ଦୀପାବଳିର ଦାର୍ଶନିକ ବାର୍ତ୍ତା


ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ

ଭାରତୀୟ ସଂସ୍କୃତିର ଵିଶେଷ ଉତ୍ସବାଦି ସମଗ୍ର ମାନଵ ସମାଜ ପାଇଁ ଏକ ଆଲୋକ ବର୍ତ୍ତିକା। ଆମେ ଜାଣିଛେ ଆମ ସଂସ୍କୃତିର ପର୍ବପର୍ବାଣୀ ଗୁଡିକ ଜୀବନକୁ ସରସମୟ ଓ ଶୃଙ୍ଖଳିତ କରିବା ପାଇଁ ଉଦ୍ଦିଷ୍ଟ। ଏହି ସମସ୍ତ ପର୍ବ ମଧ୍ୟରେ କାର୍ତ୍ତିକମାସ ଅମାବାସ୍ୟା ତିଥିରେ ପାଳିତ ହେଉଥିବା ‘ଦୀପାବଳି’ ବା ‘ଆଲୋକର ପର୍ବ’ ସର୍ବଶ୍ରେଷ୍ଠ। ଦୀପାବଳି ପଦଟି ଦୁଇଟି ଶବ୍ଦକୁ ନେଇ ଗଠିତ, ଯଥା: ଦୀପ ଓ ଆବଳି। ସଂସ୍କୃତ ବ୍ୟାକରଣ ଅନୁଯାୟୀ ‘ଦୀପ’ ଶବ୍ଦର ବ୍ୟୁତ୍ପତ୍ତିଗତ ସଂଜ୍ଞା ନିରୂପଣ କରିବାକୁ ଯାଇ କୁହାଯାଇଛି ଯେ, “ଦୀପ୍ୟତେ ଦୀପୟତି ବା ସ୍ୱଂ ପରଂ ଚେତି”। ଏହାର ସରଳ ଓଡ଼ିଆ ଅର୍ଥ ହେଉଛି, “ଯିଏ ନିଜେ ପ୍ରକାଶିତ ହୁଏ ଏବଂ ନିଜ ଆଲୋକରେ ଅନ୍ୟମାନଙ୍କୁ ମଧ୍ୟ ଆଲୋକିତ କରେ, ସେ ହିଁ ପ୍ରକୃତ ଦୀପ”। ସେଭଳି ଆବଳିର ଅର୍ଥ ହେଉଛି – ଶ୍ରେଣୀ; ପଂକ୍ତି; ବା ଧାଡ଼ି । ଦୀପାବଳି ଏହି କ୍ଷୁଦ୍ର ପଦଟି କେବଳ ଏକ ମାଟି ଦୀପର ବୈଶିଷ୍ଟ୍ୟକୁ ବୁଝାଏ ନାହିଁ, ବରଂ ମାନବ ଜୀବନରେ ଜ୍ଞାନ, ଚରିତ୍ର ଏବଂ ପରୋପକାରର ଗୁରୁତ୍ୱକୁ ଅତି ସୁନ୍ଦର ଭାବେ ଉପସ୍ଥାପନ କରେ। ଆମ ଭାରତୀୟ ସଂସ୍କୃତିର କୌଣସି ପରମ୍ପରା ଅନ୍ଧବିଶ୍ୱାସ ଉପରେ ଆଧାରିତ ନୁହେଁ। ଏହାର ପ୍ରତ୍ୟେକ ପ୍ରଥା ପଛରେ ଏକ ସୂକ୍ଷ୍ମ ଦାର୍ଶନିକ ଦୃଷ୍ଟିକୋଣ ଏବଂ ଗଭୀର ବୈଜ୍ଞାନିକ ଚିନ୍ତାଧାରାମାନ ଲୁଚି ରହିଛି, ଯାହା ମାନବ ଜାତିକୁ ଅଜ୍ଞାନତାରୁ ଜ୍ଞାନ ଆଡ଼କୁ ଗତି କରିବାରେ ପ୍ରେରଣା ଦିଏ।
ଆମ ଭାରତୀୟ ସଂସ୍କୃତିର ମୂଳ ମନ୍ତ୍ର ହେଉଛି:- ” ଓଁ ଅସତୋ ମା ସଦ୍ଗମୟ, ତମସୋ ମା ଜ୍ୟୋତିର୍ଗମୟ, ମୃତ୍ୟୋର୍ମା ଅମୃତଂ ଗମୟ ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ “। ଏହି ବାକ୍ୟଟି ବୃହଦାରଣ୍ୟକ ଉପନିଷଦର ଶାନ୍ତି ପାଠରେ କୁହାଯାଇଛି। ଯା’ର ସାମାନ୍ୟ ଅର୍ଥ ହେଉଛି – ଅସତ୍ୟରୁ ସତ୍ୟ, ଅନ୍ଧକାରରୁ ଆଲୋକ ଓ ମୃତ୍ୟୁରୁ ଅମୃତ ଦିଗକୁ ଗମନ କରିବା ସହ ତ୍ରିବିଧ ତାପରୁ ମୁକ୍ତି ବା ଶାନ୍ତି ପ୍ରାପ୍ତ କରିବା। ଏଠାରେ ‘ଅନ୍ଧାର’ କହିଲେ କେବଳ ରାତିର ଅନ୍ଧକାରକୁ ବୁଝାଏ ନାହିଁ, ବରଂ ମଣିଷ ମନରେ ଥିବା ଅଜ୍ଞାନତା, କ୍ରୋଧ, ଅହଂକାର, ଈର୍ଷା ଓ ସ୍ୱାର୍ଥପରତାକୁ ବୁଝାଏ। ଦୀପାବଳିର ଆଲୋକ ହେଉଛି ବିବେକ, ଜ୍ଞାନ ଏବଂ ସତ୍ୟର ପ୍ରତୀକ। ବାହାରେ ଦୀପ ଜଳାଇବା ସହିତ ଆମେ ନିଜ ଭିତରେ ଥିବା କୁସଂସ୍କାର ଏବଂ ନକାରାତ୍ମକ ଚିନ୍ତାଧାରାର ଅନ୍ଧକାରକୁ ଦୂର କରି ଜ୍ଞାନର ଆଲୋକ ପ୍ରଜ୍ଜ୍ୱଳିତ କରିବା ଉଚିତ। ଏହି ଉପରେ ଶ୍ରୀମଦ୍ ଭଗବଦ୍ ଗୀତାର ଚତୁର୍ଥ ଅଧ୍ୟାୟ ୩୭ତମ ଶ୍ଳୋକରେ କୁହଯାଇଛି :
ଯଥୈଧାଂସି ସମିଦ୍ଧୋଽଗ୍ନିର୍ଭସ୍ମସାତ୍କୁରୁତେଽର୍ଜୁନ ।
ଜ୍ଞାନାଗ୍ନିଃ ସର୍ବକର୍ମାଣି ଭସ୍ମସାତ୍କୁରୁତେ ତଥା ।।
ଏହାର ଅର୍ଥ:- ଶ୍ରୀକୃଷ୍ଣ କହିଛନ୍ତି; ହେ ଅର୍ଜୁନ! ଯେପରି ପ୍ରଜ୍ଜ୍ୱଳିତ ଅଗ୍ନି କାଠକୁ ପୋଡ଼ି ଭସ୍ମ କରିଦିଏ, ଠିକ୍ ସେହିପରି ତତ୍ତ୍ୱଜ୍ଞାନ ରୂପକ ଅଗ୍ନି ମନୁଷ୍ୟର ସମସ୍ତ ଅଜ୍ଞାନ କର୍ମ ଓ କର୍ମଫଳ ବନ୍ଧନକୁ ଭସ୍ମ କରିଦିଏ। ଅର୍ଥାତ୍, ଯେତେବେଳେ ଜଣେ ବ୍ୟକ୍ତିକୁ ପ୍ରକୃତ ଜ୍ଞାନ ପ୍ରାପ୍ତ ହୁଏ, ସେତେବେଳେ ତାର ସମସ୍ତ ପାପ-ପୁଣ୍ୟ ଏବଂ ସଂସାରର ସମସ୍ତ କର୍ମ ବନ୍ଧନ ନଷ୍ଟ ହୋଇଯାଏ ଓ ସେ ମୋକ୍ଷ ଆଡ଼କୁ ଅଗ୍ରସର ହୁଏ। ଏହା ହିଁ ଏହି ପର୍ବର ସବୁଠାରୁ ବଡ଼ ଦାର୍ଶନିକ ବାର୍ତ୍ତା। ସେଭଳି ମହାତ୍ମା ବୁଦ୍ଧ କହିଥିଲେ: “ଆପ୍ପ ଦୀପୋ ଭବ” ଅର୍ଥାତ୍ ନିଜର ଦୀପ ନିଜେ ସାଜ। ଦୀପାବଳି ଆମକୁ ଆତ୍ମ-ନିରୀକ୍ଷଣର ସୁଯୋଗ ଦିଏ। ଏକ ମାଟି ଦୀପ ଜଳିବା ପାଇଁ ତେଲ ଓ ସଳିତାର ଆବଶ୍ୟକତା ଥାଏ। ଦାର୍ଶନିକ ଦୃଷ୍ଟିକୋଣରୁ, ଆମ ଶରୀର ହେଉଛି ସେହି ମାଟିର ଦୀପ, ଆମର ଭକ୍ତି ଓ ସ୍ନେହ ହେଉଛି ତେଲ, ଏବଂ ଆମର ସତ୍‌ଚିନ୍ତା ହେଉଛି ସଳିତା। ଯେତେବେଳେ ଏହି ସବୁର ସମନ୍ୱୟ ହୁଏ, ସେତେବେଳେ ଆତ୍ମଜ୍ଞାନର ଆଲୋକ ପ୍ରସ୍ଫୁଟିତ ହୁଏ, ଯାହା ମଣିଷକୁ ସଂସାରର ସମସ୍ତ ମୋହମାୟାରୁ ଊର୍ଦ୍ଧ୍ୱକୁ ନେଇଯାଏ।
ଏହି ଜ୍ୟୋତିର୍ଗମୟ ଜ୍ଞାନ ହେଉଛି ସଦଗୁଣର ପ୍ରତୀକ । ଆଜିର ସ୍ୱାର୍ଥପର ଦୁନିଆରେ ଏହି ଆଦର୍ଶର ପ୍ରାସଙ୍ଗିକତା ଅତି ଅଧିକ। ଅଧିକାଂଶ ମଣିଷ କେବଳ ନିଜର ଉନ୍ନତି ଓ ସୁଖ କଥା ଭାବନ୍ତି। କିନ୍ତୁ ପ୍ରକୃତ ମାନବିକତା ହେଉଛି ନିଜର ବିକାଶ କରିବା ସହ ଅନ୍ୟମାନଙ୍କୁ ସାହାଯ୍ୟ କରିବା। ଯେପରି ଗୋଟିଏ ଦୀପ ନିଜେ କଷ୍ଟ ସହି, ତେଲ ଓ ସଳିତାକୁ ଜଳାଇ ଦୁନିଆକୁ ଆଲୋକିତ କରେ ଏବଂ ଶହ ଶହ ନୂଆ ଦୀପକୁ ଜଳାଏ। ଏଥି ଦ୍ୱାରା ପ୍ରଥମ ଦୀପଟିର ଆଲୋକ କିମ୍ବା ଗୁଣରେ କୌଣସି ହ୍ରାସ ଘଟେ ନାହିଁ। ଏହା ଶିକ୍ଷା ଦିଏ ଯେ ଜ୍ଞାନ, ପ୍ରେମ ଏବଂ ସନ୍ତୋଷ ବାଣ୍ଟିବା ଦ୍ୱାରା କେବେ କମେ ନାହିଁ, ବରଂ ସମାଜରେ ଏହାର ବହୁଗୁଣିତ ଭାବେ ବିସ୍ତାରିତ ହୁଏ। ଠିକ୍ ସେହିପରି ମହାପୁରୁଷ, ବୈଜ୍ଞାନିକ ଏବଂ ସମାଜସେବୀମାନେ ନିଜ ଜୀବନକୁ ଉତ୍ସର୍ଗ କରି ସମାଜ ପାଇଁ କଲ୍ୟାଣର ପ୍ରଦୀପ ସଦୃଶ କାର୍ଯ୍ୟ କରିଥାନ୍ତି। ଏହି ପ୍ରସଙ୍ଗରେ “ଦୀପ୍ୟତେ ଦୀପୟତି” ନୀତିଟି ଜଣେ ସଚ୍ଚୋଟ ମନୁଷ୍ୟ ବା ଜ୍ଞାନୀ ଗୁରୁଙ୍କ ପାଇଁ ଅଭିପ୍ରେତ। ଜଣେ ଜ୍ଞାନୀ ବ୍ୟକ୍ତି ପ୍ରଥମେ ନିଜେ ଶିକ୍ଷା ଓ ସାଧନା ଦ୍ୱାରା ନିଜ ଅନ୍ତରାତ୍ମାକୁ ଆଲୋକିତ କରନ୍ତି (ଦୀପ୍ୟତେ)। ଏହାପରେ ସେ ନିଜ ଜ୍ଞାନ ଓ ସଦଗୁଣ ମାଧ୍ୟମରେ ସମଗ୍ର ସମାଜକୁ ସତ୍‌ମାର୍ଗ ଦେଖାଇଥାନ୍ତି (ଦୀପୟତି)।
ଦୀପାବଳି ଅମାବାସ୍ୟାର କାଳିମା ମଧ୍ୟରେ ପାଳିତ ହୁଏ। ବର୍ଷର ସବୁଠାରୁ ଅନ୍ଧକାରମୟ ରାତିକୁ ଆମେ ଆଲୋକର ଉତ୍ସବରେ ପରିଣତ କରିଥାଉ। କାରଣ ଗୋଟିଏ ଦୀପ ଅନ୍ଧାରକୁ ସମ୍ପୂର୍ଣ୍ଣ ରୂପେ ଦୂର କରିପାରେ ନାହିଁ, କିନ୍ତୁ ଯେତେବେଳେ ଲକ୍ଷ ଲକ୍ଷ ଦୀପ ଏକାଠି ଏକ ଧାଡ଼ିରେ ଜଳିଉଠନ୍ତି, ସେତେବେଳେ ସବୁଠାରୁ ଘନ ଅନ୍ଧକାର ମଧ୍ୟ ଦୂର ହୋଇଯାଏ। ଏହା ଆମ ସମାଜକୁ ଏକତାର ଏକ ବଡ଼ ବାର୍ତ୍ତା ଦିଏ। ଜଣେ ବ୍ୟକ୍ତି ଏକାକୀ ସମାଜର ସମସ୍ତ ମନ୍ଦ କାର୍ଯ୍ୟକୁ ଦୂର କରିପାରିବ ନାହିଁ। କିନ୍ତୁ ଯେତେବେଳେ ସମଗ୍ର ମାନବ ସମାଜ ଏକାଠି ମିଳିମିଶି ପ୍ରେମ ଏବଂ ସଦ୍ଭାବନାର ସହ ଆଗକୁ ବଢ଼ିବେ, ସେତେବେଳେ ସମାଜରୁ ଦୁଃଖ, ଦାରିଦ୍ର୍ୟ ଏବଂ ଭେଦଭାବ ଦୂର ହୋଇପାରିବ। ଯାହା “ବସୁଧୈବ କୁଟୁମ୍ବକମ୍” (ସାରା ବିଶ୍ୱ ଆମର ପରିବାର) ଭାବନାକୁ ଦୃଢ଼ କରେ। ଆଲୋକ କେବେହେଲେ ଧନୀ-ଗରିବ ଓ ଜାତି-ଧର୍ମ ମଧ୍ୟରେ ଭେଦଭାବ କରେନାହିଁ। ଆମେ ଦେଖିଛେ ଗୋଟିଏ ଦୀପର ଆଲୋକ ଜଣେ ପ୍ରାସାଦର ମାଲିକକୁ ଯେତିକି ମିଳେ, ସେତିକି ଜଣେ କୁଡ଼ିଆରେ ରହୁଥିବା ଗରିବକୁ ମଧ୍ୟ ମିଳିଥାଏ। ଦୀପାବଳି ଆମକୁ ମାନବିକ ସମାନତାର ଏହି ମହାନ ପାଠଏ। ଆମେ ସମସ୍ତେ ଏକ ସୃଷ୍ଟିକର୍ତ୍ତାଙ୍କ ସନ୍ତାନ ଏବଂ ସମସ୍ତଙ୍କ ଭିତରେ ସେହି ସମାନ ଈଶ୍ୱରୀୟ ଆଲୋକ ବିଦ୍ୟମାନ ରହିଛି।
ଦୀପାବଳିର ପୌରାଣିକ ପୃଷ୍ଠଭୂମିକୁ ଦେଖିଲେ, ଏହା ଭଗବାନ ଶ୍ରୀରାମଚନ୍ଦ୍ର ଅସୁରରାଜ ରାବଣକୁ ବଧ କରି ୧୪ ବର୍ଷର ବନବାସ ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବା ଏବଂ ଶ୍ରୀକୃଷ୍ଣଙ୍କ ଦ୍ୱାରା ନରକାସୁର ବଧର ସ୍ମୃତିକୁ ବହନ କରେ। ଏହାର ଦାର୍ଶନିକ ଅର୍ଥ ହେଉଛି, ସଂସାରରେ ଅଧର୍ମ, ଅନ୍ୟାୟ ଏବଂ ଅସତ୍ୟ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଶେଷରେ ଧର୍ମ ଏବଂ ସତ୍ୟର ହିଁ ବିଜୟ ହୁଏ। ରାବଣ ଏବଂ ନରକାସୁର କେବଳ ବାହ୍ୟ ଅସୁର ନୁହନ୍ତି, ସେମାନେ ମଣିଷର ମନ ମଧ୍ୟରେ ଥିବା ଦୁଷ୍ଟ ପ୍ରବୃତ୍ତିର ପ୍ରତୀକ ଅଟନ୍ତି। ଦୀପାବଳି ଆମକୁ ନିଜ ଭିତରେ ଥିବା ସେହି ଦୁଷ୍ଟ ପ୍ରବୃତ୍ତିକୁ ପରାଜିତ କରି ସତ୍ ମାର୍ଗରେ ଚାଲିବାକୁ ପ୍ରେରଣା ଦିଏ। ପରିଶେଷରେ କୁହାଯାଇପାରେ ଯେ, ଆମକୁ କେବଳ ନିଜ ସ୍ୱାର୍ଥ ମଧ୍ୟରେ ସୀମିତ ନରହି, ଏକ ପ୍ରଜ୍ଜ୍ୱଳିତ ଦୀପ ପରି ନିଜର ବ୍ୟକ୍ତିତ୍ୱକୁ ଗଢ଼ିବାକୁ ହେବ, ଯେପରି ଆମ ଦ୍ୱାରା ଅନ୍ୟ କାହାର ଜୀବନରୁ ନିରାଶାର ଅନ୍ଧକାର ଦୂର ହୋଇପାରିବ। ପ୍ରତ୍ୟେକ ମନୁଷ୍ୟ ଯଦି ଏହି ଦୀପର ଆଦର୍ଶକୁ ଆପଣେଇ ନିଜେ ଆଲୋକିତ ହେବା ସହ ଅନ୍ୟକୁ ଆଲୋକିତ କରିବେ, ତେବେ ଏହି ପୃଥିବୀ ଏକ ସୁନ୍ଦର ଓ ଜ୍ଞାନମୟ ସମାଜରେ ପରିଣତ ହୋଇପାରିବ।

ବରିଷ୍ଠ ଦର୍ଶନ ଅଧ୍ୟାପକ
ଆସିକା , ଗଞ୍ଜାମ
୯୮୬୧୩୩୪୮୬୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ