ଅଯୋଧ୍ୟା ବିବାଦ : ଏମିତି ଥିଲା ଘଟଣାବଳୀ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଅଯୋଧ୍ୟା ବିବାଦ ମାମଲାର ରାୟ ଶନିବାର ପ୍ରକାଶ ପାଇଛି । ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରଦତ୍ତ ରାୟକୁ ଦେଶବାସୀ ଉତ୍ସୁକତାର ସହିତ ଅପେକ୍ଷା କରିଥିଲେ । ନଭେମ୍ୱର ୧୭ରେ ରାୟ ଶୁଣାଣି ହେବ ବୋଲି ପୂର୍ବରୁ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଥିଲେ । କିନ୍ତୁ ହଠାତ୍ ଧାର୍ଯ୍ୟ ତାରିଖ ପରିବର୍ତ୍ତନ କରାଯାଇ ନଭେମ୍ୱର ୯ ଶନିବାର ରାୟ ଘୋଷଣା କରାଯିବ ବୋଲି ନିଷ୍ପତ୍ତି ନେଇଥିଲେ । ତେବେ ଦେଶର ସବୁଠାରୁ ପୁରାତନ ଜମି ବିବାଦ ମାମଲାର ଆଦ୍ୟ କେଉଁଠୁ ହୋଇଥିଲା ଏବଂ ପର୍ଯ୍ୟାୟକ୍ରମେ ଏହି ମାମଲା କେଉଁ ଦିଗରେ ଯାଇଥିଲା ତାହାର ସମ୍ପୂର୍ଣ୍ଣ ଘଟଣାବଳୀ ନିମ୍ନରେ ଦିଆଗଲା ।
୧୫୨୮:ଅଯୋଧ୍ୟାରେ ଏକ ଏପରି ସ୍ଥଳରେ ମସଜିଦ ନିର୍ମାଣ କରାଗଲା, ଯାହାକୁ ଅନେକ ହିନ୍ଦୁ ଭଗବାନ ଶ୍ରୀରାମଙ୍କ ଜନ୍ମ ସ୍ଥାନ ବୋଲି ବିବେଚନା କରନ୍ତି ।
୧୮୫୩:ପ୍ରଥମଥର ପାଇଁ ଏହି ସ୍ଥଳରେ ସାଂପ୍ରଦାୟିକ ଦଙ୍ଗା ହୋଇଥିଲା । ଅନୁମାନ କରାଯାଏ ମୋଗଲ ସମ୍ରାଟ ବାବର ଏହି ମସଜିଦ ନିର୍ମାଣ କରିଥିଲେ, ଯେଉଁଥିପାଇଁ ଏହାକୁ ବାବ୍ରୀ ମସଜିଦ ବୋଲି କୁହାଯାଏ ।
୧୮୫୯:ବ୍ରିଟିସ ଶାସକ ଏହି ବିବାଦୀୟ ସ୍ଥଳରେ ପ୍ରାଚୀର ନିର୍ମାଣ କରିଦେଲେ । ପରିସରର ଭିତର ଅଂଶକୁ ମୁସଲମାନମାନଙ୍କୁ ଏବଂ ବାହାର ଅଂଶକୁ ହିନ୍ଦୁମାନଙ୍କୁ ପ୍ରାର୍ଥନା କରିବାକୁ ଅନୁମତି ଦେଲେ ।
୧୯୪୯:ମସଜିଦରୁ ମିଳିଲା ଭଗବାନଙ୍କ ରାମଙ୍କ ମୂର୍ତ୍ତି । କେତେ ଜଣ ହିନ୍ଦୁ ଏହି ମୂର୍ତ୍ତି ନେଇ ମସଜିଦରେ ରଖିଥିବା କୁହାଯାଇଥିଲା । ମୁସଲମାନମାନେ ଏହାକୁ ବିରୋଧ କରିଥିଲେ । ଏହାପରେ ଉଭୟ ପକ୍ଷରୁ କୋର୍ଟରେ ମାମଲା ଦାୟର କରାଯାଇଥିଲା । ସରକାର ଉକ୍ତ ସ୍ଥଳକୁ ବିବାଦୀୟ ଘୋଷଣା କରି ସେଠାରେ ତାଲା ପକାଇଥିଲେ ।
୧୯୮୪:ଭଗବାନ ରାମଙ୍କ ସ୍ଥଳକୁ ମୁକ୍ତ କରି ରାମ ମନ୍ଦିର ନିର୍ମାଣ ଲାଗି କିଛି ହିନ୍ଦୁ ବିଶ୍ୱ ହିନ୍ଦୁ ପରିଷଦ ନେତୃତ୍ୱରେ ଏକ ସମିତି ଗଠନ କଲେ । ପରେ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଏହାର ନେତୃତ୍ୱ ନେଇଥିଲେ ।
୧୯୮୬:ହିନ୍ଦୁମାନଙ୍କୁ ପ୍ରାର୍ଥନା କରିବା ଲାଗି ଜିଲ୍ଲା ମାଜିଷ୍ଟ୍ରେଟ ବିବାଦୀୟ ମସଜିଦରୁ ତାଲା ଖାଲିଥିଲେ । ଏହାକୁ ବିରୋଧ କରି ମୁସଲମାନଙ୍କ ପକ୍ଷରୁ ବାବ୍ରୀ ମସଜିଦ ସଂଘର୍ଷ ସମିତି ଗଠନ କରାଯାଇଥିଲା ।
୧୯୯୦:ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାମାନେ ବାବ୍ରୀ ମସଜିଦର କିଛି ଅଂଶକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ତକ୍ରାଳୀନ ପ୍ରଧାନମନ୍ତ୍ରୀ ଆଲୋଚନା ଜରିଆରେ ବିବାଦର ସମାଧାନ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ ।
୧୯୯୨:ବିଶ୍ୱ ହିନ୍ଦୁ ପରିଷଦ, ଶିବ ସେନା ଏବଂ ବିଜେପି କାର୍ଯ୍ୟକର୍ତ୍ତାମାନେ ଡିସେମ୍ୱର ୬ରେ ବାବ୍ରୀ ମସଜିଦକୁ ଭାଙ୍ଗିଦେଇଥିଲେ । ଏହାପରେ ଦେଶବ୍ୟାପୀ ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା, ଯେଉଁଥିରେ ୨୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ।
୧୯୯୮:ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ କଲା ।
୨୦୦୧:ବାବ୍ରୀ ମସଜିଦ ଭଙ୍ଗାଯିବାର ବର୍ଷ ପୂର୍ତ୍ତି ଅବସରରେ ଉତ୍ତେଜନା ବୃଦ୍ଧି ପାଇଥିଲା ଏବଂ ବିଶ୍ୱ ହିନ୍ଦୁ ପରିଷଦ ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ କରିବାକୁ ନିଜର ସଙ୍କଳ୍ପ ଦୋହରାଇଲା ।
୨୦୦୨:ଅଯୋଧ୍ୟା ବିବାଦର ସମାଧାନ ଲାଗି ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜାନୁୟାରୀ ମାସରେ ଅଯୋଧ୍ୟା ସମିତି ଗଠନ କଲେ ।
୨୦୦୨ ଫେବୃୟାରୀ:ବିଜେପି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନିଜର ଇସ୍ତାହାରରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ସାମିଲ କରିବାକୁ ମନା କରିଦେଲା । ବିଶ୍ୱ ହିନ୍ଦୁ ପରିଷଦ ମାର୍ଚ୍ଚ ୧୫ରୁ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବ ବୋଲି ଘାଷଣା କଲା । ଶତାଧିକ ହିନ୍ଦୁ କାର୍ଯ୍ୟକର୍ତ୍ତା ଅଯୋଧ୍ୟାରେ ଏକାଠି ହୋଇଥିଲେ । ସେମାନେ ଅଯୋଧ୍ୟାରୁ ଟ୍ରେନରେ ଫେରିବା ସମୟରେ ଗୁଜରାଟର ଗୋଧ୍ରାଠାରେ ସେମାନଙ୍କୁ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ୫୮ ଜଣ ପ୍ରାଣ ହରାଇଥିଲେ ।
୨୦୦୨ ମାର୍ଚ୍ଚ ୧୩ : ଅଯୋଧ୍ୟାରେ ଶିଳା ପୂଜନ ପାଇଁ କାହାକୁ ସରକାରଙ୍କ ଦ୍ୱାରା ଅନୁମତି ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
୨୦୦୨ ଜୁନ ୨୨:ମନ୍ଦିର ନିର୍ମାଣ ପାଇଁ ବିଶ୍ୱ ହିନ୍ଦୁ ପରିଷଦ ବିବାଦୀୟ ଜମିକୁ ହସ୍ତାନ୍ତରଣ ପାଇଁ ଦାବି ଉଠାଇଲା ।
୨୦୦୩ ମାର୍ଚ୍ଚ:ବିବାଦୀୟ ସ୍ଥଳରେ ପୂଜାପାଠ କରିବାକୁ ଅନୁମତି ଦେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ଅନୁରାଧକୁ ସୁପ୍ରିମକୋର୍ଟ ଖାରଜ କଲେ ।
୨୦୦୩ ଏପ୍ରିଲ:ଆଲ୍ଲାହାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ବିବାଦୀୟ ସ୍ଥଳରେ ଖନନ ଆରମ୍ଭ ହୋଇଥିଲା । ଜୁନରେ ଖନନ ସରିବା ପରେ ସେଠାରୁ ମନ୍ଦିରର କିଛି ଅବଶେଷ ମିଳିଥିବା ରିପୋର୍ଟ ଆସିଲା ।
୨୦୦୩ ମେ:୧୯୯୨ରେ ଅଯୋଧ୍ୟାରେ ବାବ୍ରି ମସଜିଦ ଭଙ୍ଗାଯିବା ମାମଲାରେ ସିବିଆଇ ଲାଲକୃଷ୍ଣ ଆଡୱାଣୀଙ୍କ ସମେତ ୮ ଜଣଙ୍କ ବିରୋଧରେ ସପ୍ଲିମେଣ୍ଟାରୀ ଚାର୍ଜଶିଟ୍ ଦାଖଲ କଲା ।
୨୦୦୩ ଜୁନ:କାଞ୍ଚି ପୀଠର ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀ ମାମଲାର ସମାଧାନ ପାଇଁ ମଧ୍ୟସ୍ଥତା କଲେ ଏବଂ ଜୁଲାଇ ସୁଦ୍ଧା ପ୍ରସଙ୍ଗର ସମାଧାନ ହେବ ବୋଲି ଆଶା କରାଗଲା, କିନ୍ତୁ ଏଭଳି କିଛି ହେଲା ନାହିଁ ।
୨୦୦୪ ଏପ୍ରିଲ:ଲାଲକୃଷ୍ଣ ଆଡୱାଣୀ ଅଯୋଧ୍ୟାରେ ଅସ୍ଥାୟୀ ରାମମନ୍ଦିରରେ ପୂଜାର୍ଚ୍ଚନା କଲେ ଏବଂ କହିଲେ ଯେ ନିଶ୍ଚିତ ରୂପେ ମନ୍ଦିର ନିର୍ମାଣ କରାଯିବ ।
୨୦୦୫ ଜାନୁୟାରୀ:ବାବ୍ରୀ ମସଜିଦ ଭଙ୍ଗା ମାମଲାରେ ଲାଲକୃଷ୍ଣ ଆଡୱାଣୀଙ୍କୁ କୋର୍ଟଙ୍କ ସମନ ଜାରି ।
୨୦୦୫ ଜୁଲାଇ:ବିବାଦୀୟ ସ୍ଥଳ ପରିସରରେ ୫ ସଶସ୍ତ୍ର ଆତଙ୍କବାଦୀଙ୍କ ଆକ୍ରମଣ କଲେ । ଯେଉଁମାନେ ପରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ନିହତ ହୋଇଥିଲେ । ଏଥିରେ ୬ ଜଣ ଲାକ ପ୍ରାଣ ହରାଇଥିଲେ ।
୨୦୦୫ ଜୁଲାଇ ୬:ବାବ୍ରୀ ମସଜିତ ଭଙ୍ଗାଯିବା ସମୟରେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବା ମାମଲାରେ ଛାଡ଼ ପାଇଥିବା ବିଜେପି ନେତା ଲାଲକୃଷ୍ଣ ଆଡୱାଣୀଙ୍କୁ ପୁଣି ସାମିଲ କରିବାକୁ ଆଲାହାବାଦ ହାଇକୋର୍ଟ ଆଦେଶ ଦେଲେ ।
୨୦୦୬ ଏପ୍ରିଲ ୨୦:କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ଲିବରହାନ କମିଟି ସମ୍ମୁଖରେ ଲିଖିତ ଅଭିଯାଗ କରି ବାବ୍ରୀ ମସଜିଦ ଭଙ୍ଗାଯିବା ଘଟଣା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା ଏବଂ ଏଥିରେ ବିଜେପି, ଆରଏସଏସ, ବଜରଙ୍ଗ ଦଳ ଏବଂ ଶିବସେନାର ହାତ ଥିଲା ।
୨୦୦୭ ମାର୍ଚ୍ଚ ୧୯:କଂଗ୍ରେସ ଏମପି ରାହୁଲ ଗାନ୍ଧୀ ନିର୍ବାଚନୀ ଗସ୍ତ ସମୟରେ କହିଲେ ଯେ, ଯଦି ନେହରୁ-ଗାନ୍ଧୀ ପରିବାରର କୌଣସି ସଦସ୍ୟ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ, ତେବେ ବାବ୍ରୀ ମସଜିଦ ଭାଙ୍ଗି ନ ଥାନ୍ତା । ରାହୁଲଙ୍କ ଏପରି ମନ୍ତବ୍ୟକୁ କଡ଼ା ବିରୋଧ ହୋଇଥିଲା ।
୨୦୦୯ ଜୁନ ୩୦:ବାବ୍ରୀ ମସଜିଦ ଭଙ୍ଗାଯିବା ମାମଲାର ତଦନ୍ତ ପାଇଁ ଗଠିତ ଲିବରହାନ କମିଟି ୧୭ ବର୍ଷ ପରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ ।
୨୦୦୯ ଜୁଲାଇ ୭:ଅଯୋଧ୍ୟା ବିବାଦ ସହିତ ଜଡ଼ିତ ୨୩ଟି ଗୁରୁତ୍ୱପୂର୍ଣ୍ଣ ଫାଇଲ ସଚିବାଳୟରୁ ଗାଏବ ହୋଇଯାଇଥିବା ଉତ୍ତର ପ୍ରଦେଶ ସରକାର ସ୍ୱୀକାର କଲେ ।
୨୦୦୯ ନଭେମ୍ୱର ୨୪:ଲିବରହାନ କମିଟି ରିପୋର୍ଟ ସଂସଦର ଉଭୟ ସଦନରେ ଉପସ୍ଥାପନ କରାଗଲା । କମିଟି ଅଟଳ ବିହାରୀ ବାଜପେୟୀ ଏବଂ ଗଣମାଧ୍ୟମକୁ ରିପୋର୍ଟରେ ଦୋଷୀ ଦର୍ଶାଇଥିଲେ ।
୨୦୧୦ ମେ ୨୦:ବାବ୍ରୀ ମସଜିଦ ଭଙ୍ଗା ମାମଲାରେ ଲାଲକୃଷ୍ଣ ଆଡୱାଣୀ ଏବଂ ଅନ୍ୟ ନେତାଙ୍କ ବିରୋଧରେ ଅପରାଧିକ ମାମଲା ଚଳାଇବାକୁ ହୋଇଥିବା ଆବେଦନ ହାଇକୋର୍ଟରେ ଖାରଜ ।
୨୦୧୦ ଜୁଲାଇ ୨୬:ଆଲାହାବାଦ ହାଇକୋର୍ଟରେ ରାମଜନ୍ମଭୂମି-ବାବ୍ରୀ ମସଜିଦ ମାମଲାର ଶୁଣାଣି ଶେଷ ।
୨୦୧୦ ସେପ୍ଟେମ୍ୱର ୮:ସେପ୍ଟେମ୍ୱର ୨୪ରେ ରାୟ ଶୁଣାଣି ପାଇଁ ଆଲାହାବାଦ ହାଇକୋର୍ଟଙ୍କ ଘୋଷଣା ।
୨୦୧୦ ସେପ୍ଟେମ୍ୱର ୩୦:ଆଲାହାବାଦ ହାଇକୋର୍ଟଙ୍କ ଐତିହାସିକ ରାୟ ପ୍ରକାଶ । ହାଇକୋର୍ଟ ବିବାଦୀୟ ସ୍ଥଳକୁ ରାମଙ୍କ ଜନ୍ମଭୂମି ବୋଲି ଘୋଷଣା କଲେ ଏବଂ ତାହାକୁ ୩ ଭାଗରେ ବାଣ୍ଟିଦେଲେ ।
୨୦୧୧ ମେ ୯:ସୁପ୍ରିମକୋର୍ଟ ଆଲାହାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇଥିଲେ ।
୨୦୧୬ ଫେବୃୟାରୀ ୨୬ : ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ ପାଇଁ ସୁବ୍ରମଣ୍ୟମ ସ୍ୱାମୀ ସୁପ୍ରିମକୋର୍ଟରେ ପିଟିଶନ ଦାୟର କଲେ ।
୨୦୧୭ ମାର୍ଚ୍ଚ ୨୧:ଅଯୋଧ୍ୟା ବିବାଦ ମାମଲାର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ଲାଗି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜେ.ଏସ. ଖେହର କହିଥିଲେ । ଜଷ୍ଟିସ ଖେହର ନିଜେ ଆଲୋଚନାର ମଧ୍ୟସ୍ଥତା କରିପାରିବେ ବୋଲି କହିଥିଲେ । ଏହାକୁ ବିଜେପି ନେତା ଲାଲକୃଷ୍ଣ ଆଡୱାଣୀଙ୍କ ସମେତ ଅନେକ ନେତା ସ୍ୱାଗତ କରିଥିଲେ ।
୨୦୧୭ ଅଗଷ୍ଟ ୮ : ବିବାଦୀୟ ସ୍ଥାନଠାରୁ କିଛି ଦୂରରେ ଥିବା ମୁସଲିମ ବହୁଳ ଅଞ୍ଚଳରେ ମସଜିଦ ନିର୍ମାଣ ହୋଇପାରିବ ବୋଲି ଉତ୍ତର ପ୍ରଦେଶ ସିଆ ସେଣ୍ଟ୍ରାଲ ୱାକଫ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ାଯାଇଥିଲା ।
୨୦୧୭ ନଭେମ୍ୱର ୨୦:ଅଯୋଧ୍ୟାରେ ମନ୍ଦିର ଏବଂ ଲକ୍ଷେ୍ନøରେ ମସଜିଦ ନିର୍ମାଣ କରାଯାଇପାରିବ ବୋଲି ସିଆ ସେଣ୍ଟ୍ରାଲ ୱାକଫ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଥିଲା ।
୨୦୧୭ ଡିସେମ୍ୱର ୧:୩୨ କାର୍ଯ୍ୟକର୍ତ୍ତା ଆଲାହାବାଦ ହାଇକୋର୍ଟଙ୍କ ୨୦୧୦ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏଥିରେ ଫିଲ୍ମ ନିର୍ମାତା ଅପର୍ଣ୍ଣା ସେନ୍‌, ଶ୍ୟାମ ବେନେଗଲ ଏବଂ ମାନବାଧିକାର କର୍ମୀ ତୀସ୍ତା ସୀତଲୱାଡଙ୍କ ସମେତ ସୁବ୍ରମଣ୍ୟମ ସ୍ୱାମୀଙ୍କ ଆବେଦନ ସାମିଲ ଥିଲା ।
୨୦୧୮ ଫେବୃୟାରୀ ୮:ସୁପ୍ରିମକୋର୍ଟରେ ଦିୱାନୀ ମାମଲାର ଶୁଣାଣି ଆରମ୍ଭ ।
୨୦୧୮ ମାର୍ଚ୍ଚ ୧୪:ସୁପ୍ରିମକୋର୍ଟ ସୁବ୍ରମଣ୍ୟମ ସ୍ୱାମୀଙ୍କ ସମେତ ସମସ୍ତ ଅନ୍ତରୀଣ ପିଟିଶନଗୁଡ଼ିକୁ ଖାରଜ କରିଦେଲେ । କେବଳ ସୁବ୍ରମଣ୍ୟମ ସ୍ୱାମୀଙ୍କ ପିଟିଶନ ସମ୍ପର୍କରେ କୋର୍ଟ କହିଥିଲେ ଯେ, ବର୍ତ୍ତମାନ ଏହାକୁ ଏକ ଅଲଗା ପିଟିଶନ ରୂପରେ ସୂଚୀବଦ୍ଧ କରାଯିବ ।
୨୦୧୮ ଜୁଲାଇ ୧୩:ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ଯେ ଅଯୋଧ୍ୟା ବିବାଦ ମାମଲାର ଜୁଲାଇ ୨୦ରୁ ନିୟମିତ ଶୁଣାଣି ହେବ ।
୨୦୧୮ ସେପ୍ଟେମ୍ୱର ୨୭ : ସୁପ୍ରିମକୋର୍ଟ ରାମ ଜନ୍ମଭୂମି-ବାବ୍ରୀ ମସଜିଦ ସମ୍ପର୍କିତ ୧୯୯୪ର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ମନା କଲେ । ସୁପ୍ରିମକୋର୍ଟ କହିଥିଲେ ଯେ, ମସଜିଦରେ ନମାଜ ପାଠ କରିବା ଇସଲାମର ଅଭିନ୍ନ ଅଙ୍ଗ ନୁହେଁ । ଏହା ସହିତ ସୁପ୍ରିମକୋର୍ଟ ଇସମାଇଲ ଫାରୁକୀ ମାମଲାକୁ ସାମ୍ୱିଧାନିକ ପୀଠକୁ ପଠାଇବାକୁ ମଧ୍ୟ ମନା କଲେ ।
୨୦୧୯ ନଭେମ୍ୱର ୯: ବହୁ ପ୍ରତୀକ୍ଷିତ ରାମଜନ୍ମଭୂମି-ବାବ୍ରୀ ମସଜିଦ ମାମଲାର ରାୟ ଶୁଣାଣି ଆରମ୍ଭ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠଙ୍କ ରାୟ ଶୁଣାଣି କରି ବିବାଦୀୟ ସ୍ଥଳକୁ ହିନ୍ଦୁମାନଙ୍କୁ ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ । ଏହା ସହିତ ମୁସଲମାନଙ୍କୁ ଅଯୋଧ୍ୟା ସହରର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ଦେବା ସହ ମସଜିଦ ନିର୍ମାଣରେ ସହାୟତା କରିବାକୁ କେନ୍ଦ୍ର ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଜାରି କଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ