ଦ୍ରୌପଦୀ ମୁର୍ମୁଙ୍କ ବିଜୟକୁ ନେଇ ବିଜେଡି ଓ ବିଜେପି ଶିବିର ଉତ୍ସବମୁଖର
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଏକତରଫା ବିଜୟକୁ ନେଇ ପାରଳା ସହରରେ ବିଜେଡି ଓ ବିଜେପି ତରଫରୁ ଶୋଭାଯାତ୍ରା, ଆତସବାଜି, ବିଭିନ୍ନ ଜୟଧ୍ବନୀ ସହ ଅଭିନନ୍ଦନ ଯାତ୍ରା ଦେଖିବାକୁ ମିଳିଛି । ରାଷ୍ଟ୍ରପତି ନିର୍ବାଚନରେ ଦୌପଦୀ ମୁର୍ମୁଙ୍କ ବିଜୟକୁ ନେଇ ଜିଲ୍ଲା ବିଜେଡି ପକ୍ଷରୁ ବିଜୟ ଶୋଭାଯାତ୍ରା ର ଆୟୋଜନ ହୋଇଥିବା ବେଳେ ଜିଲ୍ଲା ବିଜେପି ପକ୍ଷରୁ ମଧ୍ୟ ଅନୁରୂପ ଶୋଭାଯାତ୍ରା ବାହାରିଥିଲା । ବିଜେଡି ସଭାପତି ପ୍ରଦୀପ କୁମାର ନାୟକଙ୍କ ନେତୃତ୍ବରେ ବରିଷ୍ଠ ନେତାଗଣ ଏବଂ ଶତାଧିକ କର୍ମୀ ବାଜା ପଟୁଆରରେ ବାହାରି ନଗର ଭ୍ରମଣ ସହ ବିଜୟ ଉତ୍ସବ ପାଳିଥିଲେ । ଏଥି ସହ ଆଦିବାସୀ ନୃତ୍ୟ ମଧ୍ୟ ପରିବେଶଣ ହୋଇଥିଲା । ନଗର ପରିକ୍ରମା ପରେ ହାଇସ୍କୁଲ ଛକ ଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଠାରେ ପୁଷ୍ପମାଲ୍ୟ ଅର୍ପଣକରି ଶୋଭାଯାତ୍ରାର ସମାପନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ, ଜିଲ୍ଲା ଯୁବ ବିଜେଡି ସଭାପତି ଏସ୍.ଲିଙ୍ଗରାଜୁ, ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ, ଜମିଦାର ପଟ୍ଟନାୟକ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବସନ୍ତ ଦାସ, ରାଜେନ୍ଦ୍ର ବେହେରା, ପାରଳା ପୌରପରିଷଦର ଉପାଧ୍ୟକ୍ଷ ଲେଙ୍କା ମଧୂ, ପୂର୍ବତନ ରାୟଗଡ ବ୍ଲକ ଅଧ୍ୟକ୍ଷ ଧନେଶ୍ବର ଭୂୟାଁ ପ୍ରମୁଖଙ୍କ ସହ ଶତାଧିକ କର୍ମୀ ଉପସ୍ଥିତଥିଲେ ।


