ଗୁଲନଗର ନୟନଯୋରି ଜବର ଦଖଲ : ଜଳବନ୍ଦି ପରିସ୍ଥିତି ନେଇ ଉତ୍ତେଜନା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ସଦର ମହକୁମାରେ ସରକାରୀ ଜମିରେ ଥିବା ଜଳ ନିଷ୍କାସନ ପଥ ନୟନଯୋରୀ ଓ କେନାଲ ଗୁଡିକୁ ଜବର ଦଖଲ କରାଯିବାରେ ଜଳ ନିଷ୍କାସନ ସମସ୍ୟା ଲାଗି ରହିଛି । କେନ୍ଦ୍ରାପଡା ସହର ଉପକଣ୍ଠ ଗୁଲନଗର ଗ୍ରାମରେ ଜଳ ନିଷ୍କାସନ ସମସ୍ୟା ଯୋଗୁଁ ଚାଷ ଜମି ପଡିଆ ରହୁଥିବା ବେଳେ ଗାଁ ରାସ୍ତାରେ ଆଣଣ୍ଠୁଏ ପାଣି ଜମି ରହିବା ହେତୁ ଜବର ଦଖଲ ବିରୋଧରେ ଉତ୍ତେଜନା ଲାଗି ରହିଛି । ଗୁଲନଗର ଚଟିପୋଲ ନିକଟସ୍ଥ ଦଣ୍ଡାମୁଣ୍ଡ ଛକ ଅପରପାଶ୍ୱର୍ ଗୁଲନଗର ଗ୍ରାମକୁ ପ୍ରବେଶ ପଥରେ ସାମାନ୍ୟ ବର୍ଷାରେ ଆଣ୍ଠୁଏ ପାଣି ଜମି ରହୁଛି । ଗ୍ରାମ ଭିତରକୁ ଲୋକେ ଯାଆସ କରିପାରୁ ନଥିବା ବେଳେ ଛାତ୍ରଛାତ୍ରୀମାନେ ମଧ୍ୟ ସ୍କୁଲ ଯାଇ ପାରୁନଥିବା ଅଭିଯୋଗ ହୋଇଛି । ଗାଁ ରାସ୍ତା କଡ ଜଳ ସେଚନ ବିଭାଗ ନୟନଯୋରୀକୁ ସେହି ଗ୍ରାମର କେତେକ ବ୍ୟକ୍ତି ପୋତି ଦେଇ ତାହା ଉପରେ ଦୋକାନ ଓ ବସବାସ କରୁଥିବା ହେତୁ ଜଳ ନିଷ୍କାସନ ହୋଇ ପାରୁ ନଥିବା ଅଭିଯୋଗ ହୋଇଛି । ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ, ତହସିଲ ଏବଂ ଜଳ ସେଚନ ବିଭାଗକୁ ପୂର୍ବରୁ ଅବଗତ କରାଯାଇଥିଲେ ମଧ୍ୟ ପ୍ରଶାସନ ପଦକ୍ଷେପ ନେଉ ନଥିବାରୁ ଥାନାରେ ମାମଲା ରୁଜୁ ହୋଇଛି । ଏହି ସମସ୍ୟା ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ମଧ୍ୟ ଲାଗି ରହିଛି । ଅବରୋଧକାରୀଙ୍କୁ ତୁରନ୍ତ ଉଚ୍ଛେଦ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି ।