ବାବା ତୁମ୍ବେଶ୍ୱରଙ୍କ ପୀଠରେ ବାଲିଯାତ୍ରା ମହୋତ୍ସବ ଓ ବୋଇତ ବନ୍ଦାଣ ଉତ୍ସବ
ନାଉଗାଁ , (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଦେବୀନଦୀ କୂଳରେ ଅବସ୍ଥିତ ବାବା ତୁମ୍ବେଶ୍ୱରଙ୍କ ପୀଠରେ ବହୁ ପୁରାତନ ବାଲିଯାତ୍ରା ମହୋତ୍ସବ ଓ ବୋଇତ ବନ୍ଦାଣ ଉତ୍ସବ-୨୦୨୬ ମଙ୍ଗଳବାର ମହାଆଡ଼ମ୍ବରରେ ଉଦଘାଟିତ ହୋଇଯାଇଛି। ମଙ୍ଗଳବାର ସକାଳ ୮ଟାରୁ ସାଧବ ପୁଅ ଓ ବୋହୂ ବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁମାନେ ସଙ୍କୀର୍ତ୍ତନ ଓ କାଠି ଲଉଡ଼ି ସହ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପୂଜକ ବିଶ୍ୱନାଥ ପଣ୍ଡାଙ୍କ ଦ୍ୱାରା ବୋଇତ ପୂଜାର୍ଚ୍ଚନା ପରେ ନାଉଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା ଆନୁଷ୍ଠାନିକ ଭାବେ ଉତ୍ସବର ଉଦ୍ଘାଟନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇ ଯୁବପିଢ଼ି ପ୍ରତ୍ୟେକ ଭାରତୀୟ ଓ ଓଡ଼ିଆ ଭାବେ ନିଜକୁ ଗର୍ବ ଅନୁଭବ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ନାଉଗାଁ ଅଞ୍ଚଳ କଳା, ସଂସ୍କୃତି ଓ ଆଧ୍ୟାତ୍ମିକ କ୍ଷେତ୍ରରେ ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ବହନ କରୁଥିବା ବେଳେ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ଦିଗରେ ଏଭଳି ଉତ୍ସବର ଗୁରୁତ୍ୱ ରହିଛି ବୋଲି ଅତିଥିମାନେ ମତ ଦେଇଥିଲେ। ନାଉଗାଁ ହେଉଛି କଳା ଓ ସଂସ୍କୃତିର ମାଟି। ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଏହି ପୁରାତନ ପୀଠରେ ୨୦୦୨ ମସିହାରୁ ଆଡ଼ମ୍ବରପୂର୍ଣ୍ଣ ଭାବେ ଏହି ମହୋତ୍ସବ ଆୟୋଜନ କରି ଆସୁଥିବାରୁ ଆଗାମୀ ଦିନରେ ଏହା ଆହୁରି ଆଗକୁ ବଢ଼ିବ ବୋଲି କମିଟିର ସଦସ୍ୟ ଦେବପ୍ରସାଦ ମହାନ୍ତି, କୈଳାସ ଚନ୍ଦ୍ର ଜେନା, ଲକ୍ଷ୍ମୀଧର ପାତ୍ର, ନୃସିଂହ ଚରଣ ପ୍ରଧାନ, ବାବାଜୀ ଚରଣ ଦାସ, ଅଜୟ ମଲ୍ଲିକ, ବସନ୍ତ ପଲାଇ ଓ ବୀରବର ଲେଙ୍କା ପ୍ରମୁଖ କହିଥିଲେ। ଏହି ଉତ୍ସବରେ ଗଜରାଜପୁର, ରୋହିଆ, ନୂଆଗାଁ, ଗଳଧାରୀ, ତୁମ୍ବା -ଅଣ୍ଡେଇସାହି ସମେତ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଶ୍ରଦ୍ଧାଳୁମାନେ ଦେବୀନଦୀରେ ବୁଡ଼ ପକାଇବା ସହ ପ୍ରସାଦ ସେବନ କରି ଆନନ୍ଦର ସହ ଫେରିଥିଲେ।


