ଶ୍ରୀବଳଦେବଜୀଉଙ୍କ ଜନ୍ମଦିନରେ ନୂତନ ଭଜନ ଆହେ ପ୍ରଭୁ ହଳଧର ରେବତୀ ରମଣ ଉନ୍ମୋଚିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଜନ୍ମୋତ୍ସବ ଅବସରରେ ଶ୍ରୀଜୀଉଙ୍କ ଜନ୍ମ ତିଥି ଉପରେ ଆଧାରିତ ଏକ ନୂତନ ଭଜନ ‘ଆହେ ପ୍ରଭୁ ହଳଧର ରେବତୀରମଣ’ର ଶୁଭ ମହୁରତ ଶ୍ରୀଜୀଉଙ୍କ ଝୁଲଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ସ୍ୱର ସଂଯୋଜନା ଏବଂ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି ଓ ପୂର୍ଣ୍ଣୀମା ଦାଶଙ୍କ କଣ୍ଠରେ ଉକ୍ତ ଭଜନଟି ସାରା ରାଜ୍ୟରେ ଲୋକାଦୃତ ହେବ ବୋଲି ଆଶା କରାଯାଉଛି । କଟକର ସୁରଝଙ୍କାର ୟୁଟ୍ୟୁବ ଚ୍ୟାନେଲ ଦ୍ୱାରା ପ୍ରସ୍ତୁତ ଏହି ଗୀତଟିକୁ ରଚନା କରିଛନ୍ତି ଗିତୀକାର ସୁବାସ ଚନ୍ଦ୍ର ପାତ୍ର ଓ ଶିକ୍ଷାବିତ ଭାଗିରଥୀ ନନ୍ଦ । ଶୁଭ ମହୁରତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ପୈାରପାଳିକାର ନଗରପାଳ ସରିତା ସାହୁ ଯୋଗଦେଇଥିବା ବେଳେ ଶ୍ରୀବଳଦେବଜୀଉ ଦେବୋତ୍ତର ସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, କାଉନସିଲର କାଳି ପ୍ରସାଦ ମିଶ୍ର, କାଉନସିଲର ଲକ୍ଷ୍ମୀପ୍ରିୟା ବେହେରା ଓ ଗୀତିକାର ସୁବାସ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତିଙ୍କୁ ମାନପତ୍ର, ରୈାପ୍ୟ ଫଳକ ଓ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ “ବଳଦେବ ସମ୍ମାନ”ରେ ସମ୍ମାନିତ କରାଯାଇଥିଲା । ସାଇନାଥ କଳା ପରିଷଦର ସମ୍ପାଦକ ସୁବ୍ରତ କୁମାର ରାଉତଙ୍କ ପରିଚାଳନାରେ ଜୟଶ୍ରୀ ପତି, ପ୍ରିୟଙ୍କା ପତି, ପୂର୍ଣ୍ଣୀମା ଦାଶଙ୍କ ଦ୍ୱାରା ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ବିଜେଡି ନଗର ସଭାପତି ଯଯାତି କେଶରୀ ମହାନ୍ତି, ଯୁବନେତା ରଞ୍ଜିତ କୁମାର ସାହୁ, ନୃସିଂହ ପ୍ରସାଦ ପତ୍ରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।