ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସ୍ଥାନୀୟ ଗୁଲନଗର ହାଇସ୍କୁଲ ପରିସରରେ ବୁଧବାର ପୂର୍ବାହ୍ନରେ ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୈାରାଜଜ ବାସୁଦେବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କେନ୍ଦ୍ରାପଡାର ଅତିରିକ୍ତ ବରିଷ୍ଠ ସିଭିଲ ଜଜ୍ ପଦ୍ମଲୋଚନ ବଡଜେନା,କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ଆଇନଜୀବି ରମଣୀରଞ୍ଜନ ରାଉତରାୟ,ପ୍ରଦୀପ କୁମାର ଦାଶ,ଗୁଲନଗର ସରପଂଚ ପୀତବାସ ବେହେରା,ଧରଣୀଧର ସାହୁ ପ୍ରମୁଖ ଯୋଗଦେଇ ଆଇନ ସେବା ପ୍ରାଧିକରଣ ଅଧିନିୟମ ୧୯୮୭, ଲୋକ ଅଦାଲତ, ନ୍ୟାୟ ସଂଯୋଗ, ଆପୋଷ ବୁଝାମଣା ଦ୍ୱାରା ମାମଲାର ସମାଧାନ ପ୍ରଭୃତି ବିଷୟରେ ଏହି ଆଇନ ସଚେତନତା ଶିବିରରେ ଯୋଗଦେଇଥିବା ଲୋକମାନଙ୍କୁ ବୁଝାଇଥିଲେ । ପ୍ରାଧିକରଣର ଅଧିନିୟମ ଧାରା ୧୨ ଅନୁଯାୟୀ କିଭଳି ମହିଳା, ଶିଶୁ, ଅନୁସୁଚିତ ଜାତି ଓ ଜନଜାତି, ବିଚାରାଧିନ କଏଦୀ ପ୍ରାକୃତିକ ଦୁର୍ବିପାକରେ ପ୍ରପିଡିତ ଜନସାଧାରଣଙ୍କୁ ମାଗଣାରେ ଆଇନ ସେବା ଯୋଗାଇ ଦିଆଯିବା ଏବଂ ବାର୍ଷିକ ୩ଲକ୍ଷରୁ କମ ଆୟ ଥିବା ଲୋକଙ୍କୁ ମାଗଣାରେ ଆଇନ ସେବା ଯୋଗାଇ ଦିଆଯିବା ସମ୍ପର୍କରେ ମଧ୍ୟ ଉପସ୍ଥିତ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ମଳୟ କୁମାର ପ୍ରଧାନ ଶିବିର ପରିଚାଳନା କରିଥିବା ବେଳେ ଗୁଲନଗର ପଂଚାୟତର ୱାର୍ଡ ସଭ୍ୟ ପ୍ରଦୀପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।