ଶିକ୍ଷାବିତଙ୍କ ପରଲୋକ

ବାଲେଶ୍ୱର, (ସରୋଜ ପଣ୍ଡା) :-ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ପ୍ରଫେସର ନାରାୟଣ ଜେନାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୬ବର୍ଷ ହୋଇଥିଲା । ଘରେ ରହି ବୟସାଧିକ ରୋଗରେ ଚିକିତ୍ସିତ ଥିବା ବେଳେ ସୋମବାର ମଧ୍ୟାହ୍ନ ପ୍ରାୟ ୧୨ଟା ୨୫ ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ପତ୍ନୀ ଲକ୍ଷ୍ମୀପ୍ରିୟା ଜେନାଙ୍କ ସମେତ ପୁଅ ପ୍ରଦ୍ୟୁମ୍ନ ଜେନା ଓ ସୌଭାଗ୍ୟ ଜେନା, କନ୍ୟା ପ୍ରୀତିଲତା ସି ଓ ଜ୍ଞାତିକୁଟୁମ୍ଭ-ସମ୍ପର୍କୀୟ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରଚାର ହୋଇଯିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଟୁଲଙ୍କସାହିସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ । ତାଙ୍କର ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଛତୁଆସ୍ଥିତ ଶ୍ମଶାନରେ ଶୋକାକୂଳ ପରିବେଶ ମଧ୍ୟରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସାନପୁତ୍ର ସୌଭାଗ୍ୟ ମୁଖାଗ୍ନି ଦେଇଥିଲେ । ବାଲିଆପାଳର ନେପୁରାରେ ଜନ୍ମଗ୍ରହଣ କରିଥିଲେ ବି ବାଲେଶ୍ୱରରେ ସେ ଦୀର୍ଘଦିନ ଧରି ବସବାସ କରିଆସୁଥିଲେ । ଜଣେ ଛାତ୍ରବତ୍ସଳ ପ୍ରାଧ୍ୟାପକ ଭାବେ ଫକୀର ମୋହନ କଲେଜର ଓଡ଼ିଆ ବିଭାଗର ରିଡ଼ର ପଦରୁ ସେ ଅବସର ଗ୍ରହଣ କରିଥିଲେ । ବାଲେଶ୍ୱରର ସ୍ଥାୟୀ ବାସିନ୍ଦା ହୋଇଥିଲେ ବି ଜନ୍ମମାଟିର ଉନ୍ନତି ପାଇଁ ସେ ସବୁବେଳେ ଉଦ୍ୟମ କରିଆସିଥିିଲେ । ତାଙ୍କ ପ୍ରଚେଷ୍ଟାରେ ନେପୁରାରେ ଲକ୍ଷ୍ମୀନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ, ଲକ୍ଷ୍ମୀନାରାୟଣ ନୋଡାଲ ଏମଇ ସ୍କୁଲ ଓ ଜାମଶୋଳିରେ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଜଣେ ଶିକ୍ଷାବିତ ତଥା ବିଶିଷ୍ଟ ସମାଜସେବୀ ଭାବେ ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ