ବାଲେଶ୍ୱରରେ ପାଳିତ ହେଲା ଜିଲ୍ଲାସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସଦର ମହକୁମାସ୍ଥିତ ରିଜର୍ଭ ପୋଲିସ ପରେଡ୍ ପଡିଆଠାରେ ଜିଲ୍ଲାସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ମାନ୍ୟବର ଜଳ ସମ୍ପଦ ଓ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଯୋଗ ଦେଇ ସକାଳ ଘ୯.୧୫ମି. ସମୟରେ ଜାତୀୟ ପତାକା ଉତୋଳନ କରିବା ସହିତ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ । ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ପାଳନ କରାଯାଉଥିବା ଆଜାଦୀ କା ଅମୃତ ମହୋତ୍ସବ ଚଳିତ ବର୍ଷର ସ୍ୱାଧୀନତା ଦିବସକୁ ଅଧିକ ଗୌରବପୂର୍ଣ୍ଣ କରିଛି । ଏହି ଅବସରରେ ସେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିବା ମୁକ୍ତି ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସ୍ୱାଧୀନତା ସଂଗ୍ରାମର ଇତିହାସକୁ ତ୍ୟାଗ ଓ ବଳିଦାନର ଇତିହାସ ବୋଲି କହିଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବାଲେଶ୍ୱର ଜିଲ୍ଲାର ଅବଦାନ ଉପରେ ଆଲୋକପାତ କରି ନୀଳଗିରି ପ୍ରଜାବିଦ୍ରୋହ, ଇଂଚୁଡି ଲୁଣମରା ଆନ୍ଦୋଳନ, ତୁଡିଗଡିଆ ଆନ୍ଦୋଳନ, ବାଘା ଯତୀନ ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନର ସ୍ମୃତିଚାରଣ କରିଥିଲେ । ସେହିପରି ଓଡିଆ ଭାଷା ସାହିତ୍ୟର ସୁରକ୍ଷା ଓ ସ୍ୱତନ୍ତ୍ର ଭାଷାଭିତିକ ଓଡିଶା ପ୍ରଦେଶ ଗଠନ ପାଇଁ ବ୍ୟାସକବି ଫକୀରମୋହନ ସେନାପତି, ଉତ୍କଳଗୌରବ ମଧୁସୂଦନ ଦାସ, କବିବର ରାଧାନାଥ ରାୟ ପ୍ରମୁଖଙ୍କ ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମ ରାଜ୍ୟରେ ଏବେ ବିକାଶର ଧାରା ଜାରି ରହିଥିବା ବେଳେ ଆମ ରାଜ୍ୟର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ବିକାଶ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହୋଇପାରିଥିବା ସେ କହିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଣିଥିବା ବୈପ୍ଳବିକ ପରିବର୍ତନ, କୃଷି କ୍ଷେତ୍ରରେ ଆମ ରାଜ୍ୟର ପ୍ରଗତି ତଥା କୃଷି ଓ କୃଷକଙ୍କ ସଶକ୍ତିକରଣ ପାଇଁ କରାଯାଇଥିବା ଯୋଜନା, ୫-ଟି ଉପକ୍ରମରେ ରାଜ୍ୟରେ ବିଦ୍ୟାଳୟଗୁଡିକରେ ସୃଷ୍ଟି କରାଯାଇଥିବା ଶୈକ୍ଷିକ ପରିବେଶ, ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ରାଜ୍ୟରେ ୭୦ଲକ୍ଷ ମହିଳାଙ୍କୁ ସ୍ୱାବଲମ୍ବୀ କରାଯାଇଥିବା ଇତ୍ୟାଦି ଉପରେ ଆଲୋକପାତ କରି ଏହା ଦ୍ୱାରା ରାଜ୍ୟର ପ୍ରଗତିର ଧାରା ବେଶ ଆଗକୁ ଯାଇପାରିଥିବା ସେ କହିଥିଲେ । ୨୦୨୩ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ଏବେ ରୋଲ ମଡେଲ ସାଜିଛି । ବାଲେଶ୍ୱର ଜିଲ୍ଲାରେ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ଏବଂ ଜିଲ୍ଲାର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । କୃଷି ଓ ମତ୍ସ୍ୟ ଉତ୍ପାଦନ, ଶିଳ୍ପ କ୍ଷେତ୍ରରେ ବାଲେଶ୍ୱର ଜିଲ୍ଲା ରାଜ୍ୟର ଅଗ୍ରଣୀ ରାଜ୍ୟ । ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଦ୍ୱାରା ୨୭ହଜାର ହେକ୍ଟରରୁ ଅଧିକ ଚାଷଜମି ଜଳସେଚିତ ହୋଇପାରିଥିବା ବେଳେ ଏହା ଦ୍ୱାରା ବାଲେଶ୍ୱର ଓ ମୟୂରଭଞ୍ଜର ଚାଷୀ ଉପକୃତ ହୋଇପାରିଛନ୍ତି । ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ୃତିରେ ଭୋଗରାଇ ଶଙ୍ଖାରୀଠାରେ ଏକ ବିଶ୍ୱସ୍ତରୀୟ ସଂଗ୍ରହାଳୟ ସ୍ଥାପନ ପାଇଁ ନିକଟରେ ପଦକ୍ଷେପ ନିଆଯାଇଛି । ଜିଲ୍ଲାର ବିଭିନ୍ନ ଅଂଚଳରେ ଅତ୍ୟାଧୁନିକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ଚାଲିଛି । ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଦ୍ୱାରା ଜିଲ୍ଲା ତଥା ରାଜ୍ୟର ପ୍ରଗତି ତ୍ୱରାନ୍ୱିତ ହୋଇପାରିଥିବା ମାନ୍ୟବର ମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଜିଲ୍ଲାପାଳ ଶ୍ରୀ ଦତାତ୍ରୟ ଭାଉସାହେବ ଶିନ୍ଦେ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁଧାଂଶୁ ଶେଖର ମିଶ୍ରଙ୍କ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । କୋଭିଡ୍ କଟକଣା ପାଇଁ ପୋଲିସର ଦୁଇଟି କଂଟିଜେଂଟଙ୍କ ସମେତ ପୋଲିସ ବ୍ୟାଣ୍ଡ ଏହି ଉତ୍ସବରେ ଯୋଗ ଦେଇଥିଲେ । କଟକଣା ଯୋଗୁଁ ସ୍ୱାଧୀନତା ଦିବସ ପରେଡ ହୋଇନଥିଲା । ରିଜର୍ଭ ଇନସପେକ୍ଟର ଶ୍ରୀ ସଧେଇ ଶଙ୍କର ଟୁଡୁ ରାଷ୍ଟ୍ରୀୟ ସାଲ୍ୟୁଟ୍ର ନେତୃତ୍ୱ ନେବା ସହିତ ମୁଖ୍ୟ ଅତିଥିଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ । ତାଙ୍କୁ ସହଯୋଗ କରିଥିଲେ ସେକେଣ୍ଡ-ଇନ-କମାଣ୍ଡ ଶ୍ରୀ ରାଜୀବ କୁମାର ମାରାଣ୍ଡି । ଜିଲ୍ଲାସ୍ତରୀୟ ସମାରୋହ ଅବସରରେ ବିଭିନ୍ନ ବର୍ଗର ୧୭ଜଣ କୋଭିଡ୍ ଯୋଦ୍ଧା, ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖିଥିବା ୪ଜଣ କୃତୀ ଛାତ୍ରଛାତ୍ରୀ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପଦକ ହାସଲ କରିଥିବା ୫ଜଣ କ୍ରୀଡାବିତ୍ଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ହୋମଗାର୍ଡ ଦେବେନ୍ଦ୍ର ନାଥ ଦେ’ଙ୍କୁ ଉତ୍କୃଷ୍ଟ ସେବା, କାର୍ଯ୍ୟକୁଶଳତା ଏବଂ ସଚ୍ଚୋଟତା ପାଇଁ ଅଗ୍ନିଶମ ସେବା, ହୋମଗାର୍ଡ ଓ ନାଗରିକ ସୁରକ୍ଷା ମହାନିର୍ଦ୍ଦେଶକଙ୍କ ଡିସ୍କ ମେଡାଲ ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ମାନ୍ୟବର ମନ୍ତ୍ରୀ ପରେଡ ପଡିଆରେ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ, ଜିଲ୍ଲା ପରିଷଦ ସଭାପତି ଶ୍ରୀ ନାରାୟଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭବେଶ କୁମାର ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ସାହୁ, ଉପଜିଲ୍ଲାପାଳ ଶ୍ରୀ କିଶୋର ଚନ୍ଦ୍ର ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ଜନ ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ । ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସ୍ୱାଧୀନତା ଦିବସ ସମାରୋହରେ କୋଭିଡ ନିୟମାବଳୀ ଓ କଟକଣାର ଅନୁପାଳନ ସହ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ସୀମିତ ସଂଖ୍ୟକ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଥିଲା । ସ୍ୱାଧୀନତା ଦିବସ ଅବସରରେ ରୋଗୀ କଲ୍ୟାଣ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଂଟନ କରାଯାଇଥିଲା । ନେହେରୁ ଯୁବ କେନ୍ଦ୍ର ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରଠାରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଅନୁରୂପ ଭାବେ ରୋଟାରୀ କ୍ଲବ ବାଲେଶ୍ୱର ତରଫରୁ ରାଣୀପାଟଣା ସ୍ଥିତ ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଓ ହ୍ୟାଣ୍ଡିକେପଡ ୱେଲଫେୟାର ଇନଷ୍ଟିଚ୍ୟୁଟରେ ଫଳ,କେକ୍ ଓ ମିଷ୍ଟାନ୍ନ ବଂଟନ କରାଯାଇଥିଲା । ଲାୟନ୍ସ କ୍ଲବ, ବାଲେଶ୍ୱର ପକ୍ଷରୁ ଜିଲ୍ଲା କାରାଗାରେ ମିଷ୍ଟାନ୍ନ ବଂଟନ କରାଯାଇଥିଲା । ବାଲେଶ୍ୱର ପୌରପାଳିକା ତରଫରୁ ଉତ୍କଳ ବାଳାଶ୍ରମରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା । ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ତରଫରୁ ବାଲେଶ୍ୱର ପୌରାଂଚଳରେ ରାମଧୂନ ପରିବେଷଣ କରାଯାଇଥିଲା । ସକାଳେ ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନମାନଙ୍କରେ ପତାକା ଉତୋଳନ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲେଶ୍ୱର ପୌରାଂଚଳରେ ଅବସ୍ଥାପିତ ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ପୁରୁଷୋତମ ସେଠୀ, ରାହୁଲ ସିଂ, ସତ୍ୟସାଗର ମଣ୍ଡଳ, କାର୍ତିକ ବେହେରା, ମାଳତୀ କିସ୍କୁ, ସୁଚିସ୍ମିତା ପରିଡା ପ୍ରମୁଖ ସହଯୋଗ କରିଥିଲେ ।


