ନବନିର୍ବାଚିତ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଲା ପାଇକ ମହାସଂଘ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ପ୍ରଥମଥର ପାଇଁ ଜଣେ ଓଡ଼ିଆ ଭାରତବର୍ଷର ମହାମହିମ ରାଷ୍ଟ୍ରପତି । ଆଜି ଦିନଟି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ଐତିହାସିକ ଦିନ, ଗର୍ବର ଦିନ, ଗୌବର ଦିନ । ଅଖ୍ୟାତ ପଲ୍ଲୀର ଜଣେ ସାଧାରଣ ଆଦିବାସୀ ମହିଳା ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରର ମୁଖ୍ୟ । ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଆନନ୍ଦ ଉଲ୍ଲାସର ଦିନ । ଏ ଜାତିର ଗୌରବ ଦ୍ରୌପଦୀ ମୁର୍ମୁ ନୂତନ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇ ଏହା ପ୍ରକାଶ କରିଛନ୍ତି ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ । ମାନ୍ୟବର ପ୍ର୍ରଧାନମନ୍ତ୍ରୀ ଜଣେ ସାଧାରଣ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭାବେ ପ୍ରାର୍ଥୀ କରି ନିର୍ବାଚିତ କରିଥିବାରୁ ତାହା ଆଜି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ନୂତନ ବାର୍ତ୍ତା । ବିଶ୍ୱର ଶ୍ରେଷ୍ଠ ଗଣତନ୍ତ୍ରରେ ସମସ୍ତେ ସମାନ, ଏଠି ଉଚ୍ଚନୀଚର ସ୍ଥାନ ନାହିଁ, ଏଠି ସମସ୍ତଙ୍କ ଅଧିକାର । ଏହିଭଳି ଏକ ବାର୍ତ୍ତା ପ୍ରଦାନ କରିଥିବାରୁ ମହାସଂଘ ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିକଟରେ ପାଇକ ମହାସଂଘ କୃତଜ୍ଞତା ଜ୍ଞାପନ କରିଛି । ପାର୍ଟି ଅପେକ୍ଷା ନିଜ ‘ମା’ ମାଟିକୁ ଭଲ ପାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ପରାକାଷ୍ଠା ପ୍ରଦାନ କଲେ ତାହା ଚୀର ବନ୍ଦନୀୟ ବୋଲି ପାଇକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭୂରି ଭୂରି ପ୍ରଶଂସା କରାଯାଇଛି । ମହାମହିମ ରାଷ୍ଟ୍ରପତି ପ୍ରଥମ ଓଡ଼ିଶା ଆଗମନ ସମୟରେ ପାଇକ ମହାସଂଘ ପକ୍ଷରୁ ବ୍ୟାପକ ଭାବେ ସ୍ୱାଗତ କରାଯିବ ବୋଲି ରାଜ୍ୟ ସଂଯୋଜକ କେଦାର ଦାସ, କଟକ ସଭାପତି ରାଜକିଶୋର ବେହେରା ପ୍ରକାଶ କରିଛନ୍ତି ।


