ରାଜନୀତିରେ ପାଦ ଦେଲେ ଜୋମାଟୋର ଡେଲିଭରୀ ଗର୍ଲ
ମାଙ୍ଗାଲୁରୁ: କର୍ଣ୍ଣାଟକର ମାଙ୍ଗାଲୁରୁରେ ଜୋମାଟୋ ପାଇଁ ଡେଲିଭରୀ ଗର୍ଲ ଭାବେ କାମ କରୁଥିବା ଜଣେ ମହିଳା ଏବେ ରାଜନୀତିରେ ପାଦ ଦେଇଛନ୍ତି । ଏବେ ସେ ଖାଦ୍ୟ ଡେଲିଭର କରିବା ଛାଡ଼ି ଲୋକଙ୍କ ସେବା କରିବେ । ତାଙ୍କ ନାଁ ମେଘନା ଦାସ ବୋଲି ଜଣା ପଡ଼ିଥିବା ବେଳେ ତାଙ୍କୁ ମାଙ୍ଗାଲୁରୁ ନଗର ନିଗମର ନିର୍ବାଚନ ଲଢ଼ିବା ପାଇଁ କଂଗ୍ରେସ ଟିକେଟ ଦେଇଥିବା ଜଣା ପଡ଼ିଛି । ସେ ମନ୍ନାଗୁଦ୍ଦା ୱାର୍ଡ ସଂଖ୍ୟା ୨୮ରୁ ନିର୍ବାଚନ ଲଢ଼ିବେ ।
ମେଘନା ନିଜ କ୍ୟାରିୟରର ଆରମ୍ଭ ଜଣେ ଟେକ୍ନିକାଲ ଏଗ୍ଜିକ୍ୟୁଟିଭ୍ ଭାବେ କରିିଥିବା ବେଳେ ପରେ ସେ ଜୋମାଟୋରେ ଡେଲିଭରୀ ଗର୍ଲ ଭାବେ କାମ କରିବା ଆରମ୍ଭ କରିଥିଲେ । ଏବେ ସେ ଖାଦ୍ୟ ଡେଲିଭର କରିବା ଛାଡ଼ି ରାଜନୀତିରେ ପାଦ ଦେଇଛନ୍ତି । ମେଘନାଙ୍କ କହିବା ଅନୁଯାୟୀ, ମୁଁ ରାସ୍ତାର ଖରାପ ଅବସ୍ଥା ପାଇଁ ଥରେ ପଡ଼ି ଯାଇଥିଲି । ଏଠାରେ ସଡ଼କକୁ ନେଇ ସମସ୍ୟା ଥିବା ସହ ମହିଳାଙ୍କ ସୁରକ୍ଷା ମଧ୍ୟ ବଡ଼ ସମସ୍ୟା ପାଲଟିଛି । ମୁଁ ଏହି ସମସ୍ୟା ଦେଇ ଗତି କରିଛି । କାରଣ ମୁଁ ଅନେକ ଯାତ୍ରା କରିବା ସହ ଏହି ଦୁଇ ସମସ୍ୟାକୁ ଭଲ ଭାବରେ ବୁଝିଛି । ମୋର ଆଶା ମୁଁ ଲୋକମାନଙ୍କ ଏଭଳି ଅନେକ ସମସ୍ୟାକୁ ଦୂର କରି ପାରିବି । ଏବେ ମୁଁ କଂଗ୍ରେସ ଦେଇଥିବା ଟିକେଟରୁ ମନ୍ନାଗୁଦ୍ଦାରୁ ନିର୍ବାଚନ ଲଢ଼ିବି । ତେବେ ମୋତେ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ମିଳିବ, ତାହା ମୁଁ କେବେ ଆଶା କରି ନଥିଲି ।