ଶ୍ରୀଗୁଣ୍ଡିଚାରେ ରଥ…ପଥ…ବ୍ରହ୍ମ ତାଳଧ୍ୱଜ…
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମରେ ସତେ ଯେମିତି ଫାଟି ପଡୁଥିଲା ତୁଳସୀକ୍ଷେତ୍ରାଧିପତି ଶ୍ରୀବଳଦେବଜୀଊଙ୍କ ରଥଦାଣ୍ଡ । ଘଣ୍ଟ, ଘଣ୍ଟା, ମୃଦଙ୍ଗ, କାହାଳୀ ଶବ୍ଦରେ ପ୍ରକମ୍ପିତ ହେଉଥିଲା ତୁଳସୀକ୍ଷେତ୍ର ରଥଦାଣ୍ଡର ଗଗନ ପବନ । ବ୍ରହ୍ମ ତାଳଧ୍ୱଜ ରଥକୁ ଛୁଇଁବା ପାଇଁ ଭକ୍ତମାନଙ୍କ ମଧ୍ୟରେ ବେଶ ଆବେଗ ବଢି ଯାଇଥିଲା । ଭକ୍ତ ଓ ଭଗବାନଙ୍କ ମିଳନ ଦୁଇ ବର୍ଷର ଅନ୍ତର ପରେ ଥିଲା ବେଶ ଭାବବିହ୍ୱଳିତ । ଭକ୍ତମାନଙ୍କ ଆଖିରୁ ଝରି ପଡ଼ୁଥିଲା ଅଶ୍ରୁ । ରଥାରୂଢ ଶ୍ରୀଜୀଉମାନଙ୍କୁ ଦେଖିବାରୁ ୨ବର୍ଷ ଧରି ବଞ୍ଚିତ ଥିଲେ ଭକ୍ତମାନେ । ରଥ ଟାଣିବାର ଅପୂର୍ବ ଅନୁଭୂତିକୁ କରୋନା କଟକଣା ଯୋଗୁଁ ଦୂରେଇ ରଖାଯାଇଥିଲା । ତେଣୁ ୨୦୨୨ ଶ୍ରୀଗୁଣ୍ଡିଚା ରଥଯାତ୍ରାରେ ରଥ…ପଥ…ବ୍ରହ୍ମ ତଳଧ୍ୱଜ ହୋଇଥିଲା ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉମୟ । ଅର୍ଥାତ ବ୍ରହ୍ମ ତାଳଧ୍ୱଜ ରଥ ଉପରେ ବଡ଼ ଭାଇ ବଳଭଦ୍ର, ସୁନା ଭଉଣୀ ସୁଭଦ୍ରା ଓ କାଳିଆ ସାଆନ୍ତଙ୍କୁ ଦର୍ଶନ କରି ଭକ୍ତମାନେ ଖୁସିରେ ଗଦଗଦ ହୋଇପଡିଥିଲେ । ଶୁକ୍ରବାର ସକାଳୁ ରଥାରୂଢ ଠାକୁରମାନଙ୍କୁ ଦର୍ଶନ କରିବା ପାଇଁ ରଥଦାଣ୍ଡ ଲୋକାରଣ୍ୟ ହୋଇଯାଇଥିଲା । ଶ୍ରୀଜୀଉମାନେ ପହଣ୍ଡି ବିଜେ କରି ରଥାରୂଢ ହୋଇଥିଲେ । ଏହାପରେ ବ୍ରହ୍ମତାଳଧ୍ୱଜ ରଥ ଗଡିବା ପାଇଁ ପ୍ରସ୍ତୁତ ହୋଇଥିଲା । ଭକ୍ତମାନଙ୍କ ଭାବାବେଗକୁ ଦେଖି ପ୍ରଶାସନ ମଧ୍ୟ ତରଳି ଯାଇଥିଲା ନିର୍ଦ୍ଧାରିତ ସମୟରେ ରଥ ଟାଣିବା ପାଇଁ । ଅପରାହ୍ଣ ୩ଟା ବେଳେ ରଥ ଟଣା ହେବାକୁ ସମୟ ନିର୍ଘଣ୍ଟ ହୋଇଥିଲେ ମଧ୍ୟ ଭକ୍ତଙ୍କ ଭାବାବେଗକୁ ଦେଖି ଏହା ଦୁଇ ଘଣ୍ଟା ୨୦ ମିନିଟ୍ ବିଳମ୍ବିତ ହୋଇଥିଲା । ଫଳରେ ୫ଟା ୨୦ମିନିଟ ସମୟରେ ରଥ ଟଣା ଆରମ୍ଭ ହୋଇଥିଲା । ରଥ ଟାଣିବା ପାଇଁ ତ୍ରିସ୍ତରୀୟ ପୋଲିସ କର୍ଡନ ବ୍ୟବସ୍ଥା ହୋଇଥିଲା । କର୍ଡ଼ନ ମଧ୍ୟରେ କେନ୍ଦ୍ରାପଡା ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା ମାଇକ୍ ଧରି ସୁରକ୍ଷିତ ଭାବେ ରଥ ଟାଣିବା ପାଇଁ ଭକ୍ତମାନଙ୍କୁ ସଚେତନ କରାଉଥିଲେ । ଆରକ୍ଷୀ ଅଧୀକ୍ଷକ ସନ୍ଦୀପ ସମ୍ପଦ ମଡ଼କର କର୍ଡ଼ନ ମଧ୍ୟରେ ରହି ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରୁଥିଲେ । ତାଙ୍କୁ ସହଯୋଗ କରୁଥିଲେ ଡିଏସ୍ପି କାର୍ତ୍ତିକ ମଲ୍ଲିକ, ଡିଏସ୍ପି ପରେଶ ମହାନ୍ତି, ଟାଉନ୍ ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି, ଇନ୍ସପେକ୍ଟର ମନୋରଞ୍ଜନ ଚୌଧୁରୀ, ଇନ୍ସପେକ୍ଟର ସଲିଲ ପ୍ରଧାନ, ଯୁବ ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ, ସୈାମ୍ୟରଞ୍ଜନ ଜାଲିଙ୍କ ସମେତ ଜିଲ୍ଲାର ବିଭିନ୍ନ ଥାନାର ଅଧିକାରୀମାନେ । ରଥ ଉପରକୁ ଛୋଟ ଛୋଟ ପିଲାମାନଙ୍କୁ ଉଠାଇବାକୁ ସେବାୟତମାନଙ୍କ ମଧ୍ୟରେ ବେଶ ପ୍ରତିଯୋଗିତା ଦେଖିବାକୁ ମିଳିିଥିଲା । ରଥ ଉପରକୁ ଛୋଟ ପିଲାମାନଙ୍କୁ ଉଠାଇ ଶ୍ରୀଜୀଉଙ୍କ ଦର୍ଶନ କରାଇବା ପାଇଁ ସେବାୟତମାନେ ଭକ୍ତମାନଙ୍କ ଠାରୁ ଦକ୍ଷିଣା ନେଉଥିଲେ । କିନ୍ତୁ ଏହି କାର୍ଯ୍ୟ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଚାଲିଥିଲା । ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା ଡାକବାଜି ଯନ୍ତ୍ର ସାହାଯ୍ୟରେ ଏହି ଘଟଣାକୁ ବାରଣ କରୁଥିଲେ । କିନ୍ତୁ ସେବାୟତମାନେ ତାଙ୍କ କଥା ଶୁଣୁନଥିବାର ଦେଖାଯାଇଥିଲା । ସେମାନେ କହୁଥିଲେ ଗତ ଦୁଇ ବର୍ଷ ହେବ ଆମେ ଭକ୍ତଙ୍କ ଠାରୁ ଦକ୍ଷିଣା ନେଇନୁ । ତେଣୁ ଚଳିତ ବର୍ଷ ଆମକୁ କିଛି କୁହନାହିଁ । ଏଥିସହ ଲୋକେ ସେମାନଙ୍କ ପିଲାମାନଙ୍କୁ ରଥ ଛୁଇଁବାକୁ ଛାଡୁଥିବାରୁ ଆମେ ରଥ ଉପରକୁ ଚଢାଉଛୁ ବୋଲି ଅନ୍ୟ ଜଣେ ସେବାୟତ କହିଥିଲେ । ଫଳରେ ପୋଲିସ ନୀରବ ରହିବାକୁ ବାଧ୍ୟ ହୋଇଥିଲା । ସେମାନଙ୍କୁ ବିରୋଧ କଲେ ରଥ ଗଡାଇ ଦେବେ ନାହିଁ ବୋଲି ମଧ୍ୟ ଧମକ ଦେଇଥିଲେ । ସେଥିପାଇଁ ପୋଲିସ ନୀରବ ରହିବାକୁ ବାଧ୍ୟ ହୋଇଥିଲା ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଥିଲେ । ରଥ ସିଂହଦ୍ୱାରରୁ ଟଣା ହୋଇ ଦେବୋତ୍ତର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଏହା ହେଉଛି ତୁଳସୀ କ୍ଷେତ୍ରର ପରମ୍ପରା । ଆସନ୍ତା କାଲି ଅର୍ଥାତ ଶନିବାର ରଥ ଟଣା ଯାଇ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଚକଡା ଲାଗିବ । ପରେ ରଥାରୂଢ ଶ୍ରୀଜୀଉମାନେ ଜନ୍ମବେଦୀ ତଥା ମାଉସୀ ମା’ଙ୍କ ମନ୍ଦିରକୁ ପ୍ରବେଶ କରିବାର ପରମ୍ପରା ରହିଛି । ରଥ ଟାଣୁଥିବା ଜଣେ ଭକ୍ତ କହିଛନ୍ତି ଗତ ଦୁଇ ବର୍ଷ ହେବ ଭକ୍ତମାନେ ରଥ ଟାଣିବାର ସୁଯୋଗ ପାଇ ନ ଥିଲେ । ଫଳରେ ଭକ୍ତମାନେ ନିରାଶ ହୋଇପଡିଥିଲେ । ଚଳିତ ବର୍ଷ ଭକ୍ତମାନେ ରଥ ଟାଣିବାର ସୁଯୋଗ ପାଇଛନ୍ତି । ତେଣୁ ଭକ୍ତମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳିଥିଲା । ରଥ କର୍ଡନ ନିକଟରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ଉପଜିଲ୍ଲାପାଳ ତଥା ଟ୍ରଷ୍ଟବୋର୍ଡର ଅଧ୍ୟକ୍ଷ ନିରଞ୍ଜନ ବେହେରା, ପୌରସଂସ୍ଥା ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ, ଟ୍ରଷ୍ଟ ବୋର୍ଡ ସଭ୍ୟ ଯଯାତୀ କେଶରୀ ମହାନ୍ତି, ରଞ୍ଜନ କୁମାର ପୃଷ୍ଟି, ଦେବୋତ୍ତର ସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।