ଦୁର୍ଘଟଣା : ଗୋଟିଏ ସ୍ଥାନରେ ମାଆ ପୁଅ ଏବଂ ଗୋଟିଏ ସ୍ଥାନରେ ବାପ ଝିଅଙ୍କ ଜଳିଲା ଜୁଇ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ମଙ୍ଗଳବାର ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଧନପୁରରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଚାରି ମୃତକଙ୍କ ଶବକୁ ନିଜ ନିଜ ଗ୍ରାମରେ ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର କରାଯାଇଛି I ସୂଚନା ପ୍ରକାରେ ଦୁର୍ଘଟଣାରେ ମୃତ ଲକ୍ଷ୍ମୀ ପାତ୍ରଙ୍କ ପୁଅ ବିଶ୍ୱଜିତ୍ କୁ ଗୁରୁତର ଅବସ୍ଥାରେ ଆସିକା ମେଡିକାଲ୍ କୁ ନିଆଯାଇଥିବା ବେଳେ ସେଠାରୁ ଡ଼ାକ୍ତର ତାକୁ ବିଶାଖାପାଟଣା ନେଇଯିବାପାଇଁ ପରାମର୍ଶ ଦେଇଥିଲେ I କିନ୍ତୁ ବିଶାଖାପାଟଣା ନେବା ରାସ୍ତାରେ ହିଁ ବିଶ୍ଵଜିତର ମୃତ୍ୟୁ ହେବାରୁ ତାର ଶବକୁ ବ୍ରହ୍ମପୁର ବଡ଼ ମେଡିକାଲ୍ ରେ ବ୍ୟବଚ୍ଛେଦ କରାଇ ଗାଆଁକୁ ଅଣାଯାଇଥିଲା I କିନ୍ତୁ ରାତି ହୋଇଯାଇଥିବାରୁ ବିଶ୍ଵଜିତଙ୍କ ମାଆ ଲକ୍ଷ୍ମୀ, ମାଉସୀ ରିଙ୍କି ନାୟକ ଏବଂ ଅଜା ଜୟରାମ ନାୟକଙ୍କ ଶବ ବ୍ୟବଚ୍ଛେଦ ହୋଇପାରିନଥିଲା I ଆଜି ଜୟରାମ,ଲକ୍ଷ୍ମୀ ଏବଂ ରିଙ୍କିଙ୍କ ଶବ ବ୍ୟବଚ୍ଛେଦ ପରେ ଦିନ 12 ଘଣ୍ଟା 30 ମିନଟ୍ ସମୟରେ ଗାଆଁରେ ପହଞ୍ଚିଥିଲା I ଲକ୍ଷ୍ମୀ ଏବଂ ବିଶ୍ଵଜିତଙ୍କ ଶବକୁ ଲକ୍ଷ୍ମୀଙ୍କ ଶାଶୁ ଘର ଗାଆଁ ମହୁଲପଲ୍ଲୀ ପଠାଇ ଦିଆଯାଇଥିଲା I ସେଠାରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଗୋଟିଏ ସ୍ଥାନରେ ମାଆ ପୁଅଙ୍କ ଜୁଇ ଜଳିବା ଦୃଶ୍ୟ ଖୁବ୍ ହୃଦୟ ବିଦାରକ ଥିଲା I ଏପଟେ ମୁନିଗାଡ଼ିରେ କାନ୍ଦ ବୋବାଳି ମଧ୍ୟରେ ବାପା ଜୟରାମ ଏବଂ ଝିଅ ରିଙ୍କିର ଶବ ସତ୍କାର କରାଯାଇଥିଲା I ଏନେଇ ଉଭୟ ଗ୍ରାମବାସୀ ବେପରୁଆ ଗାଡ଼ି ଚଳାଇ ଦୁର୍ଘଟଣା ଘଟାଇଥିବା ବୋଲେରୋ ଚାଳକକୁ କଠୋର ଦଣ୍ଡ ଦେବା ସହିତ ପ୍ରତି ମୃତକଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି I ପୋଲିସ୍ ର ପ୍ରାଥମିକ ତଦନ୍ତ ପ୍ରକାରେ ବୋଲେରୋଟି ସମ୍ବଲପୁରରୁ ପରିବା ନେଇ ବ୍ରହ୍ମପୁରରେ ଫେରିବା ବେଳେ ଚାଳକର ଆଖି ଲାଖିଯିବାରୁ ଦୂର୍ଘଟଣା ଘଟିଥିବା ଗାଙ୍ଗପୁର ଥାନା ଅଧିକାରୀ ଦାୟିତ୍ୱରେ ଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି I ଡ୍ରାଇଭରକୁ ଗିରଫ କରାଯାଇଥିବା ବେଳେ ଆସନ୍ତାକାଲି ତାକୁ କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ