କାର ଧକ୍କା ଦେଲା ବାଇକକୁ : ଜାତୀୟ ରାଜପଥରେ ଜଳିଗଲା ବାଇକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-୫ନମ୍ବର(କ) ଜାତୀୟ ରାଜପଥରେ ଏକ କାର ଅନ୍ୟ ଏକ ବାଇକକୁ ଧକ୍କା ଦେବାରୁ ସଂପୃକ୍ତ ବାଇକଟି ଜଳି ଯାଇଛି । ଏଥିରେ ୩ ଜଣ ଆହତ ହୋଇଛନ୍ତି । ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବାଇକଟି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକ ଅନ୍ତର୍ଗତ ପୁରୁଳିଆ ଗ୍ରାମର ସୁବ୍ରତ ନାୟକଙ୍କର । ସୁବ୍ରତ ତାଙ୍କ ପତ୍ନୀଙ୍କୁ ବାଇକ ପଛରେ ବସାଇ ପାରାଦ୍ୱୀପ ଅଭିମୁଖେ ଯାଉଥିଲେ । ଅପରାହ୍ନ ପ୍ରାୟ ୪ଟା ସମୟରେ ୫ନମ୍ବର(କ) ଜାତୀୟ ରାଜପଥର ଶ୍ୟାମସୁନ୍ଦରପୁର ଗଡ଼ା ନିକଟରେ ତାଙ୍କ ବାଇକକୁ ଏକ କାର ଧକ୍କା ଦେଇଥିଲା । ଏହି ଦୁର୍ଘଟଣାଟି ଏତେ ଜୋର ଥିଲା ଯେ ବାଇକଟି ଜଳି ଯାଇଥିଲା । ଖବର ପାଇ କେନ୍ଦ୍ରାପଡା ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର ଓ ବାଇକକୁ ଥାନାକୁ ନେଇଥିଲା । ଏଥିସହ ଆହତମାନଙ୍କୁ ଡାକ୍ତରଖାନା ପଠାଇଥିଲା ।


