ନାଉଗାଁ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ଜଗତସିଂହପୁର ନିର୍ବାଚନମଣ୍ଡଳୀସ୍ଥିତ ନାଉଗାଁ ବ୍ଲକ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ନାଉଗାଁ ବଜାରରେ ଥିବା କାଦମ୍ବିନୀ ମଣ୍ଡପ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବାଲିକୁଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ଦିବଂଗତ ନେତା ସ୍ୱର୍ଗତ ଉମେଶ ଚନ୍ଦ୍ର ସ୍ୱାଇଁ ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱର୍ଗତ ଲିଙ୍ଗରାଜ ସ୍ୱାଇଁଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ପରେ ବ୍ଲକ ବିଜେଡି ସଭାପତି ସୁଜିତ କୁମାର ମଲ୍ଲିକଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଦଳକୁ ତୃଣମୂଳସ୍ତରରୁ ସୁଦୃଢ ଓ ସୁସଂଗଠିତ କରିବା ସହିତ ଅଂଚଳବାସୀଙ୍କୁ ଉପଯୁକ୍ତ ସେବା ପ୍ରଦାନ କରିବା ପାଇଁ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ତାଙ୍କ ସହିତ ସମ୍ମାନିତ ଅତିଥି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ଜିଲ୍ଲା ବିଜେଡି କୃଷକ ମୋର୍ଚ୍ଚା ସଭାପତି ପ୍ରକାଶ ବସ୍ତିଆ, ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଏଲିନା ଦାସ, ବ୍ଲକ ବିଜେଡି ଯୁବ ସଭାପତି ପ୍ରତ୍ୟୁଷ ପରିଡା, ବ୍ଲକ ବିଜୁ ଛାତ୍ର ଜନତା ସଭାପତି ଲୋକନାଥ ଦାସ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଶାସନ ସଂର୍ପକରେ ବକ୍ତବ୍ୟ ରଖିବା ସହିତ ନାଉଗାଁ ବ୍ଲକକୁ ପ୍ରଗତି ପଥରେ ଆଗେଇ ନେବାକୁ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆତ୍ମା କମିଟି ଅଧ୍ୟକ୍ଷ ବସନ୍ତ ପାଢୀ, ସାଂସଦ ପ୍ରତିନିଧି ଅଜୟ ମହାନ୍ତି ସମେତ ନାଉଗାଁ ବ୍ଲକର ସମସ୍ତ ପଂଚାୟତର ଦଳୀୟ ସଭାପତି, ଦଳର ନିର୍ବାଚିତ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ନାଉଗାଁ ପଂଚାୟତରୁ ବରିଷ୍ଠ କଂଗ୍ରେସ ନେତା ଅଶୋକ କୁମାର ମହାନ୍ତି, ଅଲଣା ପଂଚାୟତରୁ ବ୍ରହ୍ମାନନ୍ଦ ଗଡନାୟକ, ତିରୁଣା ପଂଚାୟତରୁ ନିଲୁରାମ ପରିଡା, ନିଲୁରାମ ଦାସ, ନାରୀନେତ୍ରୀ ସୀମା ଦାସ, ଶର୍ମିଷ୍ଠା ନାୟକ ପ୍ରମୁଖ ଅନ୍ୟ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ । ବିଧାୟକ ଶ୍ରୀ ମୁଦୁଲି ସେମାନଙ୍କୁ ପୁଷ୍ପଗୁଛ ଦେଇ ଦଳକୁ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ