ଛାତ୍ରଛାତ୍ରୀଙ୍କୁ ନୂଆ କୌଶଳ ପ୍ରଦାନ କରିବା ପାଇଁ ନ୍ୟୁ ଏଜ୍ ସ୍କିଲ୍ ଆରମ୍ଭ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ (ଏନଇପି) ଦେଶର ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣି ଏକ ସଶକ୍ତ ଏବଂ ଆତ୍ମନିର୍ଭର ଭବିଷ୍ୟତ ପାଇଁ ମୂଳଦୁଆ ପକାଉଛି ବୋଲି ଏହି ଶିକ୍ଷା ନୀତିର ଦୁଇ ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଏହି ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଜାତୀୟ ଶିକ୍ଷା ନୀତି ଅଧୀନ ଡ଼ିଜିଟାଲ ଶିକ୍ଷା, ନବସୃଜନ, ଶିକ୍ଷା ଏବଂ କୌଶଳ ବିକାଶ ସହ ସାମଞ୍ଜସ୍ୟ, ଶିକ୍ଷକ ପ୍ରଶିକ୍ଷଣ ସହ ଜଡ଼ିତ ୧୦ଟି ନୂଆ ଉପକ୍ରମକୁ ଉଦଘାଟନ କରିଥିଲେ । ସେ କହିଛନ୍ତି ଯେ ମୋଦିଜୀଙ୍କ ନେତୃତ୍ୱରେ ମହାନ୍ ଭାରତର ରଚନାର ଆଧାର ହେଉଛି ଜାତୀୟ ଶିକ୍ଷା ନୀତି । ନୂଆ ଶିକ୍ଷା ନୀତି ପ୍ରତିଭାବାନ ନାଗରିକଙ୍କୁ ସୃଷ୍ଟି କରିବ । ସ୍ୱାମୀ ବିବେକାନନ୍ଦଙ୍କ କହିଥିବା କଥାକୁ ଉଦ୍ଧୃତ କରି କହିଛନ୍ତି ଯେ ଯେଉଁ ଶିକ୍ଷା ସାଧାରଣ ନାଗରିକଙ୍କୁ ଜୀବନର ସଂଘର୍ଷ ପାଇଁ ସମର୍ଥ କରେ ନାହିଁ, ଯେଉଁ ଶିକ୍ଷା ପିଲାଙ୍କ ଉତ୍ତମ ଚରିତ୍ର ନିର୍ମାଣ କରେ ନାହିଁ, ପରୋପକାରୀ ଭାବନା ସୃଷ୍ଟି କରି ନାହିଁ, ସିଂହ ଭଳି ସାହସ ଜାଗ୍ରତ କରେ ନାହିଁ ତେବେ ସେହି ଶିକ୍ଷା ଶିକ୍ଷା ନୁହେଁ । ଏହି ଶିକ୍ଷାକୁ ସାର୍ଥକତାର ରୂପ ଦେବା ପାଇଁ ପ୍ରଧାନମନ୍ତ୍ରୀ ଲକ୍ଷାଧିକ ବିଚାରବିମର୍ଷ ପରେ ଯେଉଁ ଅମୃତ ବାହାର କରିଛନ୍ତି ତାହା ରାଷ୍ଟ୍ରୀୟ ଶିକ୍ଷା ନୀତି ବୋଲି ସେ କହିଛନ୍ତି । ସେହିପରି ରାଷ୍ଟ୍ରୀୟ ଶିକ୍ଷା ନୀତି – ୨୦୨୦ ପରିବର୍ତ୍ତନକାରୀ ସୁଧାରର ଦୁଇ ବର୍ଷ ପୂରଣ ହେବା ଉପରାନ୍ତେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବୋଧନ ଦେଇ କହିଛନ୍ତି ଯେ ଟି.ବି.ମାକାଉଲେ ଭାରତରେ ଯେଉଁ ଶିକ୍ଷା ନୀତି ପ୍ରସ୍ତୁତ କରିଥିଲେ ତାହା କେବଳ ଭାରତକୁ ନୀଚ୍ଚ କରିବାର ଏକ ପ୍ରକ୍ରିୟା ଥିଲା । ଭାରତର ପରାଧୀନ ମାନସିକତାକୁ ରଚନା କରିବା ଦିଗରେ ତାଙ୍କ ଦ୍ୱାରା ଶିକ୍ଷା ନୀତି ସଂରଚନା କରାଯାଇଥିଲା । ଏହି ଶିକ୍ଷା ବ୍ୟବସ୍ଥା ଏବେ ବି ଚାଲୁ ରହିଛି । ମାତ୍ର ଏହି ଶିକ୍ଷା ନୀତିର ବିକଳ୍ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଆସିଛି । ଯେଉଁ ନୂଆ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି, ମାକାଉଲେଙ୍କ ପରାଧୀନ ମାନସିକତାକୁ ବଦଳାଇ ଭାରତର ସ୍ୱାଧୀନ ମାନସିକତାକୁ ବିକାଶ କରିବା । କୋଭିଡ୍ ସଂକଟ ମଧ୍ୟରେ ଆଜିର ଦିନ ଅର୍ଥାତ୍ ୨୯ ଜୁଲାଇ ୨୦୨୦ରେ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ପ୍ରଣୟନ ହେଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗଦର୍ଶନରେ ଜାତୀୟ ଶିକ୍ଷା ନୀତି ଉପାଦେୟ ସାବ୍ୟସ୍ତ ହୋଇଛି । ଶିକ୍ଷା ନୀତି କ୍ରିୟାନ୍ୱୟନ ବେଳେ ଅନେକ ପଦକ୍ଷେପ ନିଆଯାଉଛି । ଶିକ୍ଷା କ୍ଷେତ୍ରରେ ଅନେକ ସୁଧାର ଅଣାଯାଉଛି । ଶିକ୍ଷା ଆମର ପୁଞ୍ଜି । ଦୁନିଆର ସ୍ୱପ୍ନକୁ ପୂରଣ କରିବା ପାଇଁ ଏଭଳି ଏକ ବିଶ୍ୱାସ ଭାରତୀୟ ସମାଜରେ ଅନ୍ତର୍ନିହିତ ଅଛି । ଆମେ ‘ବସୁଧୈବ କୁଟୁମ୍ବକମ’ରେ ବିଶ୍ୱାସ କରୁଥିବା ସମାଜ । ଏକବିଂଶ ଶତାବ୍ଦୀରେ ଭାରତକୁ ବିଶ୍ୱଗୁରୁ କରିବାର କଳ୍ପନା ରହିଛି । ଦେଶ ଅଶାନୁରୂପ ଆମର ଶିକ୍ଷା ବ୍ୟବସ୍ଥା ଭାରତକୁ ବିଶ୍ୱର ସର୍ବୋଚ୍ଚ ସ୍ଥାନରେ ପହଞ୍ଚାଇବ ବୋଲି କେନ୍ଦ୍ରମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହ ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ବିଭିନ୍ନ ଉପକ୍ରମର ଶୁଭାରମ୍ଭ କରିଛନ୍ତି । ନ୍ୟାସନାଲ କରିକୁଲମ ଫ୍ରେମଓ୍ୱାର୍କ(ଏମସିଏଫ)ର ବିକାଶ କରିବା ପାଇଁ ଲୋକଙ୍କ ପରାମର୍ଶ ନେବା ପାଇଁ ୨୩ଟି ଭାଷାରେ ମୋବାଇଲ ଆପର ଉନ୍ମୋଚନ କରାଯାଇଛି । ବିଜ୍ଞାନ ଏବଂ ଗଣିତରେ ଗବେଷଣା ଏବଂ ପରୀକ୍ଷା ନୀରିକ୍ଷା କରିବା ପାଇଁ ଦେଶରେ ୨୦୦ଟି ଭର୍ଚ୍ଚୁଆଲ ଲ୍ୟାବ ଆରମ୍ଭ କରାଯାଇଛି । ୧୦ କୋଟି ଛାତ୍ରଛାତ୍ରୀ ଏବଂ ୧୦ ଲକ୍ଷ ଶିକ୍ଷକ ଏହାର ଲାଭ ନେଇପାରିବେ । ଦେଶର ସବୁ ଶିକ୍ଷାନୁଷ୍ଠାନକୁ ନ୍ୟାସନାଲ ଡିଜିଟାଲ ଏଜ୍ୟୁକେସନ ଆର୍କିଟେକ୍ଚର ଫ୍ରେମଓ୍ୱାର୍କ ସମ୍ମେଳିତ ବିଦ୍ୟା ସମୀକ୍ଷା କେନ୍ଦ୍ର ସହ ଯୋଡ଼ଯିବ । ଦେଶର ବିଭିନ୍ନ ସ୍ଥାନରେ ସଫଳ ଶିକ୍ଷା ଦାନର ପଦ୍ଧତିକୁ ସମସ୍ତଙ୍କ ପାଖରେ ପହଞ୍ଚାବା ଦିଗରେ ବିଦ୍ୟା ଅମ୍ରିତ ପୋର୍ଟାଲର ମଧ୍ୟ ଶୁଭାରମ୍ଭ ହୋଇଯାଇଛି । ପ୍ରି-ସ୍କୁଲ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ନିୟୋଜିତ ଶିକ୍ଷକଙ୍କୁ ନିଷ୍ଠା ୪.୦ରେ ପ୍ରଶିକ୍ଷଣ ଦିଆଯିବ । ସ୍କୁଲରୁ ହିଁ ସୃଜନ ଚିନ୍ତାଧରା, ନବସୃଜନ, ଉଦ୍ୟମିତା, ସମସ୍ୟାର ସମାଧାନ କରିବା, ଦକ୍ଷତା ବିକାଶକୁ ପ୍ରୋତ୍ସାହନ ଦେବା ଦିଗରେ ସ୍କୁଲ ଇନୋଭେସନ ପଲିସିର ଶୁଭାରମ୍ଭ ହୋଇଛି । ଭାରତକୁ ବିଶ୍ୱର ସ୍କିଲ୍ ରାଜଧାନୀରେ ପ୍ରତିଷ୍ଠା କରିବା ଦିଗରେ ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ କୌଶଳ ପ୍ରଦାନ କରିବା ପାଇଁ ନ୍ୟୁ ଏଜ୍ ସ୍କିଲର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନ୍ତର୍ଗତ ଶିକ୍ଷାନୁଷ୍ଠାନରେ ସ୍କିଲ୍ ହବ୍ ପ୍ରତିଷ୍ଠା କରାଯାଉଛି । ଉଚ୍ଚ ଶିକ୍ଷା ସହ ଧନ୍ଦାମୂଳକ ଏବଂ ଦକ୍ଷତା ଆଧାରିତ ଶିକ୍ଷାକୁ ଯୋଡ଼ିବା ଦିଗରେ ଏକ ଉପକ୍ରମ ଶୁଭାରମ୍ଭ କରାଯାଇଛି । ନୂଆଦିଲ୍ଲୀ ସ୍ଥିତ ଏଆଇସିଟିଇ ଠାରେ ଜୁଲାଇ ୨୯ରୁ ଜୁଲାଇ ୩୧ ତିନିଦିନିଆ ଭାରତୀୟ ଜ୍ଞାନ ପରମ୍ପରାର ଇ-ଶୁଭାରମ୍ଭ କରାଯାଇଛି । ଏହି ବିଶେଷ କାର୍ଯ୍ୟକ୍ରମରେ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଡା. ରାଜକୁମାର ରଞ୍ଜନ ସିଂହ, ଡା. ସୁବାଷ ସରକାର, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଉଚ୍ଚ ଶିକ୍ଷା ବିଭାଗର ସଚିବ କେ ସଞ୍ଜୟ ମୁର୍ଥୀ, ସ୍କୁଲ ଶିକ୍ଷା ଏବଂ ସ୍ୱାକ୍ଷରତା ବିଭାଗର ସଚିବ ଅନିତା କରଓ୍ୱାଲ ଏବଂ ବିଶିଷ୍ଟ ଶିକ୍ଷାବିତ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ