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଯାଇଛନ୍ତି । ତାଙ୍କର ଅମ୍ଳାନ ସ୍ମୃତିକୁ ମନେରଖିବା ପାଇଁ ବରୁଣେଇ ପାହାଡର ଶୀର୍ଷଦେଶରେ ଏକ ବିଶାଳକାୟ ବ୍ରୋଞ୍ଜ ପ୍ରତିମୂର୍ତୀ ସ୍ଥାପନା କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ। ମୁଖ୍ୟ ଅତିଥି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଜୟୀ ରାଜଗୁରୁଙ୍କର ଜୀବନାଦର୍ଶକୁ ମନେ ପକାଇ ଏକ ଭାବବିହ୍ୱୋଳ ଢଙ୍ଗରେ କହିଲେ ଯେଉଁମାନେ ଇଂରେଜ ମାନଙ୍କୁ କଡାକଡି ଭାବରେ ବିରୋଧ କରିଥିଲେ, ସେମାନଙ୍କୁ ଇଂରେଜମାନେ ଅତ୍ୟନ୍ତ ନିର୍ମମ ଭାବରେ ହତ୍ୟା କରିଛନ୍ତି ଏବଂ ସେହି ଐତିହାସିକ ତଥ୍ୟ ସମୂହକୁ ଲୋକଲୋଚନକୁ ଆଣିବାକୁ ଦିଆଯାଇନାହିଁ। ବର୍ତମାନ ସମୟ ଆସିଛି ସେସବୁ ତଥ୍ୟ ସମୂହକୁ ପୁନରୁଦ୍ଧାର କରି ଏହି ବୀର ଜାତିର ପୂର୍ବ ଗୌରବକୁ ଫେରାଇ ଆଣିବାକୁ ହେବ। ଆଜିର କେନ୍ଦ୍ର ତଥା ରାଜ୍ୟ ସରକାର ସେଥିପାଇଁ ଆଗେଇ ଆସିଥିବାରୁ ଆମେ ଗର୍ବିତ। ମୁଖ୍ୟବକ୍ତା ଭାବରେ ଖୋରଧା ଆଇନ ମହାବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ ବରିଷ୍ଠ ସମାଜସେବୀ ସୁଧୀର କୁମାର ମାନସିଂହ ଯୋଗଦେଇ କହିଲେ ଜୟୀ ରାଜଗୁରୁଙ୍କ ଦ୍ୱାରା ଅନୁସୃତ ପନ୍ଥା ପରବର୍ତୀ ସମୟର ପାଇକ ବିଦ୍ରୋହକୁ ପ୍ରେରଣା ଯୋଗାଇଛି । ତାଙ୍କ ସଂଗ୍ରାମ ତଥା ଖୋରଧାକୁ ମୁକ୍ତ ଓ ସ୍ୱାଧୀନ କରିବାର ପ୍ରୟାସ ଊନବିଂଶ ଶତାଦ୍ଦୀର ପ୍ରାରମ୍ଭରେ ଏକ ନୂତନ ଉତ୍ସ୍ୱାସ ଓ ଉଦ୍ଦୀପନା ସୃଷ୍ଟି କରିଛି, ଯାହାକି ଏହି ବିଶାଳ ଭାରତ ବର୍ଷର ସ୍ୱାଧୀନତା ପାଇଁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବରେ ପରିଗଣିତ ହୋଇପାରିଛି ଏବଂ ସେହି ବୀର ଶହୀଦ ଜୟୀ ରାଜଗୁରୁଙ୍କୁ ଦେଶ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଶହୀଦ ବୋଲି ସରକାରୀ ଭାବେ ମାନ୍ୟତା ମିଳିବା ଉଚିତ। ଏହି ବୀରତ୍ୱର ବାର୍ତା ଆମର ପରପୀଢ଼ିମାନେ ଜାଣିଲେ ଏହି ଓଡିଆ ଜାତିର ଉତଥାନ ହୋଇପାରିବ। ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ଶିକ୍ଷାବିତ୍ ତଥା ଐତିହାସିକ ସତ୍ୟବାଦୀ ବଳିଆରସିଂହ ଯୋଗଦେଇ କହିଲେ ଜୟୀ ରାଜଗୁରୁଙ୍କର ଅମ୍ଳାନ ଗାଥାକୁ ସ୍ମରଣ କରାଇ ଦେଇଥିବା ବେଳେ ସମ୍ମାନୀତ ବକ୍ତାô ଭାବରେ ଇତିହାସ ସଂକଳନ ସମିତିର ରାଜ୍ୟ ଉପସଭାପତି ବରିଷ୍ଠ ଶିକ୍ଷାବିତ ଗଙ୍ଗାଧର ଦାଶ ଯୋଗ ଦେଇ କହିଲେ ଜୟୀ ରାଜଗୁରୁଙ୍କ ଭଳି ସାହସୀ, ସ୍ୱାଭିମାନୀ ଯୋଦ୍ଧା ପୃଥିବୀ ଇତିହାସରେ ବିରଳ, କିନ୍ତୁ କ୍ଷୋଭର ବିଷୟ ତାଙ୍କ ସ୍ମୃତି ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ସେଭଳି କିଛି କାମ କରି ନାହାଁନ୍ତି। ପ୍ରାରମ୍ଭରେ କବି ଗୋବିନ୍ଦ ଚନ୍ଦ୍ର ମହାରଣା ଓ ଡକ୍ଟର ଚପଳା ପଣ୍ଡା ପ୍ରମୁଖ ଜୟୀ ରାଜଗୁରୁଙ୍କ ଉପରେ ସ୍ୱରଚିତ କବିତା ପାଠୋତ୍ସବ ‘ଜୟୀ ରାଜଗୁରୁ କବିତାୟନ’କୁ ସୁପରିଚାଳିତ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ମୃତି ସମାରୋହ ସମିତିର ରାଜ୍ୟ ସଂପାଦକ ସ୍ୱାଗତ ଭାଷଣ ଦେଇଥିବାବେଳେବରିଷ୍ଠ ଶିକ୍ଷାବିତ ଡକ୍ଟର ବୃନ୍ଦାବନ ପଣ୍ଡା ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବହୁ ପ୍ରତିଷ୍ଠିତ କବି ଓ କବୟତ୍ରୀ, ବିବେକାନନ୍ଦ ଇନଷ୍ଟିଚ୍ୟୁଟର ସମସ୍ତ ଛାତ୍ରଛାତ୍ରୀ, ଖୋର୍ଦ୍ଧାର ବହୁ ବୁଦ୍ଧିଜିବୀ ଉପସ୍ଥିତ ଥିଲେ। ପୂର୍ବାହ୍ଣରେ ସ୍ମୃତି ସଂସଦ ତରଫରୁ ସହରର ଗଡଖୋର୍ଦ୍ଧା ଛକଠାରେ ଅମର ଶହୀଦ୍‌ଙ୍କ ସମେତ ପଂଚ ପାଇକଙ୍କ ପ୍ରତିମୂର୍ତୀ ଏବଂ ଜୟୀ ରାଜଗୁରୁ ଭବନ ପରିସରରେ ଥିବା ଜୟୀରାଜଗୁରୁଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ