ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ବାଲେଶ୍ୱର(ସରୋଜ ପଣ୍ଡା): ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକଷ୍ଠରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଙ୍କ ତତ୍ତ୍ବାବଧାନରେ ଜନଗଣନା ୨୦୨୭ ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲପାଳ (ସାଧାରଣ) ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ, ଡେପୁଟି ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରବୋଧ କୁମାର ମଲିକ, ସହାୟକ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ଘୋଷ, ଜନଗଣନା ସହାୟକ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାସ, ଜିଲ୍ଲା ଦାୟିତ୍ୱପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ମହେନ୍ଦ୍ର ମହାଳିକ, ଜନଗଣନା ପରାମର୍ଶଦାତା ଶ୍ରୀଯୁକ୍ତ ଦୟାନିଧି ନାୟକ, ବାଲେଶ୍ୱର ଜିଲ୍ଲାର ସମସ୍ତ ତହସିଲଦାର ଓ ଅତିରିକ୍ତ ତହସିଲଦାର, ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ୧୦ ଜାନୁଆରୀ ରୁ ୨୪ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ସ୍ୱୟଂ ଗଣନା ରହିଥିବା ବେଳେ ୨୫ ଜାନୁଆରୀ ରୁ ୨୮ ଫେବୃଆରୀ ୨୦୨୭ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା କରାଯିବ ପାଇଁ ନିଷ୍ପତ୍ତି ନିଆଯାଇଛି । ଜନଗଣନାକାରୀ ମାନେ ଘରକୁ ଘର ବୁଲି ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା କାର୍ଯ୍ୟ କରିବେ । ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତ୍ୟେକ ପରିବାର ଓ ବ୍ୟକ୍ତିଙ୍କ ସମ୍ପର୍କରେ ନିର୍ଦ୍ଧାରିତ ପ୍ରଶ୍ନାବଳୀ ଅନୁସାରେ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରାଯିବ। ଏହି ପର୍ଯ୍ୟାୟରେ ମୋଟ ଜନସଂଖ୍ୟା, ପରିବାରର ଗଠନ, ବୟସ, ଲିଙ୍ଗ, ଶିକ୍ଷା, ବୃତ୍ତି ଓ ଅନ୍ୟାନ୍ୟ ନିର୍ଦ୍ଧାରିତ ଜନସଂଖ୍ୟା ବିଷୟ ସମ୍ପର୍କରେ ୪୦ ପ୍ରଶ୍ନ ଉପରେ ତଥ୍ୟ ହାସଲ କରାଯିବ। ଏହି ତଥ୍ୟ ଆଧାରରେ ସରକାର ଦେଶର ବର୍ତ୍ତମାନର ଆବଶ୍ୟକତା ଓ ଭବିଷ୍ୟତର ଆହ୍ୱାନକୁ ଚିହ୍ନଟ କରିପାରିବେ।


