କମ୍ପ୍ଲେକ୍ସ ନିର୍ମାଣ କାମ ନିମ୍ନମାନର ଅଭିଯୋଗ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ଓ ପ୍ରତିବଦ୍ଧତା ବେଶ ଉଲ୍ଲେଖନୀୟ।ପୋୖରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ଯାଏଁ ଲୋକଙ୍କ ହିତ ସାଧନ ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ପ୍ରଶଂସନୀୟ ଉଦ୍ୟମ ଜାରୀ ରଖିଛନ୍ତି। କିନ୍ତୁ କିଛି ଅସାଧୁ ଓ ଲାଭଖୋରଙ୍କ ମନୋମୁଖୀ କାର୍ଯ୍ୟ କଳାପ ଫଳରେ ଉଦ୍ଦେଶ୍ୟ ସଫଳ ହେବାରେ ବାଧା ସୃଷ୍ଟି ହୋଇଛି। ଉନ୍ନୟନ ପ୍ରକଳ୍ପ ଗୁଡ଼ିକର ନିର୍ମାଣ କାର୍ଯ୍ୟରେ ବହୁ ଅନିୟମିତତା ହେବା ସହ ପ୍ରକଳ୍ପର ସ୍ଥାୟୀତ୍ୱ ପ୍ରତି ସମସ୍ୟା ସୃଷ୍ଟି କରିଛି।ଏଭଳି ଘଟଣା ବହୁ କୋଟି ଟଙ୍କା ବ୍ୟୟରେ ପୋୖରାଞ୍ଚଳରେ ଚାଲିଥିବା ମାର୍କେଟ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟରେ ସାଙ୍ଘାତିକ ତୃଟି ବିଚ୍ୟୁତିର ଅସଲ ଚିତ୍ର ପଦାକୁ ଆସିଛି।କମ୍ପ୍ଲେକ୍ସ ନିର୍ମାଣ କାମ ହାତେଇ ଥିବା ବ୍ରହ୍ମପୁରର ମେମର୍ସ ସାରିକା ସିଭିକନ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ କାର୍ଯ୍ୟ ସମ୍ପାଦନ ବେଳେ ଏଭଳି ସଙ୍ଗୀନ ଅଭିଯୋଗ ହୋଇଛି। କମ୍ପ୍ଲେକ୍ସର ନିର୍ମାଣକାର୍ଯ୍ୟ ଆରମ୍ଭ ପୂର୍ବରୁ ଏବଂ ଛାତର କଂକ୍ରିଟ ଢକେଇ ସମୟରେ ହୋଇଥିବା ଅନିୟମିତତାର ଚିତ୍ର ସାମ୍ନାକୁ ଆସିଛି। ତରବରିଆ ଭାବେ ରାତ୍ର ସମୟରେ କଂକ୍ରିଟ ଢକେଇ ପକାଇବା ଓ ଏହାର କିଛି ସମୟ ପରେ କିଛି ଅଂଶ ଖସିପଡି ଦବିଯିବା ଘଟଣାରେ ଦୁର୍ନୀତିର ଗୁମର ଆଶଙ୍କା ବେଶ ବାରି ହୋଇ ପଡିଛି।ସବୁଠାରୁ ଉଲ୍ଲେଖଯୋଗ୍ୟ ବିଷୟ ହେଲା ୫ଟି ପରିସରରେ ଥିବା ରାଜ୍ୟ ପୂର୍ତ୍ତ ବିଭାଗ ଅଧିନରେ ୧ କୋଟି ୫୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଉକ୍ତ ମାର୍କେଟ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ବେଳେ ଏଭଳି ଖୁଲମଖୁଲା ଅନିୟମିତତା ଓ ସ୍ଥାୟୀତ୍ୱ ପ୍ରତି ବୁଦ୍ଧିଜୀବୀ ଓ ବ୍ୟବସାୟୀ ମହଲରେ ଉଦବେଗ ଓ ପ୍ରତିକ୍ରିୟା ସୃଷ୍ଟି କରିଛି। ସୂଚନା ମୁତାବକ ହିଞ୍ଜିଳିକାଟୁ ପୋୖରାଞ୍ଚଳ ପରିବା ବଜାର ଠାରୁ ବସ ଟର୍ମିନାଲକୁ ଲାଗି ୨ ଟି ମାର୍କେଟ କମ୍ପ୍ଲେକ୍ସର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି।ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ମେମର୍ସ ସାରିକା ସିଭିକନ କମ୍ପାନୀ ଚୁକ୍ତିବଦ୍ଧ ହୋଇଛି।ଏଥିପାଇଁ ବିଭାଗ ପକ୍ଷରୁ ୧ କୋଟି ୫୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି।ସମ୍ପ୍ରତି ସମ୍ପୃକ୍ତ ଠିକା କମ୍ପାନୀ ଦ୍ୱାରା ଦକ୍ଷିଣ ଭାଗ ମାର୍କେଟ କମ୍ପ୍ଲେକ୍ସ କାମ ଚାଲୁ ରହିଛି।ଗତ ମଙ୍ଗଳବାର ରାତିରେ ସମ୍ପୃକ୍ତ କମ୍ପ୍ଲେକ୍ସର ୩ ମହଲାର କଂକ୍ରିଟ ଢକେଇ କାମ ହୋଇଥିଲା। ଉକ୍ତ କାର୍ଯ୍ୟ ଚାଲିଥିଲା ବେଳେ ଏହାର କିଛି ଚିତ୍ର ସୋସିଆଲ ମିଡିଆରେ ଘୁରି ବୁଲିଥିଲା।ବୁଧବାର ସକାଳେ କିଛି ଲୋକ ଏକ ଲୁହାପ୍ଲେଟ ଖସି ସିମେଣ୍ଟ କଂକ୍ରିଟ ଢଳେଇ ଖସି କିଛି ଅଂଶ ଦବି ଯାଇଥିବା ଦେଖିବାକୁ ପାଇଥିଲେ।ଏଭଳି ନିମ୍ନମାନର କାର୍ଯ୍ୟ ହେଉଥିବା ଦେଖି ବହୁ ବୁଦ୍ଧିଜୀବୀ ଘୋର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀଙ୍କ ତଦାରଖରେ ଢଳେଇ କାର୍ଯ୍ୟ ହେବାର ବିଧିବ୍ୟବସ୍ଥା ରହିଛି।ଅଥଚ ବିଭାଗୀୟ ଯନ୍ତ୍ରୀ ସ୍ୱୟଂ ଉପସ୍ଥିତ ଥିଲା ବେଳେ କେଉଁ ଅଦୃଶ୍ୟ ଶକ୍ତିକୁ ହାତ ବାରିସୀ କରି ଏବଂ ଆଶୀର୍ବାଦ ନେଇ ସମ୍ପୃକ୍ତ ଠିକା କମ୍ପାନୀ ଦମ୍ଭ ଦେଖାଇ ଏଭଳି ନିମ୍ନମାନର କାମ କରିବାରେ ସକ୍ଷମ ହୋଇ ପାରିଲା ତାହା ଜାଣିବା ଶୁଣିବା ମହଲକୁ ବିସ୍ମିତ କରିଛି। ତରବରିଆ ଭାବେ ରାତାରାତି ଢଳେଇ କାମ ହେବା,ନିଡିଲ ଭାଇବ୍ରେଟର ବ୍ୟବହାର ନ ହେବା ଓ ପ୍ଲେଟଖସି କଂକ୍ରିଟ ଢଳେଇ ନଷ୍ଟ ହୋଇ ଦବିଯିବା ଘଟଣାରେ ଠିକା କମ୍ପାନୀର କି ମହତ ଉଦ୍ଦେଶ୍ୟ ନିହିତ ରହିଛି ତାହା ସାଧାରଣରେ ନା ନା ପ୍ରକାର ଚର୍ଚ୍ଚା ସୃଷ୍ଟି କରିଛି।ପ୍ରଚୁର ମୁନାଫା ଆଶାରେ ଠିକା ସଂସ୍ଥା ଦ୍ୱାରା ଏଭଳି ନିମ୍ନମାନର କାମ ହେଉଥିବା ଆଶଙ୍କା ସୃଷ୍ଟି ହେବା ସହ ମାର୍କେଟ କମ୍ପ୍ଲେକ୍ସର ଦୀର୍ଘ ସ୍ଥାୟୀତ୍ୱ ପ୍ରତି ଏକ ଗମ୍ଭୀର ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି କରିଛି।ପ୍ରାଥମିକ ସ୍ତରରେ ନଦୀ ବାଲି ଭର୍ତ୍ତି କରିବା ପାଇଁ ନିର୍ଦ୍ଦେଶ ଥିଲା ବେଳେ ସମ୍ପୃକ୍ତ ଠିକା ସଂସ୍ଥା ବଡ଼ ବଡ଼ ପଥର ଓ ଅବ୍ୟବହୃତ ମାଟି ସମତୁଲ କରି କାମ ଚଳେଇ ଦେଇଥିବା ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଛି।ଏଭଳି ଅନିୟମିତତା ସମ୍ପର୍କରେ ଅଭିଯୋଗ ହେଉଥିବା ବେଳେ ବିଭାଗ ଓ ଠିକା ସଂସ୍ଥାର ଅଘୋଷିତ ବୁଝାମଣା ଏବଂ ସଠିକ ସମୟରେ ତଦାରଖ ଅଭାବରୁ କାର୍ଯ୍ୟର ମାନ କିଭଳି ହୋଇଛି ତାହା ସାଧାରଣରେ ଜଳ ଜଳ ହୋଇ ଦେଖାଯାଉଛି।ଘଟଣାଟି ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି।ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଯନ୍ତ୍ରୀ ଉମା ଚରଣ ପାଢ଼ୀଙ୍କ ସହ ଯୋଗାଯୋଗ ବେଳେ ପ୍ଲେଟ ଖସିବାରୁ ଏପରି ଘଟିଥିଲା ଏବଂ ତତ୍କାଳ ମରାମତି କରାଯାଇଥିବା ସେ କହିଛନ୍ତି।ଏକ ଉଚ୍ଚସ୍ତରୀୟ ତଦନ୍ତ ହେଲେ ଘଟଣାର ସତ୍ୟତା ଜଣା ପଡିବ ବୋଲି ପୂର୍ବତନ କାଉନସିଲର ବିଶ୍ବମ୍ବର ସାହୁ ଓ ବିକାଶ ମଞ୍ଚର ସଭାପତି ପ୍ରମୋଦ କୁମାର ପଣ୍ଡା ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ