ଭିକ ମାଗୁଥିବା ମହିଳାଙ୍କ ବ୍ୟାଗ୍ରୁ ମିଳିଲା ନଗଦ ୧୫ଲକ୍ଷ ଟଙ୍କା
ପୁଡୁଚେରୀ : ପୁଡୁଚେରୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପୁଡୁଚେରୀର ଏକ ମନ୍ଦିର ସାମ୍ନାରେ ବସୁଥିବା ଜଣେ ମହିଳା ଭିକାରିଙ୍କ ବ୍ୟାଗ୍ରୁ ନଗଦ ୧୫ ଲକ୍ଷ ଟଙ୍କା ମିଳିବା ସହିତ ତାଙ୍କ ବ୍ୟାଙ୍କ ଜମାଖାତାରେ ୨ଲକ୍ଷ ଟଙ୍କା ଜମା ଥିବା ଜାଣି ଘଟଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ଏହି ମହିଳା ଭିକାରିଙ୍କ ପାଖରେ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ବୋଲି ଯଦି ମନରେ ପ୍ରଶ୍ନ ଉଠୁଛି ତେବେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଛିୁ ଯେ, ଏହି ଟଙ୍କା ୭୦ ବର୍ଷୀୟ ପ୍ରଭାଥମ୍ ନାମ୍ନୀ ମହିଳା ଭିକାରି ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଠାରୁ ଭିକମାଗି ଏକାଠି କରି ରଖିଛନ୍ତି । ସୂଚନାଯୋଗ୍ୟ, ମନ୍ଦିର ପ୍ରଶାସନ ମନ୍ଦିର ଆଖପାଖରେ ଥିବା ଫୁଟପାଥରୁ ଭିକାରିଙ୍କୁ ଉଠିବାକୁ କହିଥିଲେ । କିନ୍ତୁ ୭୦ବର୍ଷର ପ୍ରଭାଥମ୍ ସେହି ସ୍ଥାନ ଛାଡିବାକୁ ରୋକଠୋକ ମନା କରି ଦେଇଥିଲେ । ଏହାପରେ ମନ୍ଦିର ପ୍ରଶାସନ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଭିକାରିଙ୍କୁ ବୁଝାସୁଝା କରିବା ପରେ ତାଙ୍କ ବ୍ୟାଗ୍ ଯାଞ୍ଚ କରିଥିଲା । ଭିକାରିଙ୍କ ବ୍ୟାଗ ଯାଞ୍ଚ କରିବା ସମୟରେ ପୁଲିସ ପ୍ରଭାଥମ୍ ନାମକ ମହିଳା ଭିକାରିଙ୍କ ବ୍ୟାଗ୍ରୁ ନଗଦ ୧୫ଲକ୍ଷ ଟଙ୍କା ପାଇ ହତବାକ୍ ହୋଇଯାଇଥିଲା । କେବଳ ଏତିକି ନୁହେଁ, ଏଥିସହିତ ଭିକାରିଙ୍କ ବ୍ୟାଗ୍ରୁ ପୁଲିସକୁ ତାଙ୍କ ନାମର ଏକ ପାସ୍ବୁକ୍ ମିଳିଥିଲା । ଯେଉଁଥିରେ ଉକ୍ତ ଭିକାରିଙ୍କ ନାମରେ ବ୍ୟାଙ୍କ ଜମା ଖାତାରେ ୨ଲକ୍ଷ ଟଙ୍କା ଜମା ହୋଇଛି ବୋଲି ଯାଞ୍ଚରୁ ଜଣାପଡ଼ିଥିଲା । ମହିଳା ଭିକାରିଙ୍କ ଏହି ବ୍ୟାଗରୁ ଆଧାରକାର୍ଡ ବି ପୁଲିସ ହାତରେ ଲାଗିଥିଲା ।


