କାନଫଟା ଶବ୍ଦରେ ସହରରେ ଦୀପାବଳୀ ଉତ୍ସବ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲାପାଳ ଭିଡ଼ିଓ କନଫେରେନ୍ସ ଜରିଆରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହରାଞ୍ଚଳ ପ୍ରଶାସନିକ ଅଧିକାରୀମାନଙ୍କ ସହ କରୋନା ନିୟମ ଓ ଗ୍ରୀନ ଦୀପାବଳୀ ପାଳନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଚଳିତ ଦୀପାବଳୀ ଉତ୍ସବରେ ପ୍ରଦୂଷଣମୁକ୍ତ ପରିବେଶ ଓ ଦୀପ ଜାଳି ଉତ୍ସବପାଳନ କରିବା ସକାଶେ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଅନୁରୋଧ କରିଥିଲେ। ତହସିଲଦାର ଓ ଥାନା ଅଧିକାରୀଙ୍କୁ ନେଇ ଏକ ସ୍କ୍ୱାର୍ଡ ଗଠନ କରି ବାଣ ବିକ୍ରି ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।କିନ୍ତୁ ଗ୍ରୀନ ଦୀପାବଳୀ ଉତ୍ସବ ପାଳନ ଅବସରରେ ଗୁରୁବାର ସହରରେ ବହୁ ବ୍ୟତିକ୍ରମ ଘଟିଛି । ଉକ୍ତ ଦିନ ଅପରାହ୍ନରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ସହରର କୋଣ ଅନୁକୋଣରେ ପ୍ରଚଣ୍ଡ ଶବ୍ଦ ଯୁକ୍ତ ଆତସବାଜି ବ୍ୟବହାର ହୋଇଥିବା ଜଣାପଡିଛି । ସହରର କିଛି ୱାର୍ଡ ବ୍ୟତୀତ ମୋହନ କଲୋନୀ,ବ୍ଲକ କଲୋନୀ,ରେଗିଡି ସାହି,ହିଂଜିଳି ଗାଁ ,ମେଡିକାଲ ପଛ ସାହି ଆଦି ବହୁ ସ୍ଥାନରେ ଅତିତୀବ୍ର ଓ ପ୍ରଚଣ୍ଡ ଶବ୍ଦଯୁକ୍ତ ବିଭିନ୍ନ କିସମର ରାସାୟନିକ ବାଣ ବ୍ୟବହୃତ ହୋଇଥିବା ଜଣାପଡିଛି। ବିଭିନ୍ନ ସାହି ଗଳିରେ ବ୍ୟବହୃତ ବାଣର ପୋଡ଼ା,ଦରପୋଡା ଟୁକୁଡ଼ା ଅଂଶ ରାସ୍ତାରେ ଏଣେ ତେଣେ ପଡିଥିଲା ବେଳେ କିଛି ଘରର ଛାତ ଉପରେ ପଡିଥିବା ମଧ୍ୟ ଦେଖିବାକୁ ମିଳିଛି । ଫଳରେ ପ୍ରଦୂଷଣମୁକ୍ତ ଗ୍ରୀନ ଦୀପାବଳୀ ପାଇଁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନର ଯେଉଁ ମହତ ଉଦ୍ଦେଶ୍ୟ ନିହିତ ଥିଲା ତାହା ସ୍ଥାନୀୟ କିଛି ଅସାଧୁ ବ୍ୟବସାୟୀଙ୍କ ଅସହଯୋଗ ଯୋଗୁଁ ଫସର ଫାଟି ଯାଇଥିବା ଜଣାପଡିଛି।ବ୍ୟବହୃତ ବାଣ ଓ ଅତାସବାଜିର କାନଫଟା ଶବ୍ଦ ଓ ରସାୟନଯୁକ୍ତ ଦହନ ଫଳରେ ଛୋଟ ଛୋଟ ଶିଶୁ ଆହତ ହେବା ଓ ଅଞ୍ଚଳବାସୀ ଅଣନିଃଶ୍ୱାସୀ ହୋଇ ପଡିଥିବା ପରିବେଶ ଓ ପରିସ୍ଥିତିରୁ ସୂଚନା ମିଳିଛି ।ସହର ସାରା ଧୁଆଁ ଓ ବିଷାକ୍ତମୟ ପରିବେଶ ପାଲଟି ଯାଇ ଏକ ଅସ୍ୱାସ୍ଥ୍ୟକର ବାତାବରଣ ସୃଷ୍ଟି ହୋଇଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନ ବାରଣ ସତ୍ତ୍ୱେ ସହରର କିଛି ଲାଭଖୋର ବ୍ୟବସାୟୀ ଚୋରାରେ ବିଭିନ୍ନ କିସମର ବାଣ ସାମଗ୍ରୀ ବିକ୍ରି କରି ପରୋକ୍ଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଧଜିଆ ଉଡାଇଥିବା ଜଣାଯାଇଛି । କିଛି ଅସାଧୁ ବ୍ୟବସାୟୀଙ୍କ ଚୋରା ବାଣ କାରବାର ଯୋଗୁଁ ଗ୍ରୀନ ଦୀପାବଳୀ ପାଳନରେ ଏଭଳି ଗୁରୁତର ସମସ୍ୟା ସୃଷ୍ଟି ହୋଇଥିବା ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।ଏପରିକି ପୂର୍ବରୁ ବାଣ ବ୍ୟବସାୟ ନିମନ୍ତେ ଅନୁମତି ପତ୍ର ହାସଲ କରୁଥିବା କିଛି ଅସାଧୁ ବ୍ୟବସାୟୀ ଲୁକ୍କାୟିତ ଭାବେ ଗୁପ୍ତ ଗୋଦାମରେ ପ୍ରଚୁର ପରିମାଣର ବାଣ ମହଜୁଦ ରଖି ବିକ୍ରି କରିଥିବାବେଳେ ଆଉ କିଛି ବ୍ୟବସାୟୀ ନିଜ ବାସଗୃହରେ ଚଢା ଦରରେ ବାଣ ବିକ୍ରି କରିଥିବା ଜଣାପଡ଼ିଛି।ପୋଲିସ କେବଳ ସ୍ଥାନୀୟ ସହରର ଜଣେ ମାତ୍ର ବ୍ୟବସାୟୀଙ୍କୁ ବାଣ ତାଗିଦ କରିଥିବା ଜଣାପଡ଼ିଛି। କିନ୍ତୁ ଦୀପାବଳୀ ରାତିରେ ଫୁଟିଥିବା ପ୍ରଚୁର ପରିମାଣର ବାଣ ଓ ସୃଷ୍ଟି ହୋଇଥିବା ଅସ୍ୱାସ୍ଥ୍ୟକର ପରିସ୍ଥିତି ପ୍ରତି ପୋଲିସ କିଭଳି ଉଦାସୀନତା ରହିଲା ତାହା ଚାରିଆଡେ ଚର୍ଚ୍ଚା ହେଉଛି ।ଉକ୍ତ ଦିନ ସକାଳେ ସ୍ଥାନୀୟ ତହସିଲଦାର ପ୍ରଭାତ କୁମାର ପରିଡା ଓ ଥାନା ଅଧିକାରୀ ଅଭିମନ୍ୟୁ ଦାସ ବ୍ୟବସାୟୀଙ୍କୁ ବାଣ ବିକ୍ରି ନ କରିବା ପାଇଁ ତାଗିଦ କରିଥିବା ଜଣାପଡ଼ିଛି। କିନ୍ତୁ ବହୁ ଅସାଧୁ ବ୍ୟବସାୟୀ ଲୁଚା ଛପାରେ ବାଣ ବିକ୍ରି କରିବା ଓ ତତ୍ଜଜନିତ ସମସ୍ୟା ସୃଷ୍ଟି ହେଲା ତାହା ଅନେକଙ୍କୁ ବିସ୍ମିତ କରିଛି। ଏଣୁ ଅସାଧୁ ଉପାୟ ଆପଣେଇ ନିର୍ବିଘ୍ନରେ ବ୍ୟବସାୟୀମାନେ ବାଣ ବିକ୍ରି କରି ମାଲାମାଲ ହୋଇଥିଲା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଉଲ୍ଲଙ୍ଘନ ଓ ସ୍ଥାନୀୟ ପ୍ରଶାସନକୁ ଖୋଲାଖୋଲି ବେଖାତିରି କରିଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।


