୧ରୁ ଟ୍ରାଫିକ୍ ନିୟମ କଡ଼ାକଡ଼ି, ଆରଟିଓ କାର୍ଯ୍ୟାଳୟରେ ଲମ୍ବାଧାଡ଼ି

ଭୁବନେଶ୍ୱର: ଟ୍ରାଫିକ୍ ନିୟମ କୋହଳ କରିବା ଲାଗି ରାଜ୍ୟ ସରକାର ଦେଇଥିବା ସମୟ ସୀମା ଶେଷ ହେବାକୁ ଯାଉଛି । ଆସନ୍ତା ୧ ତାରିଖରୁ ପୁଣି କଡ଼ାକଡ଼ି ହେବ ଟ୍ରାଫିକ୍ ନିୟମ । ଏହି ଖବର ପ୍ରଚାରିତ ହେବା ପରେ ରାଜ୍ୟର ସବୁ ଆରଟିଓଗୁଡ଼ିକରେ ଲମ୍ବାଧାଡ଼ି ଦେଖିବାକୁ ମିଳିଛି । ଲୋକମାନଙ୍କ ଭିତରେ ପୁଣି ଛାନିଆ ପଶିଯାଇଛି । ଆସନ୍ତା ୧ ତାରିଖଠାରୁ ଟ୍ରାଫିକ୍ ପୁଲିସ ହାତରେ ଧରାପଡ଼ିଲେ ହଜାର ହଜାର ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ । ତେଣୁ ଲୋକମାନେ ନିଜ ନିଜ ଯାନବାହନ କାଗଜପତ୍ର ତଥା ଡ୍ରାଇଭିଂ ଲାଇସେନ୍ସ, ପ୍ରଦୂଷଣ ପ୍ରମାଣପତ୍ର, ଫିଟ୍‌ନେସ୍ ପ୍ରମାଣପତ୍ର ଓ ଇନ୍ସୁରାନ୍ସ ଲାଗି ତତ୍ପର ହୋଇପଡ଼ିଛନ୍ତି ।
ହାତରେ କମ୍ ସମୟ ଥିବାରୁ ଲୋକମାନେ ନିଜ ନିଜ କାମଧନ୍ଦା ଛାଡ଼ି ଗାଡ଼ି କାଗଜପତ୍ର ଯୋଗାଡ଼ କରିବାରେ ଲାଗିପଡ଼ିଛନ୍ତି । ମାତ୍ର ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଛିଡ଼ା ହେବା ସତ୍ତ୍ୱେ କାମ ହୋଇପାରୁଥିବାରୁ ଲୋକମାନେ ବିରକ୍ତ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏବେ ବି ମଧ୍ୟ ରାଜ୍ୟର ଅନେକ ଆର୍‌ଟିଓ କାର୍ଯ୍ୟାଳୟରେ ଆବଶ୍ୟକ କର୍ମଚାରୀ ନାହାନ୍ତି । ତେଣୁ ଲୋକମାନଙ୍କୁ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି । ରାଜ୍ୟ ସରକାର ପ୍ରତ୍ୟେକ ଆର୍‌ଟିଓ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବା ଲାଗି ବିଭିନ୍ନ ପଦକ୍ଷେପ ନେଇଥିଲେ ହେଁ ଲୋକମାନଙ୍କ ଅସହାୟତାର ସୁଯୋଗ ନେଇ ଦଲାଲମାନେ ପୁଣି ସକ୍ରିୟ ହୋଇଉଠିଛନ୍ତି । ସିଧାସଳଖ ନ ହେଲେ ମଧ୍ୟ ଭିତିରିଆ ଲୋକମାନଙ୍କ ସହ ଯୋଗାଯୋଗ କରି ମୋଟା ଅଙ୍କର ମୁନାଫା କମାଉଥିବା ସାଧାରଣରେ ଅଭିଯୋଗ ହୋଇଛି । ଯାନବାହନ ବ୍ୟବହାରକାରୀମାନେ ଯେପରି ନିର୍ଦ୍ଧାରିତ ସମୟରେ ଆବଶ୍ୟକ କାଗଜପତ୍ର ପାଇପାରିବେ ସେଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାଧାରଣ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ