ନଣନ୍ଦଙ୍କ ଶୁଦ୍ଧ କ୍ରିୟାରେ ଯୋଗ ଦେବାକୁ ଆସି ବସ୍ ଚକା ତଳେ ପଡ଼ି ଭାଉଜ ମୃତ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ କଣ୍ଟେଇପଲ୍ଲୀ ଏବଂ ବଡ଼ ବୋର୍ସିଂଗ୍ ମଝିରେ ଥିବା ମରେଇପାଟ ବସ୍ ରୁ ତରବରିଆ ଭାବେ ଓହ୍ଳାଇ ବସ୍ ର ଚକା ତଳେ ପଡ଼ି ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି I ଖବର ନେବାରେ ଜଣା ପଡ଼ିଛି ବଡଗଡରୁ ଭଞ୍ଜନଗର ଲକି ନାମକ ଏକ ଘରୋଇ ବସ୍ ରେ ବଡ଼ଗଡ଼ ଥାନା ବାଦପୁର ଗ୍ରାମର ମୋହନ ନାୟକ ଓ ସ୍ତ୍ରୀ ଅଷ୍ଟମୀ ନାୟକ (55) ମରେଇପାଟ ଆସୁଥିଲେ I ମରେଇପାଟରେ ମୋହନଙ୍କ ଭଉଣୀଙ୍କ କୌଣସୀ କାରଣରୁ ମୃତ୍ୟୁ ହୋଇଥିଲା I ତାଙ୍କର ଆଜି 9 ଦିନର ପଣା କାର୍ଯ୍ୟ ପାଇଁ ଉଭୟ ସ୍ୱାମୀ ସ୍ତ୍ରୀ ଯୋଗ ଦେବାକୁ ଆସୁଥିଲେ I ଆଜି ସକାଳ 9 ଘଣ୍ଟା 30 ମିନିଟ୍ ସମୟରେ ଗାଡିଟି ମରେଇପାଟ ଛକରେ ରେ ପହଞ୍ଚିବା ବେଗ କମାଉଥିବା ବେଳେ ଗାଡ଼ି ଚାଲୁଥିବା ସମୟରେ ମୋହନ ଓହ୍ଳାଇ ପଡିଥିଲେ I ମୋହନ ଓହ୍ଳାଇ ପଡିବା ପରେ ତାଙ୍କ ପଛେ ପଛେ ତାଙ୍କ ସ୍ତ୍ରୀ ଅଷ୍ଟମୀ ନାୟକ ମଧ୍ୟ ଓହ୍ଲାଇ ପଡିଥିଲେ I କିନ୍ତୁ ଅଷ୍ଟମୀ ଅସାବଧାନତା ବଶତଃ ତଳେ ପଡ଼ିଯାଇଥିଲେ ଏବଂ ବସ୍ ର ପଛ ଚକ ତାଙ୍କ ଦେହ ଉପରେ ଚାଲି ଯାଇଥିଲା I ଯାହା ଫଳରେ ଅଷ୍ଟମୀ ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ I ଖବର ପାଇ ମରେଇପାଟ ଗ୍ରାମ ବାସୀ ଆସି ମରେଇପାଟ ଛକରେ ଭଞ୍ଜନଗର ଓ ସୋରଡ଼ା ରାସ୍ତାକୁ ଅବରୋଧ କରିଥିଲେ I ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସବୁ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶୃ୍ତି ଦେବା ପରେ ମାତ୍ର 15/20 ମିନିଟ୍ ପରେ ରାସ୍ତା ଅବରୋଧ ହଟିଥିଲା I ଘଟଣାସ୍ଥଳରେ ବେଲଗୁଣ୍ଠା ତହସିଲଦାର ପହଞ୍ଚି ରେଡକ୍ରସ୍ ପାଣ୍ଠିରୁ 10000 ଟଙ୍କା ଦେବା ସହ ଗାଡ଼ି ମାଲିକଙ୍କୁ ମଧ୍ୟ କିଛି ଆର୍ଥିକ ସାହାଯ୍ୟ ଦେବାପାଇଁ ନିବେଦନ କରିଥିଲେ I ଏନେଇ ଗାଙ୍ଗପୁର ଥାନାରେ 170/22 ରେ ଏକ ମାମଲା ରୁଜୁ ହୋଇ ଏଏସ୍ଆଇ ଉମାଚରଣ ପ୍ରଧାନ ଘଟଣାର ତଦନ୍ତ କରୁ୍ଥିବା ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି I ଭଞ୍ଜନଗର ମେଡିକାଲ୍ ରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରା ଯାଇଛି I ଘଟଣା ନେଇ ଉଭୟ ବାଦପୁର ଏବଂ ମରେଇପାଟରେ ଶୋକାକୁଳ ପରିବେଶ ସୃ୍ଷ୍ଟି ହୋଇଛି I


