ପାରଳା ସହରର ଶନିବାର ସାପ୍ତାହୀକ ହାଟର ଚାହିଦା କମିଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ସାପ୍ତାହୀକ ହାଟର ଚାହିଦା ଦିନକୁ ଦିନ କମିବାରେ ଲାଗିଛି । ସୂଚନାଯୋଗ୍ୟ ଯେ, ବହୁ ପୁରାତନ କାଳରୁ ପାରଳାଖେମୁଣ୍ଡି ପୌରପରିଷଦରେ ପ୍ରତ୍ୟେକ ଶନିବାରରେ ସାପ୍ତାହୀକ ହାଟ ବସେ । ଏଥିରେ ଆନ୍ଧ୍ର ଓ ଦକ୍ଷିଣ ଓଡିଶାରୁ ବହୁ ବ୍ୟବସାୟୀ ହାଟରେ ବ୍ୟବସାୟ କରିବାକୁ ଆସୁଥିଲେ । ସେ ସମୟରେ ବହୁତ ଭିଡ ଜମିବା ସହ ଅଞ୍ଚଳବାସୀଙ୍କ ବହୁ ଚାହିଦା ରହିଥିଲା କିନ୍ତୁ ଦିନକୁ ଦିନ ଏହା କମିବାରେ ଲାଗିଛି । ଜିଲ୍ଲା ସଦର ମହକୁମା ହେବା ସତ୍ତ୍ୱେ ଏହାର ଆଖପାଖ ଅଞ୍ଚଳର ବହୁ ଗ୍ରାମାଞ୍ଚଳ ଓ ରାଜ୍ୟ ବାହାର ତଥା ପଡୋଶୀ ଆନ୍ଧ୍ର ପ୍ରଦେଶର ଶତାଧିକ ଗ୍ରାମାଞ୍ଚଳ ଏହି ସହର ଉପରେ ନିର୍ଭର କରି ବିଭିନ୍ନ ବେଉସା କରିଆସୁଥିଲେ । ତେବେ ଗତ କିଛି ବର୍ଷ ହେଲା ଉନ୍ନୟନ ନାମରେ ଏହାକୁ ହଟାଯାଇ ସ୍ୱଳ୍ପ ପରିମାଣର ସ୍ଥାନରେ ସ୍ଥାପନ କରାଯାଇଥିଲା । ହେଲେ ଲୋକେ ବା ବ୍ୟବସାୟୀ ଏହି ସ୍ଥାନକୁ ନାପସନ୍ଦ କରିବା ସହ ବେପାର ବାଟ କରି ଆସୁଥିବା ବ୍ୟବସାୟୀମାନେ ମଧ୍ୟ ଏହି ନୂତନ ସ୍ଥାନକୁ ନାପସନ୍ଦ କରୁଛନ୍ତି । କାରଣ ଏହି ନୂତନ ସ୍ଥାନଟି ଖରା, ଶୀତ, ବର୍ଷା ଦାଉରୁ ରକ୍ଷା ପ୍ରଦାନ କରୁନଥିବା ବେଳେ ସ୍ଥାନଟି କେତେକ ପରିମିତ ତଥା ସ୍ୱଳ୍ପ ପରିମାଣ ସ୍ଥାନ ଭାବେ ପାଲଟିଅଛି । ପୂର୍ବରୁ ଏହି ହାଟର ପରିମିତ ସ୍ଥାନ ବହୁ ଜାଗା ପରିଧି ମଧ୍ୟରେ ଅବସ୍ଥିତଥିଲା । ଅନ୍ୟପକ୍ଷରେ ଗ୍ରାମାଞ୍ଚଳର ବ୍ୟବସାୟୀମାନେ ଏହି ହାଟକୁ ଆସିନପାରିବା ଏବଂ ବଣ୍ୟଜାତ ଦ୍ରବ୍ୟ ଯଥା ଅଁଳା, ହଳଦୀ, ତେନ୍ତୁଳି,ମାଣ୍ଡିଆ, କଳୋଥ, କାନ୍ଦୁଲ, ପାଳକ ପରି ବହୁ ସାମଗ୍ରୀ ସବୁ ଏହି ହାଟ ଗୁଡିକରେ କମ ଦରରେ ବିକ୍ରୟ ହେଉଥିବାରୁ ଅଞ୍ଚଳବାସୀମାନେ ସୁବିଧାରେ ଜିନିଷ ପାଇପାରୁଥିଲେ । ଏହା ସହିତ ହାଟ ଗୁଡିକରେ ନିଜ ହସ୍ତରେ ତିଆରି ହେଉଥିବା ମାଟିର ହାଣ୍ଡି, ବାଉଁଶରେ ତିଆରି ବିଭିନ୍ନ ସାମଗ୍ରୀ ମଧ୍ୟ ବିକ୍ରୟ ହେଉଥିଲା । କିନ୍ତୁ ସେ ଗୁଡିକୁ ଏବେ ଦେଖା ନଥିବା ବେଳେ ହାଟରେ କେବଳ ଗୋମାତାଙ୍କ ବ୍ୟବସାୟ ଚାଲିଥିବାର ଦେଖିବାକୁ ମିଳୁଛି । ଯେଉଁ ହାଟ ଗୁଡିକରେ ବଣ୍ୟଜାତ ଦ୍ରବ୍ୟ ଏବଂ ପନିପରିବା ନେବାପାଇଁ ଲୋକମାନେ ଭିଡ ଜମାଉଥିଲେ ୨ବର୍ଷ ହେଲା କରୋନା କଟକଣା ଭୟକରି ବ୍ୟବସାୟୀମାନଙ୍କ ଦେଖା ନଥିବା ବେଳେ ହାଟରେ କେବଳ ଗୋମାତା ବ୍ୟବସାୟ ଚାଲୁଥିବାର ଦେଖିବାକୁ ମିଳୁଛି । ସରକାରଙ୍କ ପକ୍ଷରୁ ହାଟ ବ୍ୟବସାୟୀମାନଙ୍କୁ ବହୁବାର ସ୍ଥାନ ଚୟନ କରି ବ୍ୟବସାୟ ନିୟମିତ ଭାବେ କରିବାପାଇଁ ନିର୍ଦ୍ଦେଶ ଦେଉଥିବା ବେଳେ ବ୍ୟବସାୟୀମାନଙ୍କ ଖାମଖିଆଲି ଯୋଗୁଁ ସହରରେ ଏହାର କୌଣସି ସ୍ଥାନ ନିର୍ଦ୍ଧାରିତ କରିହେଉନାହିଁ । ଯାହା କିଛି ବ୍ୟବସାୟୀ ଆସୁଛନ୍ତି ନିୟନ୍ତ୍ରିତ ବଜାର କମିଟି ପରିସରରେ ଆଶ୍ରୟ ନେଇ ବ୍ୟବସାୟ କରୁଥିବାର ଦେଖିବାକୁ ମିଳୁଛି ।


