ଧରାପଡିଲା ଗୁମର କଥା : ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ପଂଚାୟତ ସମିତି ସଭାଗୃହ ମଧ୍ୟରେ ଆଜି ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ, ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ, ବିଡ଼ିଓ ଦେବଦତ୍ତ ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରିୟଙ୍କା ତ୍ରିପାଠୀ, ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଦାସ, ଜୟଶ୍ରୀ କର, ସାମାଜିକ ସମୀକ୍ଷକ ସୁଶାନ୍ତ ଦଳେଇ ପ୍ରମୁଖ ଉପସ୍ଥିତ ରହି ଶିବିର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗତ ଏକ ବର୍ଷ ମଧ୍ୟରେ ବ୍ଲକ ଅଞ୍ଚଳରେ ମୃତ ବ୍ୟକ୍ତିଙ୍କ ନାମରେ ରାସନ ଚାଉଳ ପ୍ରଦାନ କରାଯାଇଥିବା ବେଳେ ସୂଚନା ଫଳକ ନଥାଇ ଏନଆରଇଜିଏସ କାର୍ଯ୍ୟ ହେବା ତଥା ପ୍ରକଳ୍ପ ବିନା ଅର୍ଥ ଆତ୍ମସାତ ହେବା ଭଳି ଘଟଣା ସାମାଜିକ ସମୀକ୍ଷା ଯାଞ୍ଚରୁ ସାମ୍ନାକୁ ଆସିଛି। ଏହାଛଡା ପକ୍କା ଘର ଓ ଆର୍ଥିକ ସ୍ୱଚ୍ଛଳ ବର୍ଗର ଲୋକ ରାସନ କାର୍ଡ ହାତେଇଥିବା ବେଳେ ମୋବାଇଲ ଓଟିପି ଦ୍ୱାରା ଜନୈକ ଡିଲର ମଧ୍ୟ ମୃତ ବ୍ୟକ୍ତିଙ୍କ ରାସନ ସାମଗ୍ରୀକୁ ହଡପ କରିଛନ୍ତି । ଏନେଇ ନବନିର୍ବାଚିତ ଜନପ୍ରତିନିଧି ମାନେ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଏଥିପାଇଁ ବିଧିବଦ୍ଧ ତଦନ୍ତ ହେବା ଆବଶ୍ୟକ ବୋଲି ଦାବି କରିଥିଲେ। ଶିବିରରେ ୨୩ଗୋଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ବିଭିନ୍ନ ବିଭାଗର ପଦାଧିକାରୀ ମାନେ ଉପସ୍ଥିତ ଥିବା ବେଳେ ଏନଆରଇଜିଏସର ବ୍ଲକ ସଂଯୋଜକ ଅଶୋକ କୁମାର ରାଉତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।