“ଗାଁ’ରେ ପ୍ରଶାସନ”ଅଭିଯାନରେ ରୂପସାରେ ରାଜସ୍ୱ ସେବା
ବାଲେଶ୍ୱର, (ସରୋଜ ପଣ୍ଡା) : ଡିସେମ୍ବର ୨୦ ରୁ ୨୫ ତାରିଖ ପର୍ଯ୍ୟନ୍ତ ଉତ୍ତମ ଶାସନ ସପ୍ତାହ ପାଳନ ଅବସରରେ ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳରେ ସ୍ୱତନ୍ତ୍ର ଶିବିର “ଗାଁରେ ପ୍ରଶାସନ” ଆୟୋଜନ ସହ ଲୋକଙ୍କୁ ରାଜସ୍ୱ ସେବା ଅନ୍ତର୍ଗତ ବିଭିନ୍ନ ପ୍ରମାଣପତ୍ର ବଣ୍ଟନ କରାଯାଉଛି । ଜିଲାର ବିଭିନ୍ନ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଗାଁମାନଙ୍କରେ ଶିବିର ଆୟୋଜନ କରାଯାଇ ବିଭିନ୍ନ ପ୍ରମାଣପତ୍ର ଯେପରିିକି ଜମି ପଟ୍ଟା, ବିବିଧ ପ୍ରମାଣପତ୍ର, ବୈଧ ଉତ୍ତରାଧିକାରୀ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଜମି କିସମ ପରିବର୍ତ୍ତନ ପ୍ରମାଣପତ୍ର ଇତ୍ୟାଦି ପ୍ରଦାନ କରାଯାଉଛି । ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ବିଭାଗୀୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହା ଜିଲାବ୍ୟାପୀ ଜାରି ରହିଛି । ଏହି କ୍ରମରେ ସଦର ତହସିଲ ଅନ୍ତର୍ଗତ ରୂପସା ଗ୍ରାମରେ ଶୁକ୍ରବାର ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଆବେଦନକାରୀଙ୍କୁ ବିଭିନ୍ନ ପ୍ରମାଣପତ୍ର ବଣ୍ଟନ କରାଯାଇଛି । ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଏଥିରେ ଯୋଗଦେଇ ବଣ୍ଟନ କାର୍ଯ୍ୟ ଶୁଭାରମ୍ଭ କରିବା ସହ ପ୍ରଶାସନକୁ କ୍ରିୟାଶୀଳ କରି ଜନସାଧାରଣ ନିକଟରେ ଉତ୍ତମ ସେବା ପହଞ୍ଚାଇବା ଏଭଳି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ଏହା ଦ୍ୱାରା ଜିଲ୍ଲାର ଜନସାଧାରଣ ହାତ ପାଆନ୍ତାରେ ରାଜସ୍ୱ ସେବା ପାଇପାରୁଛନ୍ତି । ୫-ଟି କାର୍ଯ୍ୟକ୍ରମ ଆଧାରରେ ରାଜସ୍ୱ ବିଭାଗ ତ୍ରୁଟିଶୂନ୍ୟ, ତ୍ୱରିତ ସେବା ଯୋଗାଇବା ପାଇଁ ଅନଲାଇନରେ ବିଭିନ୍ନ ସେବା ଯୋଗାଉଛି । ମାତ୍ର ଯେଉଁ ଲୋକମାନଙ୍କ ପାଖରେ ଇଂଟରନେଟ୍ ସୁବିଧା ନାହିଁ ସେମାନେ ରାଜସ୍ୱ ବିଭାଗର ବିଭିନ୍ନ ଦପ୍ତର କିମ୍ବା ମୋ ସେବା କେନ୍ଦ୍ରର ସହାୟତା ନେଉଛନ୍ତି । ତେଣୁ ଏଭଳି ଅଭିନବ ବ୍ୟବସ୍ଥା ମାଧ୍ୟମରେ ରାଜସ୍ୱ କର୍ମଚାରୀମାନେ ଲୋକଙ୍କ ପାଖରେ ପହଞ୍ଚି ଆବେଦନ ଗ୍ରହଣ କରିବା ସହିତ ସେମାନଙ୍କୁ ସେବା ଯୋଗାଉଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସଦର ତହସିଲଦାର ଅନାମିକା ସିଂ, ଅତିରିକ୍ତ ତହସିଲଦାର ସୁବ୍ରତ କୁମାର ପାତ୍ର, ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖ ଏଥିରେ ଯୋଗଦେଇ ଏଭଳି ସେବା ବ୍ୟବସ୍ଥା ସମ୍ପର୍କର୍ରେ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରିଥିଲେ ।


