କଳାହାଣ୍ଡିର ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ଶୋକ
ବାଲେଶ୍ୱର, (ସରୋଜ ପଣ୍ଡା) :-କଳାହାଣ୍ଡି ଜିଲା ମୋହନଗିରି ଜଙ୍ଗଲରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣରେ ଜୀବନ ହାରିଥିବା ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ଉଦ୍ଦେଶ୍ୟରେ ବାଲେଶ୍ୱରର ସାମ୍ବାଦିକ ପ୍ରକୋଷ୍ଠରେ ଏକ ଶୋକସଭା ସୋମବାର ଅନୁଷ୍ଠିତ ହୋଇଯାଇଛି । ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦୀପକ କୁମାର ସାହୁ, ସାମ୍ବାଦିକ ଉଜ୍ଜ୍ୱଳ ଚନ୍ଦ୍ର କର, ଶିବଦାସ କୁଣ୍ଡୁ, ରମଣୀ ରଞ୍ଜନ ଦାସ, ରତିକାନ୍ତ ପାତ୍ର, ଗଗନ ସେଠୀ, ଗଣେଶ ସେଠୀ, ବିନାୟକ ମହାପାତ୍ର, ଉବାଚକ ମହାନ୍ତି ପ୍ରସ୍ନନଜିତ ଆଶ, ମୃତ୍ୟୁଞ୍ଜୟ ପଟ୍ଟନାୟକ, ବ୍ରହ୍ମାନନ୍ଦ ସ୍ୱାଇଁ ପ୍ରମୁଖ ଏଥିରେ ଯୋଗଦେଇ ଦିବଂଗତ ରୋହିତଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ସରକାରଙ୍କ ପକ୍ଷରୁ ପ୍ରଦାନ ଅନୁକମ୍ପା ରାଶି ବୃଦ୍ଧି କରିବା ଓ ସେ କାର୍ଯ୍ୟ କରୁଥିବା ସଂସ୍ଥା ପକ୍ଷରୁ ତାଙ୍କର ପରିବାରର ଜଣଙ୍କୁ ଯୋଗ୍ୟତା ଭିତ୍ତିରେ ଚାକିରି ଦେବା ପାଇଁ ଉପସ୍ଥିତ ସାମ୍ବାଦିକମାନେ ଦାବି କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ବିଶ୍ୱାଳଙ୍କ ଫଟୋଚିତ୍ରରେ ସମସ୍ତେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା କରି ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।


