ହାତ ଛାଡିଲେ ୫୦୦ ରୁ ଉର୍ଦ୍ଧ କଂଗ୍ରେସ କର୍ମୀ

ଦିଗପହଣ୍ଡି  (ଯୁଗାବ୍ଦ ନ୍ୟୁଜ) : ସାଧାରଣ ନିର୍ବାଚନ ପାଇଁ  ଦିଗପହଣ୍ଡି ବିଧାନ ସଭା ଆସନରୁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ଦିଗପହଣ୍ଡି କଂଗ୍ରେସ ମହଲରେ ଅସନ୍ତୋଷ ଦେଖାଦେଇଛି । ମଙ୍ଗଳବାର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର  ଦିଗପହଣ୍ଡି ବ୍ଳକ, ଏନଏସି ଓ କୁକୁଡାଖଣ୍ଡି ବ୍ଳକର ବହୁ ପୁରାତନ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ସମୂହ ଇସ୍ତଫା ଦେଇଥିବା ନେଇ ଗଣମାଧ୍ୟମକୁ ଜଣାଇଛନ୍ତି । ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ମରେଇବାଡି ଗ୍ରାମ ସ୍ଥିତ ଖେମୁଣ୍ଡି କାଳୁଆ ଶକ୍ତୀ ପୀଠରେ ଏହି ପରିପ୍ରେକ୍ଷୀରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ସରପଞ୍ଚ ସୀମାଞ୍ଚଳ ବିଷୋୟୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଦୁଇଗୋଟି ବ୍ଳକ ଓ ଗୋଟିଏ ଏନଏସିର ଶତାଧିକ କଂଗ୍ରେସ କର୍ମୀ ସମୁହର ଭାବେ ଦଳରୁ ଇସ୍ତଫା ଦେଇଥିବା ନେଇ ଜଣାଯାଇଥିଲା । ରାଜ୍ୟ ପିସିସି ସଭାପତି ଶାସକ ଗୋଷ୍ଠୀ ନେତାଙ୍କ ହାତ ବାରିସି କରି ଦିଗପହଣ୍ଡି ବିଧାନ ସଭା ଆସନରେ ପ୍ରାର୍ଥୀଙ୍କୁ ଟିକଟ ପ୍ରଦାନ କରିଥିବା ଅଭିଯୋଗ କରିଥିବା ବେଳେ ପୁରାତନ କଂଗ୍ରେସ କର୍ମୀ ମାନଙ୍କୁ ଅଣଦେଖା କରାଯାଉଥିବାରୁ ଅସନ୍ତୋଷ ପ୍ରକାଶ କରି ଦଳ ତ୍ୟାଗ କରିଛନ୍ତି ବୋଲି ଜିଲା କାର‌୍ୟ୍ୟକରିଣୀ ସଦସ୍ୟ ଭାବେ ଥିବା ଶ୍ରୀଧର ଦେବ, ପୂର୍ବତନ ସମିତିସଭ୍ୟ ଶିବରାମ ପ୍ରଧାନ ପ୍ରମୁଖ ଜଣାଇଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ସେମାନେ ନିର୍ଦଳୀୟ ରହିବେ ଏବଂ କୌଣସି ଦଳକୁ ସମର୍ଥନ ଜଣାଇବେ ନାହିଁ ବୋଲି ଜଣାଇଛନ୍ତି । ନିର୍ବାଚନ ମଣ୍ଡଳୀର ପୂର୍ବତନ ବ୍ଳକ କଂଗ୍ରେସ ସଭାପତି ସିଏଚ୍.ଶଙ୍କର ସୁବୁଦ୍ଧି, ବାଲ୍ମିକି ପ୍ରଧାନ, ଶୁଭେନ୍ଦୁ ବିଷୋୟୀ, ଅରୁଣ ଗୌଡ, କୋରା ଗୌଡ, ଚନ୍ଦନ ପଣ୍ଡା, ନୃସିଂହ ଚରଣ ବେହେରା, ଇପାରି ତ୍ରିପତି, ଅଭି ଜାନୀ, ସୀମାଞ୍ଚଳ ଗୌଡ ପ୍ରମୁଖଙ୍କ ସମେତ ଶତାଧିକ ବୈଠକରେ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ଦଳ ତ୍ୟାଗ କରିଲେ ମଧ୍ୟ ଚଳିତ ନିର୍ବାଚନରେ କଂଗ୍ରେସ ଭୋଟର ମାନଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ