କେନ୍ଦ୍ରାପଡାରେ ଜାତୀୟ କ୍ରୀଡା ଦିବସ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କ୍ରୀଡା ଓ କ୍ରୀଡାର ଭାବନା ଏବଂ କ୍ରୀଡାବୀତ୍ତଙ୍କୁ ସମ୍ମାନ ଦେବା ଏହି ଦିବସ ପାଳନର ମୁଖ୍ୟ ଉଦେଶ୍ୟ । ଯୁବ ପିଢୀଙ୍କ ମଧ୍ୟରେ ସଚେତନତା ଓ ଲୋକମାନଙ୍କ ମଧ୍ୟରେ ଖେଳ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ହକି ଖେଳର କିମ୍ବଦନ୍ତୀ କୁହାଯାଉଥିବା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ଜାତୀୟ କ୍ରୀଡା ଦିବସ ରୂପେ ପାଳନ କରାଯାଉଛି । ଏହି ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ବିଭାଗର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡା ଯୋଜନା ଓ ପର୍ଯ୍ୟାଲୋଚନା ବିଭାଗ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପିତାମ୍ବର ସାମଲଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମେଜର ଧ୍ୟାନଚାନ୍ଦ ୧୯୦୫ମସିହାର ଆଜିର ଦିନରେ ଉତ୍ତରପ୍ରଦେଶର ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ । ହକିର ‘ଯାଦୁଗର’ ଭାବେ ପରିଚିତ ଏହି ମହାନ ଖେଳାଳିଙ୍କର ବିଶ୍ୱ ଖେଳ ଇତିହାସରେ ରହିଛି ସ୍ୱତନ୍ତ୍ର ପରିଚୟ । ତାଙ୍କ ନେତୃତ୍ୱରେ ଭାରତ ୧୯୨୮,୧୯୩୨ ଓ ୧୯୩୬ରେ ଅନୁଷ୍ଠିତ ହୋଇଥିବା ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ହକିରେ ତାଙ୍କର ଯୋଗଦାନ ପାଇଁ ତାଙ୍କୁ ‘ହକି ଭିଜାର୍ଡ’ର ଟାଇଟେଲ ଓ ଦେଶର ତୃତୀୟ ସବୁଠାରୁ ବଡ ସିଭିଲିଆନ ପୁରସ୍କାର ପଦ୍ମ ବିଭୂଷଣରେ ବିଭୂଷିତ କରାଯାଇଛି ବୋଲି ଶ୍ରୀ ସାମଲ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ଉପନିର୍ଦେଶକ ଆରତି ନାୟକ, ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲ୍ଲୀ, ସେଣ୍ଟ ଜାଭିଅର ଓ ଟାଇମସ୍ ଗୁରୁକୂଳର ଛାତ୍ରଛାତ୍ରୀ, ଅଭିଭାବକ, କ୍ରୀଡାପ୍ରେମୀ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ । ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ ବିଶିଷ୍ଟ ଚିତ୍ରଶିଳ୍ପୀ ସୈାମ୍ୟରଞ୍ଜନ ପଟ୍ଟନାୟକ ଓ ଯୋଗଗୁରୁ ସଞ୍ଜୟଙ୍କ ଦ୍ୱାରା ପରିଚାଳିତ ଚିତ୍ରାଙ୍କନ ଏବଂ ଯୋଗ ପ୍ରତିଯୋଗୀତାର ୬ଜଣ କୃତି ପ୍ରତିଯୋଗୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।


