ସାରା ଦେଶରେ ଲାଗୁ ହେବ ଏନ୍‌ଆର୍‌ସି

ନୂଆଦିଲ୍ଲୀ: ନ୍ୟାସନାଲ ରେଜିଷ୍ଟ୍ରର ଅଫ୍ ସିଟିଜେନ୍ସ (ଏନଆରସି) ଲାଗୁ ନେଇ ବିବାଦ ଲାଗି ରହିଥିବା ବେଳେ ଏହା ଆସମ ଭଳି ସାରା ଦେଶରେ ଲାଗୁ ହେବ ବୋଲି ରାଜ୍ୟସଭାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି । ଶ୍ରୀ ଶାହ କହିଛନ୍ତି ଯେ ସମଗ୍ର ଦେଶରେ ଏନଆରସି କାର୍ଯ୍ୟକାରୀ ହେବ । କୌଣସି ନିର୍ଦ୍ଦିଷ୍ଟ ଧର୍ମର ଲୋକଙ୍କୁ ଏହି ତାଲିକାରୁ ବାଦ୍ ଦେବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ସବୁ ଧର୍ମର ଲୋକଙ୍କୁ ଏନଆର୍‌ସିରେ ସାମିଲ କରାଯିବ ।
ରାଜ୍ୟସଭାରେ ଉଦ୍‌ବୋଧନ ଦେଇ ଶ୍ରୀ ଶାହ କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ଧର୍ମର ଲୋକଙ୍କୁ ଏନଆର୍‌ସି ତାଲିକାରୁ ବାଦ୍ ଦେବା ପାଇଁ ବ୍ୟବସ୍ଥା ନାହିଁ । ଏହା ନାଗରିକ ସଂଶୋଧନ ବିଲ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଯେଉଁମାନେ ଏଥିରୁ ବାଦ୍ ପଡ଼ୁଛନ୍ତି ସେମାନେ ଆଦୌ ଡରିବା ଉଚିତ ନୁହଁ । ତହସିଲ ସ୍ତରରେ ଥିବା ଟ୍ରିବ୍ୟୁନାଲରେ ସେମାନେ ନିଜର ଅଭିଯୋଗ ଦାଖଲ କରିପାରିବେ ବୋଲି ଶ୍ରୀ ଶାହ ସ୍ପଷ୍ଟ କରିଛନ୍ତି ।
ସୂଚନା ଥାଉ କି, ଚଳିତ ବର୍ଷ ଅଗଷ୍ଟ ୧ ତାରିଖରେ ଆସାମରେ ଲାଗୁ ହୋଇଥିବା ଏନଆରସି ଡ୍ରାଫ୍ଟ ତାଲିକା ପ୍ରକାଶ ପାଇଥିଲା । ଏବେ ସେମାନେ ଭାରତର ନାଗରିକ ହେବାର ଅଧିକାର ହରାଇଛନ୍ତି । ତେବେ ଶ୍ରୀ ଶାହାଙ୍କ ଏନଆରସି ଲାଗୁ ନିୟମକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧ କରିଛନ୍ତି । ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଏହି ନିୟମକୁ ସେ କେବେ ବି ପଶ୍ଚିମବଙ୍ଗରେ ଲାଗୁ ହେବାକୁ ଦେବେ ନାହିଁ । ଦେଶରୁ ମୁସଲିମମାନଙ୍କୁ ବିତାଡ଼ିତ କରିବା ଲାଗି କେନ୍ଦ୍ର ସରକାର ଏଭଳି ଏକ ଷଡ଼ଯନ୍ତ୍ର ଚଳାଇଛନ୍ତି । ଏହା ଦ୍ୱାରା ଧର୍ମନିରପେକ୍ଷତା ଉପରେ ଗୁରୁତର ପ୍ରଭାବ ପଡ଼ିପାରେ । ତେଣୁ ଆମ ସରକାର ଧର୍ମ ଆଧାରରେ ଲୋକଙ୍କ ଭିତରେ ବିଦ୍ୱେଷ ଭାବନା ହେବାକୁ ଦେବ ନାହିଁ । ଅମିତ ଶାହାଙ୍କ ଏହି ଘୋଷଣା ପରେ ବିଜେପି ଶାସିତ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡ ଭଳି ରାଜ୍ୟ ଏନ୍‌ଆର୍‌ସି ଲାଗୁ କରିବା ପାଇଁ ଘୋଷଣା କରିସାରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ