କ୍ଳିନ୍ ସୁଇପ ଲକ୍ଷ୍ୟରେ ବିଜେଡ଼ି
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ରାଜ୍ୟରେ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ଚଳିତ ମାସ ୧୬ ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ହିଞ୍ଜିଳିକାଟୁ ବ୍ଳକର ୨୧ଟି ପଞ୍ଚାୟତରେ ୩ଟି ଜିଲ୍ଲା ପରିଷଦ ଆସନ ସମେତ ସରପଞ୍ଚ, ସମିତି ମେମ୍ବର ଓ ୩୦୭ ୱାର୍ଡ଼ ସଭ୍ୟ ସକାଶେ ନିର୍ବାଚନ ଅନୁଷ୍ଠିତ ହେବ । ଗଞ୍ଜାମ ଜିଲ୍ଲା ରାଜନୀତିରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ସର୍ବଦା ଚର୍ଚ୍ଚାରେ ରହିଆସିଛି । ପଞ୍ଚାୟତ ନିର୍ବାଚନ ଠାରୁ ଆରମ୍ଭ କରି ପୌର ସମେତ ସାଧାରଣ ନିର୍ବାଚନରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ସର୍ବଦା ରାଜନୈତିକ ଦୃଶ୍ୟପଟର ଚର୍ଚ୍ଚାରେ ରହିଛି । ଏକଦା କଂଗ୍ରେସର ଅଭେଦ ଦୁର୍ଗ ଭାବେ ପରିଚିତ ଥିବା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ୧୯୯୦ ମସିହାରେ ଜନତାଦଳ ବିଜୟର ସ୍ୱାଦ ଚାଖିଥିଲା । ୧୯୯୫ରେ ପୁଣି କଂଗ୍ରେସ କ୍ଷମତାକୁ ଫେରିଥିଲା । ୧୯୯୭ ମସିହାରେ କଳିଙ୍ଗର ବରପୁତ୍ର ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ନବୀନ ପଟ୍ଟନାୟକ ରାଜନୀତିରେ ପାଦ ଥାପିଥିଲେ । କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ପରେ ଗତ ୨୦୦୦ ମସିହାରେ ପ୍ରଥମ ଥର ଲାଗି ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭା ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇ ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲେ ଓ ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ବିଜୟ ମୁକୁଟ ପିନ୍ଧିଥିଲେ । । ସେହି ଦିନ ଠାରୁ କଂଗ୍ରେସର ଅଭେଦ ଦୁର୍ଗ ଭାବେ ପରିଚିତ ଥିବା ହିଞ୍ଜିଳି ବିଜେଡ଼ି ଗଡ଼ ଭାବେ ପରିଚିତ ହୋଇଆସୁଛି । ପରେ ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ବିଜୟଲାଭ କରିବା ସହ ଲାଗାତାର ୫ଥର ଲାଗି ହିଞ୍ଜିଳି ବିଧାୟକ ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ଗୌରବ ଅର୍ଜନ କରି ଆସୁଛନ୍ତି । ସେହି ଦିନ ଠାରୁ କଂଗ୍ରେସର ଅଭେଦ ଦୁର୍ଗ ଭାବେ ପରିଚିତ ଥିବା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ବିଜେଡ଼ିର ଗଡ଼ ଭାବେ ପରିଚିତ ହୋଇଆସିଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ପାଦ ଥାପିବା ପରଠାରୁ କଂଗ୍ରେସର ଦୁର୍ଗ ଭାଙ୍ଗି ବିଜେଡ଼ିର ବିଜୟ ଧାରା ଲାଗି ରହିଛି । ଏହା ପରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଥିଲା । ଗତ ୨୦୧୯ ସାଧାରଣ ନିର୍ବାଚନ ପର ଠାରୁ କଂଗ୍ରେସକୁ ପଛରେ ପକାଇ ବିଜେପି ୨ୟ ସ୍ଥାନରେ ରହିଛି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଉଭୟ ବିଜେପି ଓ କଂଗ୍ରେସ ନିଜର ପୂର୍ବ ସ୍ଥିତି ଫେରି ପାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ରାଜ୍ୟ ମୁଖିଆଙ୍କ ଗଡ଼ର ୩ଟି ଜିଲ୍ଲା ପରିଷଦ ଆସନରେ ବିଜେଡ଼ି କ୍ଳିନ୍ ସୁଇପ କରିବା ଲକ୍ଷ୍ୟରେ ଦଳୀୟ କର୍ମୀ ମାନେ ଏକ ହୋଇ ଲାଗି ପଡ଼ିଛନ୍ତି । ଏଭଳି ସ୍ଥିତିରେ ରାଜ୍ୟ ମୁଖିଆଙ୍କ ଗଡ଼ ହିଞ୍ଜିଳିକାଟୁ ବ୍ଳକରେ ୩ଟି ଜିଲ୍ଲା ପରିଷଦ ଜୋନ ରହିଥିବା ବେଳେ ଏଠାରେ ୩ ପ୍ରମୁଖ ଦଳ ନିଜର ପ୍ରାର୍ଥୀଙ୍କୁ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ କରିଛନ୍ତି । ୩ଟି ଯାକ ଜିଲ୍ଲା ପରିଷଦ ଆସନରେ ମୁଖ୍ୟତଃ ୩ ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେଇ ହେବାର ସ୍ପଷ୍ଟ ଅଭାସ ମିଳିଛି । ଚଳିତ ପଞ୍ଚାୟତ ନିର୍ବାଚନରେ ହିଞ୍ଜିଳିକାଟୁ ବ୍ଳକର ୩ ଜିଲ୍ଲା ପରିଷଦ ଆସନ ସକାଶେ ୧୨ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଛନ୍ତି । କଞ୍ଚୁରୁ, ପୋଚିଲିମା, ବଡ଼ଖଣ୍ଡି, ବୁରୁପୋଡ଼ା, ମକରଝୋଳ ଓ ସାରୁ ପଞ୍ଚାୟତକୁ ନେଇ ଗଠିତ ୬୭ ନଂ ଜିଲ୍ଲା ପରିଷଦ ଆସନ ମହିଳାଙ୍କ ଲାଗି ସଂରକ୍ଷିତ ରହିଛି । ୬୭ ନଂ ଜିଲ୍ଲା ପରିଷଦ ଆସନ ସକାଶେ ବିଜେଡ଼ିରୁ ବି. ଗିତାଞ୍ଜଳି, ବିଜେପିରୁ ଏନ. ସୁଦଷ୍ଣା, କଂଗ୍ରେସରୁ ଭାରତୀ ଗଉଡ଼ ଓ ବହୁଜନ ସମାଜ ପାର୍ଟିରୁ ରୁନୁ ଦାସ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଛନ୍ତି । ଖରିଡ଼ା, ଚାନ୍ଦୁଲି, ଦାରୁଭଦ୍ରା, ନନ୍ଦିକ, ରାଳବ, ଶାସନଆମ୍ବଗାଁ ଓ ସିକିରି ପଞ୍ଚାୟତକୁ ନେଇ ଗଠିତ ୬୮ ନଂ ଜିଲ୍ଲା ପରିଷଦ ଆସନରେ ବିଜେଡ଼ିରୁ ଏ. ସୁଦର୍ଶନ, ବିଜେପିରୁ ରଜନୀକାନ୍ତ ପାଢି, କଂଗ୍ରେସରୁ ସଞ୍ଜୟ ସ୍ୱାଇଁ ଓ ଆମ୍ ଆଦମୀ ପକ୍ଷରୁ ଆଦିତ୍ୟ ନାରାୟଣ ରଥ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଛନ୍ତି । ସେହିପରି ଗଣ୍ଡଳା, ଦୟାପଲ୍ଲୀ, ଦୁର୍ବନ୍ଧ, ଧୋବାଡ଼ି, ପୁଟିଆପଦର, ବେଲଗାଁ, ଭାବନ୍ଧ ଓ ସାହାପୁର ପଞ୍ଚାୟତକୁ ନେଇ ଗଠିତ ୬୯ ନଂ ଜିଲ୍ଲା ପରିଷଦ ଜୋନ ମହିଳାଙ୍କ ଲାଗି ସଂରକ୍ଷିତ ରହିଛି । ୬୯ ନଂ ଜିଲ୍ଲା ପରିଷଦ ଜୋନ ସକାଶେ ବିଜେଡ଼ିରୁ ପ୍ରିତି ସାହୁ, ବିଜେପିରୁ ୟୁ. ବାସନ୍ତି, କଂଗେସରୁ ଧରିତ୍ରୀ ପୁରୋହିତ ଓ ଆମ୍ ଆଦମୀ ପକ୍ଷରୁ ରଞ୍ଜନା ଦେବୀ ରଥ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଛନ୍ତି । ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ମାନେ ରାଜ୍ୟ ସରକାରଙ୍କ ବହୁ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକୁ ଭୋଟରଙ୍କ ନିକଟରେ ପହଞ୍ଚାଇ ଭୋଟରଙ୍କ ମନ ଜିଣୁଥିବାର ଦେଖିବାକୁ ମିଳୁଛି । ବିଜେପି ପ୍ରାର୍ଥୀ ମାନେ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ମାଧ୍ୟମରେ ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ ଜାରି ରଖିଛି । ସେହିପରି କଂଗ୍ରେସ ପ୍ରାର୍ଥୀ ମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ପାଥେୟ କରି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଚେଷ୍ଟା ଚଳାଇଛି ।